ଟ୍ରେନରେ ଗୋଡ କଟି ଚିକିତ୍ସିତ ଅବସ୍ଥାରେ ମୃତ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରେନରେ ଗୋଡ କଟି ଚିକିତ୍ସିତ ଅବସ୍ଥାରେ ମୃତ ଅସହାୟ ବୃଦ୍ଧାଙ୍କ ଶବ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ସୂଚନା ଅନୁସାରେ ସ୍ଥାନୀୟ ସୁଦପଡା ରେଳ ଷ୍ଟେସନ ନିକଟରେ ଜଣେ ଅଚିହ୍ନା ବୃଦ୍ଧାଙ୍କ ଗୋଡ କଟି ଯାଇଥିବା ବେଳେ ଅସହାୟ ଅବସ୍ଥାରେ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ବୃଦ୍ଧାଙ୍କ ପରିଚୟ ମିଳିପାରି ନଥିବା ବେଳେ ପରେ ଚିକିତ୍ସାଧୀନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ଘଟି ଯାଇଥିଲା । ଖବର ପାଇ ବଲାଙ୍ଗିର ପୋଲିସ ପ୍ରଶାସନ ଔପଚାରିକତା ଦୃଷ୍ଟିରୁ ୭୨ ଘଣ୍ଟା ବୃଦ୍ଧାଙ୍କ ଶବକୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲସ୍ଥିତ ଶବ ସଂରକ୍ଷଣ କେନ୍ଦ୍ରରେ ରଖିବା ପରେ ଆଜି ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ପରେ ମେଡିକାଲ ଓ ପୋଲିସ ପ୍ରଶାସନର ସମସ୍ତ ଔପଚାରିକତା ସରିବା ପରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସେହି ଶବକୁ ଶେଷ ସମ୍ମାନ ଦେବାର ଦାୟିତ୍ୱ ନେଇଥିଲା । ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଶବ ବାହକ ଗାଡିରେ ବିଭୁତିପଡା ଶ୍ମଶାନକୁ ଶବ ସତ୍କାର ନିମନ୍ତେ ନେଇ ପହଞ୍ଚିଥିଲେ । ପୋଲିସ ଏସ୍‌. ଆଇ ବୁଦ୍ଧଦେବ ବିଶ୍ୱାଳଙ୍କ ଉପସ୍ଥିତିରେ ସଂଗଠନର ସନ୍ତୋଷ ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ରବୀନ୍ଦ୍ର ପ୍ରଧାନ, ରାହୁଲ ବାଗ ସେହି ଅଚିହ୍ନା ଅସହାୟ ବୃଦ୍ଧାଙ୍କ ଶବକୁ ସସମ୍ମାନରେ ଅନ୍ତିମ ସଂସ୍କାର କରି ଫେରିଥିଲେ । ଧର୍ମେନ୍ଦ୍ର କୁମ୍ଭାର ଓ ଜଗନ୍ନାଥ ସୁନା ଶବଦାହରେ ସହାୟତା କରିଥିବା ବେଳେ କୁନୁ ତ୍ରିପାଠୀ ଶବବାହକ ଗାଡି ଯୋଗାଇ ଦେଇଥିଲେ । ଅସହାୟଙ୍କ ସାଥୀ ଓ ମାନସିକ, ବ୍ୟକ୍ତିଗତ ସ୍ତରରେ ସଦାସର୍ବଦା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନକୁ ମାର୍ଗଦର୍ଶନ ଦେଉଥିବା ଯୁବ ସମାଜସେବୀ ଟୁନା ମିଶ୍ର ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଶବ ସତ୍କାର ନିମନ୍ତେ ଉପଯୁକ୍ତ କାଠ ଓ ସମସ୍ତ ସାମଗ୍ରୀ ଯୋଗାଇ ଦେଇଥିଲେ ।

Leave A Reply

Your email address will not be published.

twenty − 4 =