ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ କରିବା ପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଦାବୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆଦିବାସୀଙ୍କ ଭାଷା, ସଂସ୍କୃତି, ଐତିହ୍ୟ, ପରମ୍ପରା ତଥା ସାମଗ୍ରିକ ବିକାଶ ନିମନ୍ତେ ଗତ ୨୦୨୧ ମସିହାରେ ଓଡ଼ିଶାର ୯ଟି ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, ଗଜପତି, କୋରାପୁଟ, ନବରଙ୍ଗପୁର, ମୟୂରଭଞ୍ଜ, ରାୟଗଡା ଓ ମାଲକାନଗିରି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଥିଲା । ତେବେ ଚଳିତ ତା.୧୪/୦୫/୨୦୨୩ରେ ଏଥିରେ ବଲାଙ୍ଗିର ଜିଲ୍ଲାକୁ ସାମିଲ କରାଯାଇଥିଲେ ହେଁ ଜିଲ୍ଲାର ୧୪ଟି ବ୍ଲକ ମଧ୍ୟରୁ ମାତ୍ର ୮ଟି ବ୍ଲକକୁ ସାମିଲ କରାଯାଇ ବାକି ୬ଟି ବ୍ଲକକୁ ବାଦ୍‌ ଦିଆଯାଇଛି । ବାଦ୍‌ ପଡିଥିବା ଲୋଇସିଂହା, ଆଗଲପୁର, ବଲାଙ୍ଗିର, ପୁଇଁତଲା, ଟିଟିଲାଗଡ଼ ଓ ବଙ୍ଗୋମୁଣ୍ଡା ଏହି ୬ଟି ବ୍ଲକରେ ଆଦିବାସୀଙ୍କ ସଂଖ୍ୟା ଅନ୍ୟୁନ ୩୨ରୁ ୩୬ ପ୍ରତିଶତ, ଯେଉଁମାନଙ୍କ ଭାଷା, ସଂସ୍କୃତି, ଐତିହ୍ୟ, ପରମ୍ପରା ସହିତ ଅତି ନିବିଡ଼ ସମ୍ପର୍କ ରହିଛି । ଏହି ବ୍ଲକ ଗୁଡିକ ମୁଖ୍ୟତଃ ଗଣ୍ଡ, ସହରା, ମିର୍ଧା, କୁଡ଼ା, କନ୍ଧ, ଓରାମ, ମୁଣ୍ଡା ଜନଜାତି ବିଶିଷ୍ଟ ଅଞ୍ଚଳ ଅଟେ । ଏମାନଙ୍କର ଗ୍ରାମ୍ୟ ଦେବାଦେବୀ ପୀଠ, ଗୁଡି, ସୁଲିଆ ଓ ଧରଣୀ ପୀଠ, ପ୍ରଭୃତି ପୂଜା ତଥା ଜଙ୍ଗଲ ସୁରକ୍ଷା ନିହାତି ଆବଶ୍ୟକ ଅଟେ । ଲୋଇସିଂହା ବ୍ଲକର ଗ୍ରାମାଞ୍ଚଳ ଗୁଡିକରେ ବିଭିନ୍ନ ଜନଜାତି ଲୋକଙ୍କ ଦେବାଦେବୀ ପୀଠ ରହିଛି । ପୀଠ ତଥା ସ୍ଥାନୀୟ ଜନଜାତି ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ଉକ୍ତ ବ୍ଲକ ଗୁଡିକୁ ସାମିଲ କରିବା ପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ, ଲୋଇସିଂହା ବ୍ଲକ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ରାଜ୍ୟସଭା ସାଂସଦ ତଥା ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ସଂଘ ସଚିବ ନିରଞ୍ଜନ ବିଶି ଏବଂ ଉନ୍ନୟନ ପରିଷଦର ସଦସ୍ୟ ପ୍ରଦୀପ ମାଝୀଙ୍କୁ ପ୍ରେସ୍‌ ବିବୃତି ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଛି । ଏହି ଅବସରରେ ସ୍ଥାନୀୟ ଆଦିବାସୀ କଲ୍ୟାଣ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ସଭାପତି ଶ୍ୟାମସୁନ୍ଦର ଭୋଇ, ବ୍ଲକ କାର୍ଯ୍ୟକାରୀ ସଭାପତି ଦଶରଥ ଛତ୍ରିଆ, ସମ୍ପାଦକ ଗୋପାଳ ପଧାନ, ପୂର୍ଣ୍ଣଚନ୍ଦ୍ର ଭୋଇ, ରୁକ୍ମଣ ଧରୁଆ, ଲଳିତ ପୁଟା, ଫକୀର ପଧାନ, ଆଗଲପୁର ବ୍ଲକ ସଭାପତି ଭୁବନେଶ୍ୱର ଧରୁଆ, ଲାଲମନ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

thirteen − six =