
- ୩୦କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ପଞ୍ଚାୟତି ହାଇସ୍କୁଲ ପରିସରରେ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାର ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କ ବ୍ଲକସ୍ତରୀୟ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କର୍ଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀମନ୍ତ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶ୍ରୀବତ୍ସ ବେହେରା ଓ ବିଇଓ ଶାନ୍ତନୁ କୁମାର ପଢିହାରୀ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏବିଇଓ କୋଦଣ୍ଡଧର ଭୋଇ, ବରିଷ୍ଠ ସାମ୍ବାଦିକ ଭଗବାନ ମହାନ୍ତି, ମୁରିବାହାଲ ପଞ୍ଚାୟତି ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁଶାନ୍ତ କୁଅଁର, ମାଲିଶିରା ହାଇସ୍କୁଲ ପ୍ରଧାନଶିକ୍ଷକ ପୁରୁଷୋତ୍ତମ ବାଗ ଓ ସଦର ସିଆର୍ସିସି ହୃଷିକେଶ ଶିକା ମଞ୍ଚାସୀନ ଥିଲେ । ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ସଫଳତା ପଛର ପ୍ରସ୍ତୁତି, ଅଧ୍ୟବସାୟ ଓ ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୨୦୨୬ ମ୍ୟାଟ୍ରିକ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ବ୍ଲକର ୩୦ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବିଇଓ ଶ୍ରୀ ପଢିହାରୀ ଓ ଏବିଇଓ ଶ୍ରୀ ଭୋଇ ଦେବଙ୍ଗ ଇନ୍ଦିରାଗାନ୍ଧୀ ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାମରତନ ମେହେର, ଗାଁରେଇ ଡ. ଭୀମରାଓ ଆମ୍ବେଦକର ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କୃତିବାସ ଦାସ ଏବଂ ବ୍ଲକରେ ନୂତନ ଭାବେ ଯୋଗଦେଇଥିବା ପ୍ରଧାନ ଶିକ୍ଷକ-ଶିକ୍ଷୟତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ । ବ୍ଲକ ଟପ୍ପର ଛାତ୍ରୀ ଧରିତ୍ରୀ ଘିଭେଲା ନିଜର ଅନୁଭୂତି ବାଣ୍ଟି କହିଥିଲେ ଯେ, ନିୟମିତ ଅଧ୍ୟୟନ, ସମୟ ପରିଚାଳନା, ଗୁରୁଜନଙ୍କ ମାର୍ଗଦର୍ଶନ ଓ ଆତ୍ମବିଶ୍ୱାସ ଯୋଗୁଁ ସେ ସର୍ବାଧିକ ନମ୍ବର ରଖି ବ୍ଲକ ଟପ୍ପର ହୋଇପାରିଥିବା ପ୍ରକାଶ କରିଥିଲେ । ଅତିଥିବୃନ୍ଦ ମେଧାବୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ହାଇସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଯୋଗ ଦେଇଥିଲେ । ତେନ୍ତୁଲିଖୁଣ୍ଟି ହାଇସ୍କୁଲ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟ କୁମ୍ଭାର ମଞ୍ଚ ପରିଚାଳନା କରିଥିବା ବେଳେ ମୁରିବାହାଲ ପଞ୍ଚାୟତି ହାଇସ୍କୁଲର ବରିଷ୍ଠ ଶିକ୍ଷକ ହେମନ୍ତ ନାଗ ଧନ୍ୟବାଦ ଦେଇଥିଲେ ।
