csstore

ଲଖାନୀ ଗାର୍ମେଣ୍ଟସ୍‌ ସୋରୁମ୍‌କୁ ସିଲ୍‌ କଲା ବଲାଙ୍ଗିର ପୌର ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସମଲେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା ଲଖାନୀ ଗାର୍ମେଣ୍ଟସ୍‌ ସୋରୁମ୍‌କୁ ଆଜି ଅପରାହ୍ନରେ ସିଲ୍‌ କରିଛି ବଲାଙ୍ଗିର ପୌର ପ୍ରଶାସନ । ସୂଚନାଯୋଗ୍ୟ ଯେ, ଗତ ୩୦ ତାରିଖ ଦିନ ନାମୀଦାମୀ ବ୍ରାଣ୍ଡର ଷ୍ଟିକରିଂ ହୋଇଥିବା ଗଦା ଗଦା ନକଲି ପୋଷାକ ଲଖାନୀ ଗାର୍ମେଣ୍ଟସ୍‌ର ସୁଦପଡ଼ା ସ୍ଥିତ ଗୋଦାମ ଘରୁ ପୋଲିସ ଜବତ୍‌ କରିବା ପରେ ମାଲିକ ରାଜେଶ କୁମାର ଲଖାନୀଙ୍କୁ ଗିରଫ୍‌ କରି ବଲାଙ୍ଗିର ପୋଲିସ କୋର୍ଟ ଚାଲାଣ କରିଥିଲା । ସେହିପରି ଏହି କ୍ରମରେ ବଲାଙ୍ଗିର ସହର ନିକଟସ୍ଥ ଖଲିଆପାଲି ଗାଁର ଏକ ଭଡ଼ାଘରେ ଲଖାନୀ ଗାର୍ମେଣ୍ଟସ୍‌ ଦ୍ୱାରା ଚାଲିଥିବା ପେକିଂ ଓ ଷ୍ଟିକରିଂ ୟୁନିଟ୍‌ ଉପରେ ଚଢ଼ାଉ କରି ପୁଣି ମାଳ ମାଳ ଡୁପ୍ଲିକେଟ୍‌ ଡ୍ରେସ୍‌ ଜବତ୍‌ କରିଥିଲା । କେବଳ ଏତିକି ନୁହେଁ, ନକଲି ପୋଷାକ ବିକ୍ରି କରିବା ସହ ଜିଏସ୍‌ଟି ଠକେଇରେ ମଧ୍ୟ ଗିରଫ୍‌ ରାଜେଶ କୁମାର ଲଖାନୀ ସାମିଲ୍‌ ଥିବା ସଂଦେହ କରି ସେ ଦିଗରେ ମଧ୍ୟ ତଦନ୍ତ ତନାଘନା ହୋଇଥିଲା । ତେବେ ଆଜି ଅପରାହ୍ନରେ ସହରର ସମଲେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା ଲଖାନୀ ଗାର୍ମେଣ୍ଟସ୍‌ ସୋରୁମ୍‌କୁ ପାର୍କିଂ ଆଇନ ଭଂଗ ଯୋଗୁଁ ପୌର ପ୍ରଶାସନ ସିଲ୍‌ କରିଥିବା ବେଳେ ସହରର ଅନ୍ୟ ଦୋକାନ ଉପରେ ମଧ୍ୟ ପୌର ପ୍ରଶାସନ ଆଗାମୀ ସମୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କୁହାଯାଇଛି ।

jayashree
Leave A Reply

Your email address will not be published.