ଚାଲ ଦେଖିବା ବିଧାୟକଙ୍କ ଗାଁ ହୀରାପୁର : ସଡକ, ପାଣି ଓ ବିଜୁଳି ଯେଉଁଠି ସାତ ସପନ

ଜୟପାଟଣା, (ଶେଷଦେବ ବେହେରା) : ନିର୍ବାଚନୀ ଉଷ୍ମତା ବଢ଼ି ଚାଲିଥିବା ବେଳେ ଏବେ ଭୋଟରଙ୍କ ମଧ୍ୟରେ ବି ତାତି ବଢ଼ିବାରେ ଲାଗିଛି । ମୌଳିକ ଅଧିକାର ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରି ଆସିଥିବା ମଣିଷମାନେ ଏବେ କଣ୍ଠ ସ୍ୱରକୁ ତୀକ୍ଷ୍ଣ କରିବାରେ ଲାଗିଲେଣି । ବର୍ଷ ବର୍ଷ ଧରି ନିର୍ବାସିତ ଯନ୍ତ୍ରଣାର ବୋଝ ଉଠାଇ ଆସିଥିବା ଏହି ମଣିଷମାନେ ଏବେ ଚାଲିବା ପାଇଁ ସଡକ, ବିଜୁଳି ଓ ପିଇବା ପାଣି ପାଇଁ ସ୍ୱର ଉଠାଇବା ଆରମ୍ଭ କଲେଣି । ଏହି ମଣିଷମାନେ ଆଉ କେହି ନୁହନ୍ତି, ଯେଉଁମାନେ ଇନ୍ଦ୍ରାବତୀ ଜଳ ଭଣ୍ଡାର ପାଇଁ ଭିଟାମାଟି ଛାଡ଼ି ସେହି ମାନଙ୍କର ନିର୍ବାସନର ଚଉଦ ବର୍ଷ ପରେ ତେଜୀୟାନ ହେଉଛି କଣ୍ଠ ସ୍ୱର । ଇନ୍ଦ୍ରାବତୀ ପରିଧି ମଧ୍ୟରେ ଗାଁ ସମ୍ପୂର୍ଣ୍ଣ ବୁଡିଯିବା ପରେ ଏମାନେ ବାସହରା ହୋଇ ଜୟପାଟଣା ବ୍ଲକର ହୀରାପୁର ପଞ୍ଚାୟତରେ ନୂଆ ଏକ ପଡ଼ା ଗଠନ କରି ୬ଟି ପରିବାରକୁ ନେଇ ଗାଁ ବସାଇ ଦେଲେ । ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ଜନ୍ମମାଟି ହୀରାପୁର ଗ୍ରାମର ଏମାନେ ଅଧିବାସୀ । ଶ୍ରୀ ଦିଶାରୀ ବିଧାୟକ ହେବାପରେ ଏମାନେ ଅନେକ ସ୍ୱପ୍ନ ଆଙ୍କିଥିଲେ । ଏଥର ଗାଁର ଅସୁବିଧା ଆଉ ରହିବ ନାହିଁ । ସେମାନଙ୍କୁ ଅନ୍ତତଃ ଚାଲିବା ପାଇଁ ସଡକ, ପିଇବା ପାଇଁ ପାଣି ଓ ବିଜୁଳି ଅବାଧରେ ମିଳିଯିବ । କିନ୍ତୁ ଅନେକ କାକୁତି ମିନତି ମଧ୍ୟରେ ପାଞ୍ଚ ବର୍ଷ ବିତିଗଲା । କିନ୍ତୁ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ସବୁ କିଛି ହରାଇ ଥିବା ଏହି ୬ ଗୋଟି ପରିବାରଙ୍କ ଆବଶ୍ୟକତା ପୁରାଣ ହୋଇ ପାରିଲା ନାହିଁ । ଶେଷରେ ହତାଶାର ବଳୟ ମଧ୍ୟରେ ନିଃସହାୟତାର ଜୀବନ ନିର୍ବାହ କରିବାକୁ ବାଧ୍ୟ ହୋଇ ପୁଣି ଏକ ପାଞ୍ଚ ବର୍ଷର ପ୍ରତାରଣାକୁ ଅପେକ୍ଷା କରିବାକୁ ପଡ଼ିପାରେ ବୋଲି ଆଶଙ୍କା ଉତ୍ପନ୍ନ ହୋଇ ସାରିଲାଣି । ମଶାଣୀ ପଡ଼ାର ନାମକରଣ ସହିତ ଖୁଦ୍ ବିଧାୟକଙ୍କ ଘରଠାରୁ ଚାରି ଶହ ମିଟର ଦୂରେ ରହିଥିଲେ ଏମାନଙ୍କ ଜୀବିକା ସହ ମୌଳିକ ଆବଶ୍ୟକତା ମଧ୍ୟ ଅପହଞ୍ଚ ପାଲଟି ଗଲା । ୨୦୧୦ ମସିହାରୁ ହଳଦୀଜୋରର ପାଣିକୁ ନିଜର ଜୀବନ ଧାରଣର ସର୍ବସ୍ୱ ଭାବି ଜୀବନଧାରଣ ଆରମ୍ଭ କରି ଦିଶାରୀଙ୍କୁ ଭୋଟ ଦେଇଥିଲେ । କିନ୍ତୁ ପାଞ୍ଚ ବର୍ଷର ଅଖଣ୍ଡ ରାଜତ୍ଵ ପରେ ମଧ୍ୟ ତାଙ୍କରି ସହାନୁଭୂତି ଏମାନଙ୍କ ପାଇଁ ପହଞ୍ଚି ପାରିଲା ନାହିଁ । ଆଜି ପୁଣି ସେହି ବିକାଶର ବାର୍ତ୍ତା କହି ଭୋଟ ମାଗିଥିବା ବେଳେ ଏମାନଙ୍କ ମନରେ ଅକୁହା ବେଦନା ସୃଷ୍ଟି ହେବା ସ୍ୱାଭାବିକ କଥା । ଗାଁର ଉର୍କୁଡ଼ି ଝଡିଆ, ଲିମ୍ବ ଝଡ଼ିଆ, ଭିଙ୍ଗୁ ଝାଡ଼ିଆ, ଡମ୍ବ ଝାଡିଆ, ଓ ସୁନ୍ଦର୍ ଝଡିଆ ନିଜର ଗ୍ରାମର ଆଭ୍ୟନ୍ତରୀଣ ବିକାଶ ସହ ବିଜୁଳି, ସଡକ ଓ ପାନୀୟ ଜଳ ପାଇଁ ଗଣମାଧ୍ୟମ ପାଖରେ ମୁଁହ ଖୋଲିଛନ୍ତି । ଏ ସଂକ୍ରାନ୍ତରେ ସରପଞ୍ଚ ବନିତା ନାଏକଙ୍କୁ ପଚାରିବାରୁ ଖୁବ୍ ଶୀଘ୍ର ଏମାନଙ୍କ ସଡକ ସଂଯୋଗ ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.

three × 2 =