csstore

କାଲି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ଓମ୍ସାର ଗୁରୁତ୍ୱପୂର୍ଣ୍ଣ ବୈଠକ : ଡାକ୍ତରୀ ଧର୍ମଘଟର ଅନ୍ତ ଘଟିବ କି ?

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଏବଂ ରୋଗୀଙ୍କ ନାହିଁ ନଥିବା ଅସୁବିଧାକୁ ଦେଖି ଶେଷରେ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ବିଗତ ୩ ଦିନ ଧରି ଚାଲିଥିବା ଡାକ୍ତରୀ ଆନ୍ଦୋଳନ ମଧ୍ୟରେ ଆସନ୍ତାକାଲି ଏକ ବଡ଼ ନିଷ୍ପତ୍ତି ହୋଇପାରେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ଚିଠି ନମ୍ବର ୧୮୩୫୨ /ଏଚ୍‌ ଅନୁସାରେ, ସ୍ୱାସ୍ଥ୍ୟ ମନ୍ତ୍ରୀ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ (ଓମ୍ସା)କୁ ଆଲୋଚନା ପାଇଁ ଡାକିଛନ୍ତି । ଓମ୍ସାର ବିଭିନ୍ନ ଦାବି ଉପରେ ଆଲୋଚନା କରିବା ପାଇଁ ଆସନ୍ତା ୦୪.୦୭.୨୦୨୬ (ଶନିବାର) ପୂର୍ବାହ୍ନ ୧୧:୩୦ ମିନିଟରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏଥିପାଇଁ ଓମ୍ସାର ରାଜ୍ୟ ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ଓ ସାଧାରଣ ସମ୍ପାଦକ ଡାକ୍ତର ସଞ୍ଜୀବ କୁମାର ପ୍ରଧାନଙ୍କୁ ସରକାରଙ୍କ ତରଫରୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇଛି । ଚିଠିରେ ସ୍ୱାସ୍ଥ୍ୟ ସେବାକୁ ତୁରନ୍ତ ସ୍ୱାଭାବିକ କରିବା ସହ ଏହି ବୈଠକରେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି । ଗତ ୩ ଦିନ ହେବ ଡାକ୍ତରମାନେ ଆନ୍ଦୋଳନରେ ଥିବାରୁ ରାଜ୍ୟର କୋଣ ଅନୁକୋଣରେ ରୋଗୀ ସେବା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ବିଶେଷ କରି ଗରିବ ଓ ସାଧାରଣ ଲୋକେ ମେଡିକାଲ ଆସି ନାହିଁ ନଥିବା ହଇରାଣ ହେଉଛନ୍ତି । ଆସନ୍ତାକାଲିର ଏହି ବୈଠକ ଉପରେ କେବଳ ଡାକ୍ତର ସଂଘ ନୁହେଁ, ବରଂ ସାରା ରାଜ୍ୟର ଜନସାଧାରଣ ଓ ରୋଗୀ ମାନଙ୍କର ନଜର ରହିଛି । ସମସ୍ତେ ଆଶା ରଖିଛନ୍ତି ଯେ, କାଲିର ଆଲୋଚନା ସକାରାତ୍ମକ ହେବ, ସରକାର ଡାକ୍ତରଙ୍କ ନ୍ୟାର୍ଯ୍ୟ ଦାବି ପୂରଣ କରିବେ ଏବଂ ଡାକ୍ତରମାନେ ଆନ୍ଦୋଳନରୁ ଓହରିଯିବେ । ଯଦି ଏହି ବୈଠକ ସଫଳ ହୁଏ, ତେବେ ଆଗାମୀ ଦିନରେ ରୋଗୀ ସେବା ପୁଣିଥରେ ସୁରୁଖୁରୁରେ ଚାଲିପାରିବ ବୋଲି ସାଧାରଣରେ ବିଶ୍ୱାସ ପ୍ରକାଶ ପାଇଛି ।

jayashree
Leave A Reply

Your email address will not be published.