jayashree

ଯବାନଙ୍କୁ ଫଟାମୁଣ୍ଡା ଗାଁରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାଁର ସୁଯୋଗ୍ୟ ସନ୍ତାନ ଭାରତୀୟ ସୁରକ୍ଷା ବାହିନୀରେ ସାମିଲ ହେବା ପରେ ଗର୍ବରେ ଫୁଲି ଉଠିଛି ଫଟାମୁଣ୍ଡା ଗାଁ । ଗ୍ରାମର ଯୁବକ ସୁବାଷ ଚନ୍ଦ୍ର ନେଗୀ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍‌ପିଏଫ୍‌)ରେ ଯବାନ ଭାବେ ନୂଆ ନିଯୁକ୍ତି ପାଇଥିବାରୁ ତାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ଓ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଗ୍ରାମ୍ୟ ସଭାପତି ଗୋପବନ୍ଧୁ ଶିକାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସୁବାଷଙ୍କୁ ଫୁଲମାଳ ପିନ୍ଧାଇ ସ୍ୱାଗତ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ଗାଁ ପରିକ୍ରମା କରାଯାଇ ଘରେ ଘରେ ସ୍ୱାଗତ କରାଯାଇଥିଲା । ଏହି ସମୟରେ ଗାଁରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା । ଏହି ଅବସରରେ ଯବାନଙ୍କ ପିତା ମକରଧ୍ୱଜ ନେଗୀ ଓ ମାତା ପ୍ରମିଳା ନେଗୀଙ୍କୁ ମଧ୍ୟ ଗ୍ରାମ୍ୟ କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା । ପୁଅର ସଫଳତାରେ ପିତାମାତାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସମ୍ମାନ ଜଣାଇବା ଅବସର ଭାବବିହ୍ୱଳ ହୋଇଉଠିଥିଲା । ସଭାରେ ଗ୍ରାମବାସୀ କହିଥିଲେ ଯେ, ଫଟାମୁଣ୍ଡା ଭଳି ଏକ ଛୋଟଗାଁରୁ ଜଣେ ଯୁବକ ଦେଶର ସୁରକ୍ଷା ବାହିନୀରେ ସାମିଲ ହେବା ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ । ସୁବାଷଙ୍କ ନିଷ୍ଠା, ଦେଶପ୍ରେମ ଓ କଠିନ ପରିଶ୍ରମ ଗାଁର ଅନ୍ୟ ଯୁବକମାନଙ୍କୁ ମଧ୍ୟ ଦେଶସେବା ପାଇଁ ପ୍ରେରଣା ଯୋଗାଇବ । ତାଙ୍କ ସଫଳତା ପ୍ରମାଣ କରିଛି ଯେ, ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଥିଲେ ସଫଳତା ନିଶ୍ଚିତ । କାର୍ଯ୍ୟକ୍ରମରେ ଗ୍ରାମର ବୟୋଜ୍ୟେଷ୍ଠ, ମହିଳା, ଯୁବକ, ଛାତ୍ରଛାତ୍ରୀଙ୍କ ସମେତ ଗାଁର ସମସ୍ତ ଜନସାଧାରଣ ଏକଜୁଟ ହୋଇ ଯୋଗ ଦେଇଥିଲେ । ଯବାନଙ୍କୁ ସମ୍ମାନିତ କରିବା ଓ ତାଙ୍କ ସଫଳତାକୁ ନିଜ ଗାଁର ଗର୍ବ ଭାବେ ପାଳନ କରିବା ପାଇଁ ସମସ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଯାଇଥିଲା । ଗ୍ରାମ୍ୟ କମିଟିର ସମ୍ପାଦକ ମହେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଅଶୋକ ମେହେରଙ୍କ ସହ ସଦସ୍ୟ ନବୀନ ମେହେର, ବିଧାନ ଗିରି, କର୍ଣ୍ଣ ବରିହା, ଅଣାକର ମେହେର, ରଙ୍ଗାଧର ସୁନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଗ୍ରାମ୍ୟ କମିଟି ପକ୍ଷରୁ ସୁବାଷଙ୍କୁ ମାନପତ୍ର ପ୍ରଦାନ କରାଯାଇ ଦେଶସେବା ପାଇଁ ଶୁଭକାମନା ଜଣାଯାଇଥିଲା । ତାଙ୍କ ଦୀର୍ଘାୟୁ, ସୁସ୍ଥ ଓ ସୁରକ୍ଷିତ ଜୀବନ କାମନା କରିବା ସହ ତ୍ରିରଙ୍ଗାର ମାନ ରଖି ଦେଶ ପାଇଁ ନିଷ୍ଠାର ସହ ସେବା କରିବାକୁ ଶୁଭେଚ୍ଛା ଜଣାଯାଇଥିଲା । ସୁବାଷଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ନୁହେଁ, ସମଗ୍ର ଫଟାମୁଣ୍ଡା ଗାଁ ପାଇଁ ଏକ ଗୌରବର ମୁହୂର୍ତ୍ତ ପାଲଟିଥିବା ବେଳେ ଗାଁର ସମସ୍ତ ଜନସାଧାରଣଙ୍କ ଏକତା ଓ ଭଲ ପାଇବା ଏହି ସମ୍ବର୍ଦ୍ଧନାକୁ ଆହୁରି ସ୍ମରଣୀୟ କରିଦେଇଛି ।

Leave A Reply

Your email address will not be published.