ସଦ୍‌ଭାବନା ସାଇକେଲ ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ରର ମାଣିକ୍ୟ ଜୟନ୍ତୀ ଅବସରରେ ଦୁଇ ଦିନିଆ ସଦ୍‌ଭାବନା ସାଇକେଲ ଯାତ୍ରା ସଦ୍‌ଭାବନାର ବାର୍ତ୍ତା ପ୍ରଚାର କରି ବଲାଙ୍ଗିର ଫେରି ଆସିଛନ୍ତି । ଏହି ସାଇକେଲ ଯାତ୍ରାକୁ ତେଲିଗୋଠପଡା ରାଧାକୃଷ୍ଣ ମନ୍ଦିରରୁ ଦାମୋଦର ମିଶ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପ୍ରଥମ ଦିନରେ ସାଇକେଲ ଯାତ୍ରୀମାନେ କିରାବାହାଲ, ଖଲିଆପାଲି, ବଘାପାଲି, ପିପ୍‌ଲି, ବଂଜାରୀ ଓ କୁଶଙ୍ଗରେ ରାତ୍ରି ରହଣି କରିଥିଲେ । ପରଦିନ ବୁରୋମୁଣ୍ଡା, ତଲିଉଡାର, ଫଟାବାହାଲ, ଜାମୁଟିଆ, ଚନ୍ଦନଭାଟି, କଅଗାଁ, କନ୍ଧପାଲିପଡା, ବରପାଲିପଡା, ବ୍ରାହ୍ମଣପଡା ଦେଇ ବଲାଙ୍ଗିର ଫେରି ଆସିଥିଲେ । ଆମ ଦେଶ ସ୍ୱାଧିନ ହେବାର ୭୬ ବର୍ଷ ବିତିଯଇଥିଲେ ମଧ୍ୟ ଆମ ଭିତରେ ଦାୟିତ୍ୱ, କର୍ତ୍ତବ୍ୟ, ସଚେତନତା ଓ ଜୀବନର ମୂଲ୍ୟବୋଧକୁ ଭଲ ଭାବରେ ହୃଦୟଙ୍ଗମ କରିପାରିନାହୁଁ ବୋଲି ଅନୁଭବ ହୁଏ । ଏଥିପାଇଁ ଆଜି ମଧ୍ୟ ବାଲ୍ୟ ବିବାହ, କନ୍ୟାଭୃଣ ହତ୍ୟା, ନାରୀ ନିର୍ଯ୍ୟାତନା, ଶିଶୁ ନିର୍ଯ୍ୟାତନା, ପରିବେଶ ସୁରକ୍ଷାରେ ଅବହେଳା ତଥା ଅନ୍ଧ ବିଶ୍ୱାସ ଭଳି କୁତ୍ସିତ ଭାବନା ଗୁଡିକରୁ ମୁକୁଳି ପାରୁନାହିଁ । ଉପରୋକ୍ତ ବିଷୟ ଗୁଡିକୁ ପ୍ରତ୍ୟେକ ଗ୍ରାମରେ ପଥପ୍ରାନ୍ତ ସଭା ଓ ସଭା ଆୟୋଜନ କରି ଜନସାଧାରଣଙ୍କୁ ବୁଝାଇବାକୁ ଚେଷ୍ଟା କରାଯାଇଥିଲା । ଡ. ପ୍ରେମଚନ୍ଦ ମହାନ୍ତି, ଜୟରାମ ମିଶ୍ର, ଗୋପାଳ ହୋତା, ମଧୁ ସାହୁ, କସ୍ତୁରୀ ରଥ, ସୁରଥ ସାହୁ, କେଶବ ଚନ୍ଦ୍ର ମିଶ୍ର, କପିଳ ପତି, ହୃଷିକେଶ ପୁରୋହିତ ଓ ମଦନ ମୋହନ ରଥ ପ୍ରମୁଖ ସଭାମାନଙ୍କରେ ବକ୍ତବ୍ୟ ରଖିଥିଲେ । ଏହି ସାଇକେଲ ଯାତ୍ରା ସଂପାଦକ ମଧୁ ସାହୁ ଓ ପୂଜ୍ୟପୂଜା ସେବା ସଂଗଠନର ସଭାପତି କେଶବ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଓ ଧିରେନ୍ଦ୍ର ନାରାୟଣ ସିଂହଦେଓ ଓ ସୁନାଧର ବନଛୋରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ସାଇକେଲ ଯାତ୍ରାରେ ଦୁର୍ଗା ଚରଣ ସାହୁ, ଅରୁଣ ଖୁଆସ, କହ୍ନେଇ ଭରାସାଗର, ଅଶୋକ ରାୟ, ସୁଧାଂଶୁ ନାୟକ, ଭୀମସେନ ସାହୁ, ଡ. ଭବାନୀ ଶଙ୍କର ପଟେଲ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ରାମ ଶଙ୍କର ଶତପଥୀ, ରିଙ୍କୁ ରାଉତ, ଆକାଶ ପାତ୍ର ଓ ମଦନ ମୋହନ ରଥ ଭାଗ ନେଇଥିଲେ । ଫେରିଲା ସମୟରେ ବ୍ରାହ୍ମଣପଡା ଭାଗବତ ମନ୍ଦିର କମିଟି ଓ ଆଦ୍ୟାଶକ୍ତି ନାରୀ ସଂଗଠନ ତରଫରୁ ଟିକ୍ରାପଡା ରାମ ମନ୍ଦିର ଠାରେ ସ୍ୱାଗତ ଜଣାଇଥିଲେ । ଉଦ୍‌ଯାପନୀ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଧର୍ମବ୍ରତ ରଥ, ବିବେକାନନ୍ଦ ମିଶ୍ର ଅତିଥି ଭାବରେ ଯୋଗ ଦେଇ ସ୍ୱାଗତ ଜଣାଇଥିଲେ । ଶେଷରେ ମାଳତୀ ଉଦ୍‌ଗାତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.