ଆଗଧାଡିର କରୋନା ଯୋଦ୍ଧା ଡାକ୍ତର ଲୋଟସ ମିଶ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ଅନ୍ତର୍ଗତ କଟାପାଲି ଗ୍ରାମ ଗୋଟିଏ ସମୟରେ କରୋନା ସଂକ୍ରମଣ ପାଇଁ ସାରା ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସି ଯାଇଥିଲା । ଠିକ୍‌ ଏହି ସମୟରେ କଟାପାଲି ସିଏଚସି.ରେ କାର୍ୟ୍ୟରତ ଡାକ୍ତର ଲୋଟସ ମିଶ୍ର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ନିଜେ ମଧ୍ୟ ଆକ୍ରାନ୍ତ ହୋଇ ଯାଇଥିଲେ । ଏହାପରେ ତାଙ୍କର ଅଢ଼େଇ ବର୍ଷର ଝିଅକୁ ଏକୁଟିଆ ଛାଡ଼ି କୋଭିଡ଼ ହସପିଟାଲରେ ଚିକିତ୍ସା ପାଇଁ ଭତ୍‌ର୍ତ୍ତି ହୋଇଥିଲେ। କିଛିଦିନ ଚିକିତ୍ସା ହେବା ପରେ ପୁଣି ଥରେ କର୍ମ ହିଁ ଜୀବନ ଭାବି ନିଜର କାର୍ୟ୍ୟରେ ଯୋଗଦାନ କରିଥିଲେ । ଆୟୁଷ ଡାକ୍ତର ଲୋଟସ ମିଶ୍ର ସଂକ୍ରମିତ ହେବା ଏବଂ ଆରୋଗ୍ୟ ଲାଭ କରିବା ପରେ ପୁଣିଥରେ କାର୍ୟ୍ୟରେ ଯୋଗଦାନ କରିବା ବିଷୟ ସମସ୍ତ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଜାତୀୟ ଇଂରାଜୀ ଗଣମାଧ୍ୟମ ଇଣ୍ଡିଆନ ଏକ୍ସପ୍ରେସର ବାର୍ଷିକ ପୂଜା ସଂଖ୍ୟା ଦେବୀରେ ଲୋଟସ ମିଶ୍ରଙ୍କ ବିଷୟରେ ସବିଶେଷ ତଥ୍ୟ ସହିତ ନିକଟରେ ପ୍ରକାଶିତ ହେଲା । ଏହି ଖବର ପ୍ରକାଶିତ ହେବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡାକ୍ତର ଲୋଟସ ମିଶ୍ରଙ୍କୁ ପ୍ରଶଂସା କରିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ସାମାଜିକ ଗଣମାଧ୍ୟମରେ ଇଂରାଜୀ ପତ୍ରିକାର ଖବରଟିକୁ ସାର୍ବଜନୀନ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଡାକ୍ତର ଲୋଟସ ମିଶ୍ର କୃତଜ୍ଞତା ଜ୍ଞାପନ କରିବା ସହିତ ଲୋକଙ୍କ ସେବା କରିବାରେ ଆଗକୁ ଆହୁରି ଉତ୍ସାହିତ ହେବେ ବୋଲି କହିଛନ୍ତି ।

Leave A Reply

Your email address will not be published.