ଗାଈକୁ ମାରି ଖାଇଲା କଲରାପତରିଆ ବାଘ

ତିଗିରିଆ : ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ତିଗିରିଆ ସୋରିଷପାଳ ଜଙ୍ଗଲରେ ଶୁକ୍ରବାର ଅପରାହ୍ନରେ କଲରାପତରିଆ ବାଘ ଏକ ଗାଈକୁ ଶିକାର କରି ଖାଇଦେଇଥିବା ଜଣାପଡ଼ିଛି । ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ସୋରିଷପାଳ ଜଙ୍ଗଲକୁ ଗୋରୁଗୋଠ ଚରିବାକୁ ଯାଇଥିଲେ । ତେବେ ଗୋଠ ଫେରିବା ପରେ ଗୋଡିଝରିଆ ଗରପଡ଼ାର ଜୟନ୍ତୀ ପରିଡାଙ୍କ ଗୋଟିଏ ଗାଈ ଘରକୁ ଫେରିନଥିଲା । ଫଳରେ ପରିବାର ଲୋକେ ବହୁ ଖୋଜାଖୋଜି କରି ଶନିବାର ଜଙ୍ଗଲ ମଧ୍ୟରେ ଗାଈର ମୃତଦେହ ଦେଖିବାକୁ ପାଇଥିଲେ । ଗାଇଟିକୁ କୌଣସି ବନ୍ୟଜନ୍ତୁ ଆକ୍ରମଣ କରି ଖାଇଦେଇଥିବା ସନ୍ଦେହ ସୃଷ୍ଟି ହେବାରୁ ଲୋକେ ବନବିଭାଗକୁ ଖବର ଦେଇଥିଲେ । ଆଠଗଡ଼ ବନଖଣ୍ଡ ଅଧିକାରୀ ଡ. ଯଜ୍ଞଦତ୍ତ ପତିଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ବନାଞ୍ଚଳ ଅଧିକାରୀ ରବିନ୍ଦ୍ର କୁମାର ନାୟକଙ୍କ ନେତୃତ୍ୱରେ ତିଗିରିଆ ବନପାଳ ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲେ । ଗାଈଟିର ଶରୀରକୁ ଫାଳଫାଳ କରି କଲରାପତରିଆ ବାଘ ଖାଇଦେଇଥିବା ଜଣାପଡ଼ିଥିଲା । ଏହାପରେ ତିଗିରିଆ ପ୍ରାଣୀ ଚିକିତ୍ସକ ସତ୍ୟବ୍ରତ ଦାଶଙ୍କ ଦ୍ୱାରା ଗାଈର ମୃତଦେହକୁ ବ୍ୟବଚ୍ଛେଦ କରାଇଥିଲେ । କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଆବେଦନ ପରେ କ୍ଷତିପୂରଣ ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.