
- ୨୪ ଦିନ ପରେ ମଧ୍ୟ ଅଭିଯୁକ୍ତଙ୍କୁ ଧରୁନି ପୋଲିସ, ନ୍ୟାୟ ପାଇଁ ପୀଡିତ ପରିବାର ଥାନାର ଦ୍ୱାରସ୍ଥ
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ କୁଣ୍ଡାବୁଟୁଲା ଗାଁରେ ଜମି ବିବାଦକୁ ନେଇ ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ଘଟିବାର ୨୪ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ପାରୁନି ବଙ୍ଗୋମୁଣ୍ଡା ପୋଲିସ । ନ୍ୟାୟ ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପୀଡିତ ପରିବାର ତଥା ସମ୍ପର୍କୀୟ ମାନେ ବଙ୍ଗୋମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସୂଚନା ଅନୁସାରେ ,ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଥାନା କୁଣ୍ଡାବୁଟୁଲା ଗାଁର ଲଳିତ ରଣା(୪୮) ଗତ ସେପ୍ଟେମ୍ବର ୨୦ ତାରିଖ ଦିନ ଭାଲୁମୁଣ୍ଡାକୁ କୌଣସି କାମରେ ଯାଇ ନିଜ ଗାଁକୁ ରାତିରେ ଫେରୁଥିବା ବେଳେ ଜମିବାଡ଼ି ବିବାଦକୁ ନେଇ ଗାଁର ସମ୍ପର୍କୀୟ କ୍ଷମାସାଗର ରଣା, ଗୁରୁଚରଣ ରଣା, ରଞ୍ଜନ ରଣା, ଭୂଜନ ରଣା ଠେଙ୍ଗା ବାଡ଼ିରେ ମରଣାନ୍ତକ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୂଆପଡା ଜିଲ୍ଲା ଖଡ଼ିଆଳ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟପୁର ବାଲାଜୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ୨୪ ଦିନ ପରେ ମଧ୍ୟ ଅଭିଯୁକ୍ତଙ୍କୁ ଗିରଫ କରି ପାରୁନି ପୋଲିସ । ଆଜି ନ୍ୟାୟ ପାଇଁ ପୀଡିତ ପରିବାର ବଙ୍ଗୋମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ ।