jayashree

ରାଉରକେଲା ଡାକ ମଣ୍ଡଳରେ POSB ମହା ଅଭିଯାନ ଆରମ୍ଭ

  • ବରିଷ୍ଠ ନାଗରିକ, ମହିଳା ଓ ଚାକିରିଜୀବୀଙ୍କୁ ସଞ୍ଚୟ ଯୋଜନା ନେଇ କରାଯିବ ସଚେତନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଡାକ ମଣ୍ଡଳ ପକ୍ଷରୁ ସେପ୍ଟେମ୍ବର ମାସକୁ ନେଇ ଆରମ୍ଭ ହୋଇଛି ସ୍ୱତନ୍ତ୍ର ପୋଷ୍ଟ ଅଫିସ ସେଭିଙ୍ଗସ ବ୍ୟାଙ୍କ, ଅର୍ଥାତ POSB ମହା ଅଭିଯାନ। କୋଏଲନଗରସ୍ଥିତ ଅବସର ଭବନରେ ଏହି ଅଭିଯାନର ଶୁଭାରମ୍ଭ କରାଯାଇଛି । ଡାକ ମଣ୍ଡଳ ଅଧୀକ୍ଷକ ଶ୍ୟାମ ସୁନ୍ଦର ମହାରଣାଙ୍କ ନିର୍ଦ୍ଦେଶ ଏବଂ ବିଜନେସ ଏକ୍ସିକ୍ୟୁଟିଭ୍ ବିଘ୍ନେଶ୍ୱର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଅଭିଯାନର ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କୁ ଡାକଘରର ବିଭିନ୍ନ ସଞ୍ଚୟ ଯୋଜନା ସମ୍ପର୍କରେ ସଚେତନ କରିବା । ଏହି ଅବସରରେ ଡାକ ମଣ୍ଡଳ ଅଧୀକ୍ଷକ କହିଛନ୍ତି, ବରିଷ୍ଠ ନାଗରିକଙ୍କ ପାଇଁ ସିନିୟର ସିଟିଜେନ୍ ସେଭିଙ୍ଗସ ସ୍କିମ୍ ବା SCSS, ଝିଅମାନଙ୍କ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ଚାକିରିଜୀବୀଙ୍କ ପାଇଁ PPF ଭଳି ସରକାରୀ ସଞ୍ଚୟ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଯିବ । କେବଳ ଡାକଘର କାଉଣ୍ଟରରେ ସୀମିତ ନରହି ଲୋକଙ୍କ ପାଖରେ ପହଞ୍ଚି ସେବା ଯୋଗାଇବା ଉପରେ ଏହି ଅଭିଯାନରେ ଗୁରୁତ୍ୱ ଦିଆଯାଉଛି । ଅଭିଯାନର ପ୍ରଥମ ସପ୍ତାହ, ସେପ୍ଟେମ୍ବର ୧ରୁ ୭ ତାରିଖ ପର୍ଯ୍ୟନ୍ତ SCSS ସପ୍ତାହ ଭାବେ ପାଳନ କରାଯାଉଛି । RWA ହଲ୍, ପେନସନଭୋଗୀ ସଂଘ, ମନ୍ଦିର ଓ ପାର୍କ ଭଳି ସ୍ଥାନରେ ଡାକ ଚୌପାଳ ଆୟୋଜନ କରାଯାଇ ବରିଷ୍ଠ ନାଗରିକଙ୍କୁ ସଚେତନ କରାଯିବ । ସେହିପରି ସେପ୍ଟେମ୍ବର ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ସୁକନ୍ୟା ସମୃଦ୍ଧି ଯୋଜନାକୁ ନେଇ ସ୍ୱତନ୍ତ୍ର ସପ୍ତାହ ପାଳନ ହେବ। SHG, ଅଙ୍ଗନୱାଡି ଓ ବିଦ୍ୟାଳୟରେ ମହିଳାମାନଙ୍କ ପାଇଁ ସଚେତନତା ଶିବିର ସହ ଇଣ୍ଟରନେଟ ବ୍ୟାଙ୍କିଂର ଲାଇଭ୍ ଡେମୋ ପ୍ରଦର୍ଶନ କରାଯିବ । ଏହାପରେ ସେପ୍ଟେମ୍ବର ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ PPF ସପ୍ତାହ ପାଳନ ହେବ। ବିଭିନ୍ନ କାର୍ଯ୍ୟାଳୟ, PSU, ହସ୍ପିଟାଲ ଓ କଲେଜରେ ‘ସାଲାରୀ ସ୍ମାର୍ଟ ସେଭର କ୍ଲିନିକ୍’ ଆୟୋଜନ କରାଯିବ । ବିଜନେସ ଏକ୍ସିକ୍ୟୁଟିଭ୍ ବିଘ୍ନେଶ୍ୱର ପଣ୍ଡା କହିଛନ୍ତି, ଏହି ଅଭିଯାନରେ ସମସ୍ତ ପୋଷ୍ଟମାଷ୍ଟର ଓ GDS ସାମିଲ ହେବେ। ଲୋକଙ୍କୁ ଇଣ୍ଟରନେଟ ବ୍ୟାଙ୍କିଂ ସମେତ ବିଭିନ୍ନ ଡିଜିଟାଲ ଡାକ ସେବା ସମ୍ପର୍କରେ ମଧ୍ୟ ତାଲିମ ଓ ସୂଚନା ଦିଆଯିବ । ଲୋକଙ୍କ ମଧ୍ୟରେ ସୁରକ୍ଷିତ ସଞ୍ଚୟ ଅଭ୍ୟାସ ବୃଦ୍ଧି କରିବା ସହ ସରକାରୀ ସଞ୍ଚୟ ଯୋଜନାଗୁଡ଼ିକୁ ଘରେ ଘରେ ପହଞ୍ଚାଇବା ଦିଗରେ ଏହି POSB ମହା ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଇଛି । ଶେଷରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଥିଲେ ଶ୍ରୀ ପଣ୍ଡା ।

Leave A Reply

Your email address will not be published.