pakka

ପୁରୀରେ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ

bbehera

ପୁରୀ : ପୁରୀ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ଗତକାଲି ତାଳବଣିଆସ୍ଥିତ ଇନଡେ଼ାର ଷ୍ଟାଡ଼ିୟାମ ଠାରେ ପାଳିତ ହୋଇଯାଇଛି । ରାଜ୍ୟ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ପବିତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ । ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ପୁରୀ ଜିଲ୍ଲାବାସୀ, ପ୍ରଶାସନିକ ପଦାଧିକାରୀ, କରୋନା ଯୋଦ୍ଧା, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ମୌଲନା ଆଜାଦ, ଡ.ଆମ୍ବେଦକର, ସରୋଜିନୀ ନାଇଡ଼ୁ, ଡ. ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ଗୋପବନ୍ଧୁ ଚୌଧୁରୀ, ବିର୍ସା ମୁଣ୍ଡା, ସହିଦ ଲକ୍ଷ୍ମଣ ନାୟକ, ମା’ ରମାଦେବୀ, ରଘୁ ଦିବାକର, ମାଳତୀ ଚୌଧୁରୀ, ଡ.ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପରି ମହାନ ସଂଗ୍ରାମୀମାନଙ୍କ ପ୍ରତି ମନ୍ତ୍ରୀ ଶ୍ରୀ ଦାସ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଥିଲେ ଯେ, ଏହି ମହାନ ଜାତୀୟତାବାଦୀ ଦେଶପ୍ରେମୀ ଓ ସଂଗ୍ରାମୀମାନଙ୍କ ଅବିରତ ସଂଗ୍ରାମ, ତ୍ୟାଗ ଓ ବଳିଦାନର ଫଳ ସ୍ୱରୂପ ସ୍ୱାଧୀନତା ପ୍ରାପ୍ତ ଏବଂ ସମ୍ବିଧାନ ଲାଭ ହୋଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ପୀଠ ଶ୍ରୀକ୍ଷେତ୍ର ପୁରୀ, କେବଳ ଆଧ୍ୟାତ୍ମିକ ପୀଠ ନୁହେଁ ବରଂ ବହୁ ମୁକ୍ତି ସଂଗ୍ରାମୀଙ୍କ ଜନ୍ମପୀଠ ଓ କର୍ମପୀଠ ଭାବେ ଅଲିଭା ସ୍ୱାକ୍ଷର ବହନ କରିଛି । ଅବିଭକ୍ତ ପୁରୀ ଜିଲ୍ଲାରୁ ମହାନ ବିପ୍ଲବୀ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ଚାଖି ଖୁଣ୍ଟିଆ, ଉକ୍ରଳମଣି ଓ ପଞ୍ଚସଖାମାନଙ୍କ ଭାରତର ସ୍ୱାଧୀନତା ଓ ରାଷ୍ଟ୍ର ଗଠନରେ ଅମୂଲ୍ୟ ଅବଦାନ ଆଜି ଉତ୍ତରପିଢ଼ି ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇରହିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ ଆହୁରି ମଧ୍ୟ କହିଥିଲେ ଯେ, ସାଧାରଣତନ୍ତ୍ର ଦିବସ ପ୍ରତ୍ୟେକ ଭାରତୀୟମାନଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ଆମ ସମ୍ବିଧାନ ହେଉଛି ଦେଶର ବୁଦ୍ଧିଜିବୀ, ଚିନ୍ତାନାୟକ, ରାଷ୍ଟ୍ରନୀତିଜ୍ଞ ଏବଂ କିମ୍ବଦନ୍ତୀ ନେତୃବର୍ଗଙ୍କ ଚିନ୍ତନ ଓ ଫଳପ୍ରସୂ ନିଷ୍କର୍ଷ । ଏହି ଲିଖିତ ବୃହତ ସମ୍ବିଧାନ ଆମ ଜାତିର ପ୍ରାଣପିଣ୍ଡ । ସମ୍ବିଧାନ ପ୍ରତି ଅନୁରୁକ୍ତ ରହି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ରହି ବାସ୍ତବ କ୍ଷେତ୍ରରେ ସେଥିରେ ଥିବା ନିୟମାବଳୀକୁ ଦେଶ ହିତରେ ପ୍ରୟୋଗ କଲେ ଦେଶର ବିକାଶ ପାଇଁ ମହାନ ସଂଗ୍ରାମୀମାନେ ଦେଖିଥିବା ସ୍ୱପ୍ନ ସାକାର ହୋଇପାରିବ । ଚଳିତ ବର୍ଷ ସାରା ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି “ଆଜାଦୀ କା ଅମୃତ ମହୋତ୍ସବ” ପାଳନ କରୁଛି । ମହାନ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ଦେଶ ‘ପରାକ୍ରମ ଦିବସ’ ଭାବେ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପୁରୀସ୍ଥିତ ନେତାଜୀ ମ୍ୟୁଜିୟମ ଏହି ମହାନ ସଂଗ୍ରାମୀଙ୍କ ଅଭୁଲା ଅତୀତ ଓ ପୁରୁଣା ସାଇତା ସ୍ମୃତି ବହନ କରୁଛି । ପୁରୀର ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟ ମନ୍ଦିର, ମା’ ରାମଚଣ୍ଡୀ, କାକଟପୁରର ମା’ ମଙ୍ଗଳା, ବ୍ରହ୍ମଗିରିର ଅଲାରନାଥ, ସତ୍ୟବାଦୀର ସାକ୍ଷୀଗୋପାଳ ମନ୍ଦିର, ସ୍ୱର୍ଣ୍ଣାଭ ବେଳାଭୂମି, ନୀଳାମ୍ବୁ ଚିଲିକା, ଓଡ଼ିଆ ଭାଗବତର ପ୍ରଣେତା ଜଗନ୍ନାଥ ଦାଶଙ୍କ ଜନ୍ମପୀଠ କପିଳେଶ୍ୱରପୁର, ଭକ୍ତ ଦାସିଆ ବାଉରୀଙ୍କ ଜନ୍ମପୀଠକୁ ନେଇ କେବଳ ପୁରୀ ନୁହେଁ, ବରଂ ସମଗ୍ର ଓଡ଼ିଶାବାସୀ ଗର୍ବ କରନ୍ତି । ମହାମାରୀ କରୋନାର ମୁକାବିଲା ନିମନ୍ତେ ମୁଖ୍ୟ ଅତିଥି ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ଆଜିର ଏହି ମହାର୍ଘ ଅବସରରେ ମହାନ ସଂଗ୍ରାମୀ, ନେତୃବୃନ୍ଦ, ସମ୍ବିଧାନ ପ୍ରଣେତା ମାନଙ୍କ ଅବଦାନ, ଚରମ ତ୍ୟାଗ ଓ ବଳିଦାନକୁ ମନେ ପକାଇ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତବର୍ଷ ଗଠନରେ ସଂକଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ କରୋନା ଯୋଦ୍ଧା ଭାବେ ଜିଲ୍ଲାର ସମସ୍ତ ଡାକ୍ତର, ନର୍ସ, ଫାର୍ମାନିଷ୍ଟ, ପୋଲିସ, ଆଶା, ଅଙ୍ଗନୱାଡ଼ି କର୍ମୀ, ସଫେଇ କର୍ମଚାରୀ, ରେଡ଼କ୍ରସ ପାଇଁ ସର୍ବାଧିକ ପାଣ୍ଠି ସଂଗ୍ରହରେ ସହଯୋଗ ନିମନ୍ତେ ଜିଲ୍ଲା ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନା, ହ୍ୱିଲ ଚେୟାର ମାଧ୍ୟମରେ ଗୋଟିଏ ଦିନରେ ୨୫୪.୧ କିଲୋମିଟର ଯାତ୍ରା କରି ଗିନିଜ ବୁକ ରେକଡର଼୍ କରିଥିବା ବ୍ରହ୍ମଗିରିର କମଳକାନ୍ତ ନାୟକଙ୍କୁ ୩୦ହଜାର ଟଙ୍କା ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡ.କନୱାର ବିଶାଲ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ଉପ ଜିଲ୍ଲାପାଳ ଭବତାରଣ ସାହୁ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ସିଡ଼ିଏମଓ ଡ.ପ୍ରଣବ ଶଙ୍କର ଦାଶ, ତହସିଲଦାର ରବିନ୍ଦ୍ର ପ୍ରଧାନ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜିତେନ୍ଦ୍ର ପାତ୍ର ଏବଂ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ରିଜର୍ଭ ଇନିସ୍‌ପେକ୍ଟର ଚନ୍ଦ୍ରଶେଖର ଦାଶ ପ୍ୟାରେଡ଼ ପରିଚାଳନା କରିଥିଲେ । ଏହାପରେ ମୁଖ୍ୟଅତିଥି ସ୍ଥାନୀୟ ଉକ୍ରଳ ବାଳାଶ୍ରମରେ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ରେଡ଼କ୍ରସ ପକ୍ଷରୁ ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ମନ୍ତ୍ରୀ ଶ୍ରୀ ଦାସ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ପ୍ରାତଃ ସମୟରେ ସହରରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ ପରିବେଷଣ କରାଯିବା ସହ ପୌରସଂସ୍ଥା ପକ୍ଷରୁ ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।

Leave A Reply

Your email address will not be published.

7 − 6 =