ରାଜ୍ୟସଭା ସାଂସଦଙ୍କ କାର୍‌ ଧକ୍କାରେ ସ୍କୁଟି ଚାଳକ ମୃତ

ପାଟଣାଗଡ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନସ୍ଥ ତମିଆଁ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ସାଢେ ୧୧ଟା ବେଳେ ଗୋଟିଏ ସ୍କୁଟିକୁ କାର୍‌ ଧକ୍କା ଦେଇଥିବା ବେଳେ ସ୍କୁଟି ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ମୃତକ ଯୁବକ ଜଣକ ଲରମ୍ଭା ଥାନା ଅନ୍ତର୍ଗତ ଇନ୍ଦପୁର ଗ୍ରାମର ଟଙ୍କଧର ବିଶ୍ୱାଳ(୩୦) ବୋଲି ଜଣାପଡିଛି । ମୃତକ ଜଣକ ତାଙ୍କ ସ୍କୁଟି ନଂ. ଓଡି୦୩ଡି-୭୬୦୯ରେ ପାଟଣାଗଡ଼କୁ କୌଣସି କାମରେ ଆସୁଥିବା ବେଳେ ଦ୍ରୁତ ଗତିରେ ଯାଉଥିବା ଓଡି୦୩ଏକ୍ସ-୪୬୧୩ ନମ୍ବର ବିଶିଷ୍ଟ କାର୍‌ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିଲା । ତେବେ ଦୁର୍ଘଟଣା ପରେ କାର୍‌ ଭିତରେ ଥିବା ସମସ୍ତ ଲୋକ ଫେରାର୍‌ ମାରିଥିବା ବେଳେ ଲରମ୍ଭା ପୋଲିସ ପାଖରେ କାର୍‌ ଡ୍ରାଇଭର ଆତ୍ମସମର୍ପଣ କରିଥିବା ଜଣାପଡିଛି । ଧକ୍କା ଦେଇଥିବା କାର୍‌ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ବୋଲି ସୂଚନା ମିଳିଛି । ଦୁର୍ଘଟଣା ସ୍ଥଳରୁ କାର୍‌ ଡ୍ରାଇଭର ଗିରଫ ହୋଇଥିବା ବେଳେ କାର ଭିତରେ କିଏ କିଏ ଥିଲେ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ଶବକୁ ଜବତ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ପାଟଣାଗଡ଼ ଥାନାଧିକାରୀ ଅନନ୍ତ ପଧାନ ସୂଚନା ଦେଇଛନ୍ତି । ସୂଚନାଥାଉ କି ଆଜି ବାଗମୁଣ୍ଡ ପଞ୍ଚାୟତ ଅନ୍ତର୍ଗତ ଖୋଲାଗଡ଼ ଗ୍ରାମରେ ଶୀତଳଷଷ୍ଠୀ ପୂଜା ଉପଲକ୍ଷେ ଆୟୋଜିତ ସଭାରେ ସାଂସଦ ଶ୍ରୀ ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା ।

Leave A Reply

Your email address will not be published.

twelve + 11 =