ବଲାଙ୍ଗିର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବଡ଼ ଉପହାର ସଂପର୍କରେ ଘୋଷଣା କଲେ ମନ୍ତ୍ରୀ ଟୁକୁନି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ବଡ଼ ଉପହାର ସଂପର୍କରେ ଆଜି ଅପରାହ୍ନରେ ବଲାଙ୍ଗିର ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଓଡ଼ିଶାର ଜଳସେଚନ, ପରିବହନ ଓ ବାଣିଜ୍ୟ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ । ସେ କହିଛନ୍ତି ଯେ, ଆମ ରାଜ୍ୟର ଗ୍ରାମାଂଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା ପାଇଁ ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତିବଦ୍ଧ । ବଲାଙ୍ଗିର ଜିଲ୍ଲାରେ ୪ଟି ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ୨୩୫ କୋଟି ୫୩ ଲକ୍ଷ ଟଙ୍କାରେ କାର୍ଯ୍ୟକାରୀ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଉପରୋକ୍ତ ଜିଲ୍ଲାର ୩ଟି ବ୍ଲକ୍‌ ଅଧୀନରେ ଥିବା ୨୯ଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୧୪୦ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୯୦ ହଜାର ୩୦୮ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ତନ୍‌ମଧ୍ୟରୁ ପାଟଣାଗଡ଼ ବ୍ଲକ୍‌ ଅଧୀନରେ ଥିବା ୯ଟି ଗ୍ରାମପଂଚାୟତ ଅନ୍ତର୍ଗତ ୨୭ଟି ଗ୍ରାମର ପ୍ରାୟ ୧୭ ହଜାର ୭୪ ଜଣ ଓ ଗୁଡ଼ଭେଲା ବ୍ଲକ୍‌ ଅଧୀନରେ ଥିବା ୧୩ଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୮୦ଟି ଗ୍ରାମର ପ୍ରାୟ ୪୪ ହଜାର ୩୫୦ ଜଣ ଏବଂ ମୁରିବାହାଲ ବ୍ଲକ୍‌ ଅଧୀନରେ ରହିଥିବା ୭ଟି ଗ୍ରାମପଂଚାୟତ ଅନ୍ତର୍ଗତ ୩୩ଟି ଗ୍ରାମର ପ୍ରାୟ ୨୮ ହଜାର ୮୮୪ ଜଣ ଲୋକ ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହେବେ । ସେହିପରି ବଲାଙ୍ଗିର ଜିଲ୍ଲାରେ ଆହୁରି ୨ଟି ବୃହତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ୧୮୭ କୋଟି ୫୦ ଲକ୍ଷ ବ୍ୟୟରେ କାର୍ଯ୍ୟକାରୀ କରାଯିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଉପରୋକ୍ତ ଜିଲ୍ଲାରେ ଟିଟିଲାଗଡ଼ ବ୍ଲକ ଅଧୀନରେ ରହିଥିବା ୧୬ ଗୋଟି ଗ୍ରାମ ପଂଚାୟତ ଅନ୍ତର୍ଗତ ୮୨ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୭୧ ହଜାର ୩୯୨ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ସମସ୍ତ ପ୍ରକଳ୍ପ ୨୪ ମାସ ଭିତରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବଲାଙ୍ଗିର ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ବଡ଼ ଉପହାର ଯୋଗୁଁ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ସହ ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ପୂର୍ବତନ ବିଧାୟକ ଆୟୁବ୍‌ ଖାନ୍‌, କଂଟାବାଂଜି ବିଧାୟକ ପ୍ରାର୍ଥୀ ଅଜୟ ଦାସ, ବିଜେଡ଼ି ଜିଲ୍ଲା ମହିଳା ସଭାପତି ଦମୟନ୍ତୀ ବାଗ, ବିଜେଡ଼ି ଯୁବନେତା ନିହାର ରଂଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

18 − one =