
- ପୋଲିସ ହାତ ଖାଲି, ବିଭିନ୍ନ ମହଲରେ ଅସନ୍ତୋଷ
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଠାରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରା ନ ଯିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି । ଏନେଇ ବିଜୁ ଜନତା ଦଳ ପକ୍ଷରୁ ଶନିବାର ଦିନ ବିଜେପୁର ଥାନା ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ଗତ ୩ ତାରିଖରେ ଜଣେ ଠିକାଦାରଙ୍କୁ ବିଜେପୁର ଏନ୍ଏସିର ଏକ ଟେଣ୍ଡର ପ୍ରକ୍ରିୟାରୁ ବାଦ ହେବା ପାଇଁ ବାଧ୍ୟ କରାଯାଇ କେତେକ ଦୁର୍ବୃତ୍ତ ଖୋଲାଖୋଲି ଭାବେ ବନ୍ଧୁକ ମୁନରେ ଭୟଭୀତ କରି ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ଯଦି ଅଭିଯୁକ୍ତମାନଙ୍କୁ ଗିରଫ କରାନଯାଏ, ତେବେ ବିଜୁ ଜନତା ଦଳ ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ । ଘଟଣା ସଂକ୍ରାନ୍ତରେ ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ସହିତ ଆଲୋଚନା କରାଯିବ ଏବଂ ଅଭିଯୁକ୍ତଙ୍କୁ ଗିରଫ କରିବା ସମେତ ବିଜେଡି ଦେଇଥିବା ସ୍ମାରକପତ୍ରର ଦାବୀ ପୂରଣ ନ ହେଲେ ପରବର୍ତ୍ତୀ ଆନ୍ଦୋଳନ କରାଯିବ ବୋଲି ବିଜେଡି ଜିଲ୍ଲା ସଭାପତି ଜାପାନ ମହାପାତ୍ରଙ୍କ ପକ୍ଷରୁ ସୂଚନା ମିଳିଛି । ବିଜେପୁର ଭଳି ଶାନ୍ତପ୍ରିୟ ସ୍ଥାନରେ ଟେଣ୍ଡର ଫିକ୍ସିଂ ଆଳରେ ଜଣେ ଠିକାଦାରଙ୍କୁ ଉଠାଇ ନେଇ ଭୟର ପରିବେଶ ସୃଷ୍ଟି କରିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୁକ୍ତଙ୍କ ନିକଟକୁ ବନ୍ଧୁକ କିଭଳି ଭାବରେ ଏବଂ କେଉଁ ଠାରୁ ଆସିଲା ତାହା ତଦନ୍ତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି । ଉକ୍ତ ଘଟଣାରେ ବହୁ ସଂଖ୍ୟାରେ ଅଭିଯୁକ୍ତ ସମ୍ପୃକ୍ତ ଥିବାର ଅଭିଯୋଗ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତମାଁଙ୍କୁ ମଧ୍ୟ ଚିହ୍ନଟ କରି ଗିରଫ କରିବାକୁ ଦାବି ହେଉଛି । ପୋଲିସ ପକ୍ଷରୁ ବ୍ୟାପକ ଉଦ୍ୟମ କରାଯାଉଛି ଏବଂ ଘଟଣାର ନିରପେକ୍ଷ ତଦନ୍ତ ପୂର୍ବକ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରାଯିବ ବୋଲି ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ନାଥ ଶତପଥୀ ସୂଚନା ଦେଇଛନ୍ତି ।