ଟ୍ରକ ଧକ୍କାରେ ମୃତ ବୃଦ୍ଧଙ୍କ ଶବ ରଖି ରାସ୍ତାରୋକ ଘଟଣା : ୨୧ ଘଣ୍ଟା ପରେ ଯାତାୟାତ ସ୍ୱାଭାବିକ

କଲହାଣ୍ଡି, (ପି.କେ.ସାହୁ) : ଟ୍ରକ ଦୁର୍ଘଟଣାରେ ଶୁକ୍ରବାର ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପେଙ୍ଗସୁର ଗ୍ରାମର କରୁଣା ନାଗ (୬୦)ଙ୍କ ମୃତ୍ୟୁ ହୋଇଥିଲା । ପରେ ଅପରାହ୍ନ ୪ ଘଣ୍ଟା ସମୟରେ ପରିବାର ଲୋକେ ଓ ଗ୍ରାମବାସୀ ଶବ ରଖି ବିଜେପୁର-ବିଶ୍ୱନାଥପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଶୁକ୍ରବାର ସନ୍ଧ୍ୟା ଓ ଶନିବାର ସକାଳେ ବିଜେପୁର ପୋଲିସ ପକ୍ଷରୁ ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସ ପହଞ୍ଚି ଲୋକଙ୍କୁ ବୁଝାଇବା ପରେ ବି ରାସ୍ତା ରୋକ ହଟିନଥିଲା । ଶନିବାର ସକାଳ ୧୦ ଘଣ୍ଟା ସମୟରେ ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା, ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ, ବିଜେପି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ରମେଶ ମାଝୀ, ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର, ବେନଙ୍ଗା ସରପଞ୍ଚ ସୁକାନ୍ତି ମାଝୀ, ବିଜେପୁର ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସ ଘଟଣା ସ୍ଥଳକୁ ଯାଇ ଲୋକଙ୍କୁ ବାରମ୍ବାର ବୁଝାଇ ପରେ ଲୋକେ ବୁଝିଥିଲେ । ସରକାରଙ୍କ ପକ୍ଷରୁ ରେଡ଼କ୍ରସ ପାଣ୍ଟିରୁ ୧୦ ହଜାର ଟଙ୍କା ଓ ପଞ୍ଚାୟତ ତରଫରୁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା, ମୃତ କରୁଣାଙ୍କ ସ୍ତ୍ରୀ ପାନବୁଡି ନାଗଙ୍କୁ ବିଧବା ଭତ୍ତା ଓ ବିକଳାଙ୍ଗ ଝିଅ ତିଳତମା ନାଗଙ୍କୁ ଭିନ୍ନକ୍ଷମ ଭତ୍ତା ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଦିନ ୧୧ଟା ୪୫ ମିନିଟରେ ଲୋକେ ଧାରଣାରୁ ଉଠିଥିଲେ । ଫଳରେ ଯାତାୟାତ ସ୍ୱାଭାବିକ ହୋଇଥିଲା । ଘଟଣା ସ୍ଥଳରେ ହିଁ ଶବ ବ୍ୟବଚ୍ଛେଦ କରାଯାଇଥିଲା । ବିଶ୍ୱନାଥପୁର ମେଡ଼ିକାଲର ଡ଼. ନିହାର ରଞ୍ଜନ ସାହୁ ଶବ ବେବଛେଦ କଲା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

ପ୍ରକାଶ ଥାଉକିଯେ ଶୁକ୍ରବାର ଅପରାହ୍ନ ୨ଟା ସମୟରେ କରୁଣା ବେନଙ୍ଗା ସାପ୍ତାହିକ ବଜାର ଯାଇ ବିଜେପୁର-ବିଶ୍ୱନାଥପୁର ମୁଖ୍ୟ ରାସ୍ତାରେ ଏକ ସାଇକେଲରେ ଯୋଗେ ନିଜ ଗାଁ ପେଙ୍ଗସୁରକୁ ଫେରୁଥିବା ବେଳେ ଗାଁର ୫ ଶହ ମିଟର ପୂର୍ବରୁ ଏକ ଟ୍ରକ(ଓଡ଼ି୦୮ଡି-୭୩୬୫) ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ କରୁଣା ଟ୍ରକ ତଳେ ଚାପି ହୋଇ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଟ୍ରକ ଡ୍ରାଇଭର ଓ ହେଲ୍ପର ଟ୍ରକ ଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଏହି ଖବର ପାଇବା ମାତ୍ରେ ମୃତ କରୁଣାଙ୍କ ପତ୍ନୀ ପାନବୁଡି ନାଗ, ବିକଳାଙ୍ଗ ଝିଅ ତିଳତମା ନାଗ ଦୁଇ ପୁଅ ସୁରେନ୍ଦ୍ର ନାଗ ଓ ସୁରେଶ ନାଗ ଓ ପେଙ୍ଗସୁର ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି କରୁଣାଙ୍କ ମୃତ ଦେହକୁ ମୁଖ୍ୟ ରାସ୍ତାରେ ରଖି କ୍ଷତି ପୂରଣ ଓ ଦୋଷୀ ବିରୋଧରେ ଦୃଡ଼ କାର୍ୟ୍ୟାନୁଷ୍ଠାନ ନେବାପାଇଁ ଦାବି କରି ବିଜେପୁର-ବିଶ୍ୱନାଥପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ଯାତାୟତ ଏକ ପ୍ରକାର ଠପ୍ ହୋଇ ଯାଇଥିବା ବେଳେ ଯାନବାହାନ ଅଟକ ରହିଥିବା ବେଳେ ଲୋକେ ନାହିଁନଥିବା ହଇରାଣ ହୋଇଥିଲେ । ଖବର ପାଇ ବିଜେପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ବେଳେ ଲୋକେ ଜିଦ ଧରି ବସିଥିଲେ । ଏନେଇ ବିଜେପୁର ଥାନା ଅଧିକାରୀଙ୍କୁ ପଚାରିବାରୁ ଏକସିଡେଣ୍ଟ କେସ ନଂ ୧୭ରେ ଏକ ମାମଲା ରୁଜୁ କରି ଫେରାର ଡ୍ରାଇଭର ବିରୁଦ୍ଧରେ ତଦନ୍ତ ଜାରି ରହିଛି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଆମେ ଥାନାକୁ ନେଇଯିବୁ ବୋଲି ପ୍ରକାଶ କରିଥିଲେ ।

Leave A Reply

Your email address will not be published.