ଜମାକାରୀ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

ଗୁଡଭେଲା, (କେପିଏନ୍‌ଏସ୍‌) : ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଞ୍ଚୟ, ଋଣ, ବୀମା ଇତ୍ୟାଦି ବ୍ୟାଙ୍କ ସେବା ଗୁଡ଼ିକର ପ୍ରତ୍ୟେକ ଦିନ ଆବଶ୍ୟକ ହୋଇଥାଏ । ବିମୁଦ୍ରାକରଣ ତଥା କୋଭିଡ୍‌ର ପରବର୍ତ୍ତୀ ସମୟରେ ଡିଜିଟାଲ କାରବାର ପ୍ରତି ଲୋକପ୍ରିୟତା ବଢ଼ି ଚାଲିଛି । ଗ୍ରାମାଞ୍ଚଳର ବାସିନ୍ଦାମାନେ ବ୍ୟାଙ୍କ ଗୁଡ଼ିକର ବିଭିନ୍ନ ସେବା ବିଷୟରେ ସଠିକ୍ ଭାବେ ଜାଣି ନଥିବା ଯୋଗୁଁ ବିଭିନ୍ନ ସମୟରେ ଠକାମୀର ଶିକାର ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଜମାକାରୀ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ସାରା ଦେଶରେ ଆରମ୍ଭ କରିଛି ।

ଏହି ପରିପ୍ରେକ୍ଷୀରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ, ସାଧନ ନୂଆଦିଲ୍ଲୀ ସହାୟତାରେ ଓ ସମ୍ପର୍କ ଫିନ୍ ସର୍ଭିସେସ ପ୍ରାଇଭେଟ୍ ଲିମିଟେଡ ଆୟୋଜନରେ ଗୁଡଭେଲା ସ୍ଥିତ ବ୍ଲକ୍ ସମ୍ମିଳନୀ କକ୍ଷଠାରେ ଏକ ଆର୍ଥିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଗୁଡଭେଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ଵର ଭୋଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଦୋରା, ‘ସଂପର୍କ’ର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗୁଡଭେଲା ଶାଖା ପରିଚାଳକ ଦେବାଶିଷ ସାହୁ ପ୍ରମୁଖ ମିଳିତ ଭାବରେ ଉଦ୍‌ଘାଟନ କରିଥିଲେ । ଗୁଡ଼ଭେଲା ବ୍ଲକର ତେନ୍ତୁଳିଖୁଣ୍ଟି, ଗୁଡ଼ଭେଲା, ମାଢେକେଲା, ଦେଉଲ୍‌ଗୁଡି ଗ୍ରାମ ପଞ୍ଚାୟତରୁ ଶହେ ଜଣ ସ୍ୱୟଂ ସହାୟକ ଦଳର ସଭ୍ୟାମାନେ ଉପସ୍ଥିତ ଥିଲେ । ତାଲିମଦାତା ଭାବରେ ଅଶୋକ କୁମାର ମେହେର ଏବଂ ହୃଷୀକେଶ ସାହୁ ଯୋଗଦାନ କରି ଆର୍ଥିକ ସାକ୍ଷରତା ଉପରେ ତାଲିମ ପ୍ରଦାନ କରିଥିଲେ । ସୁରକ୍ଷିତ ବ୍ୟାଙ୍କ ଜମା, ସୁରକ୍ଷିତ ଆର୍ଥିକ ବିନିଯୋଗ, ବ୍ୟାଙ୍କିଙ୍ଗ ସମସ୍ୟା ଏବଂ ଏ ଗୁଡ଼ିକର ସମାଧାନ, ସରକାରୀ ବୀମା ଯୋଜନା ଆଦି ବିଷୟରେ ଦୃଶ୍ୟ ଶ୍ରାବ୍ୟ ପଦ୍ଧତିରେ ଆଲୋଚନା କରିବା ସହିତ ବିଭିନ୍ନ ପ୍ରଶ୍ନ ଗୁଡିକର ଉତ୍ତର ଦେଇଥିଲେ । ସାଧନ ନୂଆଦିଲ୍ଲୀରୁ ସୌଭିକ୍ ଶାହା ଏବଂ ଶ୍ୟାମଶ୍ରୀ ନନ୍ଦନ ଆଜିର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମଟିକୁ ହୃଷୀକେଶ ସାହୁ ପରିଚାଳନା କରିଥିବା ବେଳେ କ୍ଷୀରୋଦ ସାହୁ, ଚୁଲେଶ୍ୱର ବାଗ, ଲବ ପଧାନ, ଖଗେଶର ରଣା ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.