ଏସ୍‌ପିଙ୍କ ଦ୍ୱାରସ୍ଥ ହେବା ପରେ ସ୍ୱାମୀ ପରିତ୍ୟକ୍ତା ଦାମେନୀଙ୍କ ସ୍ୱାମୀ ଗିରଫ୍‌

ତୁରେକେଲା, (କୈଳାଶ ସଗରିଆ) : ଏସ୍‌ପିଙ୍କ ଦ୍ୱାରସ୍ଥ ହେବା ପରେ ସ୍ୱାମୀ ପରିତ୍ୟକ୍ତା ନିର୍ୟାତିତା ଦାମେନୀଙ୍କ ସ୍ୱାମୀ ଗିରଫ୍‌ ହେବା ସହ ତାକୁ କୋର୍ଟ ହାଜତ୍‌କୁ ପଠାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଦାମିନୀ ମେହେର ସେମଲା ଗାଁର ଜଣେ ଗରିବ ପରିବାରର ଝିଅ । ଛୋଟ ବେଳୁ ସେ ତାଙ୍କ ବାପାଙ୍କୁ ହରାଇଛନ୍ତି । ତାଙ୍କର ଦୁଇ ଭାଇ କୁଲି ମଜୁରୀ କରି କୁଟୁମ୍ବ ପ୍ରତିପୋଷଣ କରନ୍ତି । ତେବେ ୨୦୧୧ ମସିହାରେ ଦାମିନୀଙ୍କ ଅନ୍ୟତ୍ର ବାହାଘର ଠିକ୍‌ ହେବା ପରେ ସେମଲା ଗ୍ରାମର ହେମରାଜ ମେହେର ନାମକ ଜଣେ ଯୁବକ ଜାତି ସମାଜକୁ ତଥା ଦାମିନୀଙ୍କ ପରିବାରବର୍ଗଙ୍କୁ ଧମକ୍‌ ଚମକ୍‌ ଦେଇ ଜୋର୍‌ ଜବର୍‌ଦସ୍ତ ଦାମେନୀଙ୍କୁ ଟାଣି ନେଇଥିଲା । ପରେ ଦାମିନୀ ଓ ହେମରାଜ ପତିପତ୍ନୀ ଭାବେ ରହିଥିଲେ ସତ କିନ୍ତୁ ଦାମିନୀଙ୍କୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ଠାରୁ ଅକଥନୀୟ ଅତ୍ୟାଚାର ସହିବାକୁ ପଡ଼ିଥିଲା ବୋଲି ଦାମିନୀ କୋହଭରା କଣ୍ଠରେ କହିଥିଲେ । ଦାମେନୀ ଥରେ ନୁହେଁ କି ଦୁଇ ଥର ନୁହେଁ, ସାତ ସାତ ଥର ଜୋର୍‌ ଜବର୍‌ ତାଙ୍କୁ ଔଷଧ ଖୁଆଇ ଗର୍ଭ ନଷ୍ଟ କରାଯାଇଥିଲା । ପୁଣି ତାଙ୍କ ଉପରେ ଏସିଡ୍‌ ଢାଳି ତାଙ୍କୁ ଜୀବନରେ ମାରି ଦେବା ପାଇଁ ତାଙ୍କ ସ୍ୱାମୀ ପଦକ୍ଷେପ ନେଇଥିବା ସମୟରେ ସେ ଦେହର କପଡ଼ା ଫିଙ୍ଗି ଉଲଗ୍ନ ଅବସ୍ଥାରେ ପଡ଼ିଶା ଘରକୁ ଦୌଡ଼ି ଯାଇ ପ୍ରାଣ ରକ୍ଷା କରିଥିଲେ । ଏହାପରେ ଆଉ ସେ ଅତ୍ୟାଚାର ସମ୍ଭାଳି ନପାରି ୨୦୧୬ ମସିହାରେ ନିଜ ବାପ ଘରକୁ ଚାଲି ଆସି ଜାତି ସମାଜର ଆଶ୍ରୟ ନେଇଥିଲେ । କିନ୍ତୁ ଜାତି ସମାଜ ପକ୍ଷରୁ ଦୁହିଁଙ୍କୁ ଏକାଠି ରଖିବା ପାଇଁ ବାରମ୍ବାର ସଭା ଡକାଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିଲା । ସ୍ୱାମୀ ହେମରାଜ ପତ୍ନୀ ଦାମେନୀକୁ ଗ୍ରହଣ କରିବା ପାଇଁ ସଂପୂର୍ଣ୍ଣ ମନା କରିଦେବା ପରେ ଅନୋନ୍ୟପାୟ ହୋଇ ଦାମେନୀ ଏବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ ଦାମେନୀଙ୍କ ଅଭିଯୋଗ ଗ୍ରହଣରେ ତୁରେକେଲା ଥାନାରେ ଅବହେଳା କରାଯିବାରୁ ଦାମୋନୀ ଗତ ୨୦ ତାରିଖ ଦିନ ବଲାଙ୍ଗିର ସହରକୁ ଆସି ଏସ୍‌ପିଙ୍କ ଠାରେ ଗୁହାରୀ କରିଥିଲା । ତେବେ ସେହି ଦିନ ହିଁ ତୁରେକେଲା ଥାନାରେ ଏହି ମାମଲାରେ ଅଭିଯୁକ୍ତଙ୍କ ନାମରେ ମାମଲା ଦାୟର୍‌ ହେବା ସହ ମୁଖ୍ୟ ଅଭିଯୁକ୍ତ ଦାମେନୀଙ୍କ ସ୍ୱାମୀ ହେମରାଜ ମେହେରକୁ ପୋଲିସ କାବୁ କରିଥିଲା । ତା’ ପରଦିନ ଅଭିଯୁକ୍ତ ହେମରାଜକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ତେବେ ଦଫା ୪୯୮-ଏ. ୩୨୩, ୩୧୩, ୩୨୬-ବି, ୪୨୭, ୫୦୬, ୩୪ ଆଇପିସି ଅଧୀନରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ସ୍ୱାମୀ ହେମରାଜ ସହ ଗାର୍ଗବ ମେହେର, ବନିତା ମେହେର, ରାଜୁ ମେହେର ଏବଂ ପ୍ରେମାନନ୍ଦ ମେହେରଙ୍କ ନାମରେ ମାମଲା ରୁଜୁ କରାଯାଇଛି ।

Leave A Reply

Your email address will not be published.

six + three =

error: Content is protected !!