ଉପାନ୍ତ ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ମନରେଗା ଯୋଜନାରେ ଖେଳପଡିଆ : ଶୁଭ ଉଦ୍‌ଘାଟନ କଲେ ସିନାପାଲି ବିଡିଓ

ନୂଆପଡ଼ା (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଉପାନ୍ତ ତଥା ସୀମାନ୍ତ ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ପ୍ରଶାସନ ତରଫରୁ ମନରେଗା ଯୋଜନାରେ ଖେଳପଡିଆ ନିର୍ମାଣ କରି ଏହାର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହି ଖେଳପଡିଆ ନୂଆପଡ଼ା ଗ୍ରାମପଞ୍ଚାୟତର ପତିଏଲପଡ଼ା ଠାରେ ନିର୍ମାଣ କରାଯାଇଛି । ଏଥିପାଇଁ ପ୍ରଶାସନର ଉଦ୍ୟମକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି । ଏହି ଖେଳପଡିଆ ପାଇଁ ପ୍ରଶାସନ ତରଫରୁ ୧୦ଲକ୍ଷ ଅଟକଳ ମୂଲ୍ୟରେ ନିର୍ମାଣ କରାଯାଇଛି । ଏଥିରେ ଅଞ୍ଚଳର ଜନସାଧାରଣ କାମ ପାଇବା ସହ ଏକ ଆଦର୍ଶ ଖେଳପଡିଆ ଭାବରେ ପରିଗଣିତ ହେଇଛି । ଅଞ୍ଚଳର କ୍ରୀଡାର ବିକାଶ ସହିତ ଅନେକ କାର୍ଯ୍ୟକ୍ରମ ଏହି ପଡ଼ିଆରେ ଆୟୋଜିତ ହୋଇପାରିବ ବୋଲି ସିନାପାଲି ବିଡିଓ ସଦାଶିବ ନାଏକ ପ୍ରକାଶ କରିଛନ୍ତି । ଏହି ଖେଳପଡିଆ ନିର୍ମାଣ ଦିଗରେ ସିନାପାଲି ବିଡିଓ ସଦାଶିବ ନାଏକ, ସ୍ଥାନୀୟ ସରପଞ୍ଚ ବିଦ୍ୟାଧର ବୋଡକିଆ, କନିଷ୍ଠ ଯନ୍ତ୍ରୀ ମିନାକ୍ଷୀ ମିଶ୍ର, ବିପିଓ ଭର୍ଣିତା ବିଶ୍ୱାସ, କାର୍ଯ୍ୟନିର୍ବାହୀ ଅଧିକାରୀ, ଗ୍ରାମରୋଜଗର ସେବକ, ସମେତ ଅନେକ ଅଧିକାରୀ ମାନଙ୍କ ଉଦ୍ୟମ ବଳରେ ସମ୍ଭବ ହୋଇପାରିଥିବା ଅଞ୍ଚଳର ଜନସାଧାରଣ ପ୍ରକାଶ କରିଛନ୍ତି । ଏହି ଖେଳପଡିଆରେ ପାନୀୟ ଜଳ ସୁବିଧା କରିବା ସହ ଆହୁରି କିଛି ଅନୁଦାନ ପ୍ରଦାନ କରିବା ପାଇଁ ଅଞ୍ଚଳର ଲୋକେ ଦାବୀ ଜଣାଇଥିଲେ । ସିନାପାଲି ବିଡିଓ ପାନୀୟ ଜଳ ସୁବିଧା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଅଞ୍ଚଳର ଜନସାଧାରଣ ଏଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଛନ୍ତି । ଯାହାଫଳରେ ଅଞ୍ଚଳ ବ୍ୟତୀତ ପଡୋଶୀ ଛତିଶଗଡ଼ ରାଜ୍ୟର ଖେଳାଳୀ, ଖେଳପ୍ରେମି ମାନଙ୍କ ସମାଗମ ହେଉଛି । ଏଭଳି କ୍ରୀଡ଼ାର ଆୟୋଜନ କରି ଆଗାମୀ ଦିନରେ ପଡିଆର ନାମକୁ ଆହୁରି ପ୍ରସାର କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.

12 − four =