
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ରଙ୍ଗେଈଲୁଣ୍ଡା ଠାରେ ଅବସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ଦ୍ୱାରା ପରିଚାଳିତ ରାଜ୍ୟର ଏକମାତ୍ର ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ନାଟ୍ୟ,ସାହିତ୍ୟ ଓ ସାଂସ୍କୃତିକ ସଂସଦର ବାର୍ଷିକ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ ସମାହିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ଦାସ ସଭାପତିତ୍ୱ କରି ଅନେକ ଶିକ୍ଷଣୀୟ ଓ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିଥିଲେ । ଅଲ-ଇଣ୍ଡିଆ ରେଡ଼ିଓ (ବ୍ରହ୍ମପୁର ଷ୍ଟେସନ୍)ର ପୂର୍ବତନ କାର୍ଯ୍ୟକ୍ରମ ନିଷ୍ପାଦକ ହୃଷିକେଶ ପାଣିଗ୍ରାହୀ, ମୁଖ୍ୟଅତିଥି ଭାବରେ ଯୋଗଦେଇ ନିଜ କଣ୍ଠ ସଙ୍ଗୀତ ର ତାଳେ ତାଳେ ଛାତ୍ରଛାତ୍ରୀ ମାନଙ୍କୁ ଖୁସି ମନାଇଥିଲେ । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସହକାରୀ କଲେକ୍ଟର ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଆଦିତି ଆଚାର୍ଯ୍ୟ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅନେକ ଦିଗଦର୍ଶନ ଦେବା ସାଂଗକୁ ଉଚିତ୍ ପରାମର୍ଶ ଦେଇଥିଲେ । ଗୁରୁକୁଳ ଗୃପ ଅନୁଷ୍ଠାନର ଅଧ୍ୟକ୍ଷ, ପ୍ରଶାନ୍ତ ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମତ୍ସ୍ୟ ବିଜ୍ଞାନ ଉପରେ ଗୁରୁତ୍ୱାରୋପ କରି ସାହିତ୍ୟ, ସଂସ୍କୃତିର ମହତ୍ତ୍ୱ ପ୍ରତିପାଦନ କରିଥିଲେ । ନାଟ୍ୟ ବିଭାଗରେ ଭୂମିକା ସାହୁ ଡ୍ରାମାଟିକରେ ଚାମ୍ପିୟନ ହୋଇଥିବା ବେଳେ ସାହିତ୍ୟ ବିଭାଗରେ ଅମ୍ରିତା ଛୁଆଳସିଂହ ଲିଟେରାରୀ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଥିଲେ । କଳା, ସାଂସ୍କୃତିକ ପ୍ରତିଯୋଗିତା କ୍ଷେତ୍ରରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଫେସର ତଥା ସାହିତ୍ୟ ସଂସଦ ଉପଦେଷ୍ଟା ଡ଼. ସୁଶାନ୍ତ କୁମାର ପାତ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ନାଟ୍ୟ କ୍ଲବର ଚେୟାରମ୍ୟାନ, ଜୀବନ ଜ୍ୟୋତି ମାହାଳିକ, ନାଟ୍ୟ ସଂସଦ ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ, ସାହିତ୍ୟ ସଂସଦର ଚେୟାରମ୍ୟାନ ମୁନି ସୋହମ୍ ଭୂୟାଁ ସାହିତ୍ୟ ସଂସ୍କୃତିର ପ୍ରଗତି ଦିଗରେ କରାଯାଇଥିବା କାର୍ଯ୍ୟକ୍ରମ ସମ୍ବନ୍ଧୀୟ ବାର୍ଷିକ ବିବରଣୀ ପାଠ କରିଥିଲେ । ନାଟ୍ୟ କ୍ଲବର କୋ-ଚେୟାରମ୍ୟାନ ସୁଶ୍ରୀ ଅଲିଭା ଜେନା, ସାହିତ୍ୟ କ୍ଲବର କୋ-ଚେୟାରମ୍ୟାନ ସୁଶ୍ରୀ ଏଲିନା ଶୁଭ୍ରଦର୍ଶିନୀ ଛାତ୍ର କମିଟିର ପ୍ରତିନିଧି କାହ୍ନା ନାହାକ ଓ ରଣଜିତ କୁମାର ସାହୁ କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ । ମହାବିଦ୍ୟାଳୟର ଡିନ୍, ତଥା ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ପରାମର୍ଶ ଓ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନେ ସରସ ଶୃଙ୍ଖଳିତ ଭାବରେ ବାର୍ଷିକ ଉତ୍ସବ ପାଳନ କରିଥିଲେ । ସାନ୍ଧ୍ୟ ରଜନୀରେ ଆୟୋଜିତ ମନୋରମ ବାଦ୍ୟଯନ୍ତ୍ର ତଥା ବ୍ୟାଣ୍ଡ ଧ୍ୱନିରେ ବର୍ଣ୍ଣାଢ଼୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଲୋକପ୍ରିୟ ଗାୟକ ସୋମନାଥ ସାହୁ ଓ ମିସ ସ୍ୱୀକୃତୀ ସାହୁଙ୍କ ସମେତ ଭୁବନେଶ୍ୱର ବାଦଶାହ ପ୍ରମୁଖ ପ୍ରତିଷ୍ଠିତ କଳାକାରଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇ ଅଗଣିତ ଦର୍ଶକଙ୍କୁ ବିମୋହିତ କରିଦେଇଥିଲା । ଶେଷରେ ସହକାରୀ ପ୍ରଫେସର ତଥା ନାଟ୍ୟ ସଂସଦର ଉପଦେଷ୍ଟା ତଥା ସ୍ତମ୍ଭକାର ଡ଼ଃ. ଗଣେଶ ଚନ୍ଦ୍ର କୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।