ଅଙ୍ଗନଦୀରେ ପୋଲ ନିର୍ମାଣ ପାଇଁ ସଜବାଜ

ପଦ୍ମପୁର, (ନିରଞ୍ଜନ ତ୍ରିପାଠୀ) : ଦୀର୍ଘଦିନର ସ୍ୱପ୍ନକୁ ପୂରଣ କରିବା ପାଇଁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ବିଧାୟକ ତଥା ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କ ଆହ୍ୱାନ କ୍ରମେ ପାଇକମାଲ ବ୍ଲକ ଅନ୍ତର୍ଗତ ଚର୍ଦାପାଲି ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟ ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଂଚ ଗିରିଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅଂଚଳର ଶତାଧିକ ଲୋକ ସାମିଲ ହୋଇଥିଲେ । ଲକ୍ଷ୍ୟ ଖୁବ ନିକଟ ଭବିଷ୍ୟତରେ ଯେମିତି ବି ହେଉ ଅଙ୍ଗନଦୀରେ ପୋଲଟିଏ ନିର୍ମାଣ ପାଇଁ ସମସ୍ତଙ୍କ ସହଯୋଗ ରହିବା ଆବଶ୍ୟକ । ଲକ୍ଷ୍ୟପଥରେ ସମସ୍ତେ ଏକାକାର ହୋଇ ଲାଗିଲେ ନିଶ୍ଚିତ ରୂପେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୃଦୟଙ୍ଗମ କରି ଆମମାନଙ୍କ ବହୁଦିନର ପ୍ରତୀକ୍ଷିତ ଅଙ୍ଗନଦୀ ପୋଲର ଦାବୀ ପୂରଣ ହୋଇପାରିବ ବୋଲି ଅନେକେ ମତବ୍ୟକ୍ତ କରିଥିଲେ । ଗତକାଲି ଲଖମରା ଠାରେ ମଧ୍ୟ ଅଙ୍ଗନଦୀ ଉପରେ ପୋଲଟିଏ ନିହାତି ଜରୁରୀ ମନେକରି ସାମ୍ବାଦିକ ମହଲରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ କରାଯାଇଛି । ତାକୁ ଆମ୍ଭେ ସ୍ୱାଗତ କରୁଛୁ । ତା’ସାଙ୍ଗକୁ ଏ ଅଂଚଳଟି ଆଦିବାସୀ ଅଧ୍ୟୁଷିତ ଅଂଚଳ, ତାକୁ ଦୃଷ୍ଟିରେ ରଖି ରାସ୍ତା ଘାଟର ସ୍ଥାୟୀ ପ୍ରତିକାର ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ବିଦ୍ୟୁତିକରଣ ଇତ୍ୟାଦିକୁ ଅଗ୍ରସର ପଥରେ ଆଗେଇ ନେବାକୁ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ ସହ ଅନୁରୋଧ କରାଯାଇଛି । ଏ ପରିପ୍ରେକ୍ଷୀରେ ପାଇକମାଲ ବିଜୁ ଜନତା ଦଳର ସଭାପତି ରାଜେନ୍ଦ୍ର ରାଉତ, ବିଧାୟକଙ୍କ ପ୍ରତିନିଧି ହୃଦାନନ୍ଦ ବାରିକ, ଲଖମରା ଗ୍ରାମପଞ୍ଚାୟତର ବିଜୁଜନତା ଦଳର ସଭାପତି ଅମରେଶ ଭୋଇ, ବାଦିକଟା ଗ୍ରାମପଞ୍ଚାୟତର ବିଜୁଜନତା ଦଳର ସଭାପତି କ୍ଷୀତିଶ ଚନ୍ଦ୍ର ସାହୁ, ସରେଇକେଲା ଗ୍ରାମ ପଞ୍ଚାୟତ ତଥା ନିକଟସ୍ଥ ଚାରିଗୋଟି ପଞ୍ଚାୟତର ଶତାଧିକ କର୍ମୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉକ୍ତ ସଭାରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.