ନଦୀକୂଳେ ଥାଇ ପିଉଛନ୍ତି ଫ୍ଲୋରାଇଡ଼ ଯୁକ୍ତ ପାଣି, ଯୁବକମାନେ ଦିଶୁଛନ୍ତି ବୁଢ଼ା ଭଳି : ୬୦ ବେଳକୁ ହେଉଛ‌ନ୍ତି ଶଯ୍ୟାଶାୟୀ

ଷ୍ଟାଣ୍ଡ ପୋଷ୍ଟ ଦେଖି ମେଣ୍ଟୁଛି ୨୫୦ ଲୋକଙ୍କ‌ ଶୋଷ : ଜରାଜୀର୍ଣ୍ଣ ହୋଇ ପଡ଼ିଥିବା କୂଅକୁ ଉଦ୍ଧାର ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ବର୍ଷ ପୂର୍ବରୁ ପିଇବା ପାଣିକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ଦେଓଗାଁବାସୀ । ଦାବୀ ମୁତାବକ ସରକାର ଗୋଟେ ପରେ‌ ଗୋଟେ ପ୍ରକଳ୍ପ କାମ ଆରମ୍ଭ କରିଛନ୍ତି ଦେଓଗାଁରେ । ହେଲେ ମଣିଷକୃତ ତୃଟି ଯୋଗୁଁ ପିଇବା ପାଣି ଶତ ପ୍ରତିଶତ ପାଇବାରୁ ବଞ୍ଚିତ ହେଉଛନ୍ତି ଦେଓଗାଁ ଓ କଛାର୍‌ପାଲିବାସୀ । କିନ୍ତୁ କାଗଜ କଳମରେ ସମସ୍ତେ ପାଉଛନ୍ତି ପାଣି ବୋଲି ସରକାରୀ ଯନ୍ତ୍ରୀ ସାର୍ଟିଫିକେଟ୍‌ ଦେଇଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଛି । ଏପରିକି ନିର୍ବାଚନ ସମୟ ଆସିଲେ ନେତାମାନେ ଗାଁକୁ ଆସି ଏ ବର୍ଷ ଭୋଟ ଦିଅ, ଜିତିଲେ ସୁନିଶ୍ଚିତ ପାଣି ପାଇବ ବୋଲି ପ୍ରତିଶୃତି ଦେଇ ଆସୁଛନ୍ତି । କିନ୍ତୁ ବିଶୁଦ୍ଧ ପାଣି ପାଇବା ସ୍ୱପ୍ନ ପାଲଟିଛି । ମଦନପାଲିରେ ଏଭଳି ଅବ୍ୟବସ୍ଥାକୁ ନେଇ ଦେଓଗାଁରୁ ‘କୋଶଳ ପ୍ରବାହ’ର ସ୍ୱତନ୍ତ୍ର ରିପୋର୍ଟ ।

ଏହା କୌଣସି ଜଙ୍ଗଲ ଘେରା ଅଞ୍ଚଳର ପଞ୍ଚାୟତ ନୁହେଁ, ଖୋଦ୍‌ ଦେଓଗାଁ ବ୍ଲକ ସଦର ଦେଓଗାଁ ପଞ୍ଚାୟତ ଅଧୀନସ୍ଥ କଛାର୍‌ପାଲି ଗାଁର ମଦନପାଲିର କଥା । ଯଦି ସଦର ପଞ୍ଚାୟତ ଭିତରେ ପିଇବା ପାଣିକୁ ନେଇ ଏପରି ଅବ୍ୟବସ୍ଥା, ତାହେଲେ ବ୍ଲକର ୧୨୭ଟି ଗାଁର ଲୋକେ କିଭଳି ଭାବେ‌ ପାନୀୟ ଜଳ ପାଉଥିବେ, ତାହା ସହଜେ ଅନୁମେୟ । ଦେଓଗାଁ ସୋନଗଡ଼ ନଦୀରୁ ମାତ୍ର ୫ ଶହ ମିଟର ଦୂରରେ ରହିଛି ମଦନପାଲି । କିନ୍ତୁ ନଦୀର ପାଣି ଏ ପର୍ୟ୍ୟନ୍ତ ପାଇ ନାହାନ୍ତି ସେମାନେ । ଗ୍ରୀଷ୍ମ ଦିନେ ଏହା ଉତ୍କଟ ରୁପ ଧାରଣ କରିଥାଏ । ପାଣି ପାଇଁ ଅଞ୍ଚଳବାସୀଙ୍କୁ ହଟହଟା ହେବାକୁ ପଡ଼ିଥାଏ । ପ୍ଲୋରାଇଡ଼ରେ ଛଟପଟ ହେଉଥିବା ମଦନପାଲି‌କୁ ବହୁଦିନ ହେଲା ପଡ଼ିଛି ପାଇପ୍‌ଲାଇନ୍‌ । ହେଲେ ନିମ୍ନମାନର କାମ ଯୋଗୁଁ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଥିବା ଉକ୍ତ ପଡ଼ାବାସୀ ଅଭିଯୋଗ କରୁଛନ୍ତି । ଏହି ମଦନପାଲିରେ ବସବାସ କରୁଛନ୍ତି ୫୦ଟି ପରିବାରରେ, ହାରାହାରି ୨୫୦ଜଣ । ଏହି ପାଲିକୁ ଦେଓଗାଁ ଗ୍ରୀଡ଼ ପଛ ପଟେ ଥିବା ଓଭର୍‌ହେଡ଼୍‌ ପାଣି ଟାଙ୍କିରୁ ପାନୀୟ ଜଳ ଯୋଗାଣ ପାଇଁ ସରିଛି ପାଇପ ଲାଇନ କନେକ୍‌ସନ୍‌ । ହେଲେ ଏହି ନୂଆ ପାଇପ୍‌ରେ ଏ ପର୍ୟ୍ୟନ୍ତ ପାଣି ଯାଇନି ମଦନପାଲିକୁ । ୫୦ଟି ପରିବାରକୁ ମାତ୍ର ଗୋଟିଏ ନଳକୂଅ । ସେହି ନଳକୂଅର ପାଣିକୁ ରୋଷେଇ, ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି ସଭିଏଁ । ତାହା ପୁଣି ପୁରୁଣା ହୋଇ ଯାଇଥିବାରୁ ମରାମତିର ଦରକାର ହେଲାଣି । ନଳକୂଅରୁ ଭଳ ଭାବେ ପାଣି ବାହାରୁ ନ ଥିବାରୁ ପ୍ରତି ୨ଜଣ ପାଣି ନେବା ପରେ କିଛି ସମୟ ପର୍ୟ୍ୟନ୍ତ ପାଣି ବାହାରି ନଥାଏ ବୋଲି ଅଭିଯୋଗ କରୁଛନ୍ତି ମଦନପାଲିବାସୀ । ଫଳରେ ଗରା, ବାଲ୍‌ଟି ଧରି ଦୀର୍ଘ ସମୟ ଧାଡ଼ିରେ ରହି ପାଣି ନେଇଥାନ୍ତି । ଅନ୍ୟପକ୍ଷରେ ମଦନପାଲିର ଲୋକେ ଚାନ୍ଦା କରି ଏକ କୂଅ ନିର୍ମାଣ କରିଥିଲେ, ଯାହାକି ପିଇବା ପାଇଁ ଉପଯୋଗୀ ଥିଲା। ଏବେ ଏହି କୁଅଟି ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି । ଯାହାଫଳରେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ । ଦେଓଗାଁ ଗ୍ରୀଡ଼ ପଛପଟେ ଏକ ଓଭର୍‌ହେଡ଼୍‌ ଟ୍ୟାଙ୍କ ଓ ଏଟିଏମ୍‌ ଛକରେ ଥିବା ପାଣି ଟାଙ୍କିରୁ ଦେଓଗାଁ ଓ କଛାରପାଲି ଦୁଇ ଗାଁକୁ ପାନୀୟ ଜଳ ଯୋଗାଣ ହେଉଥିବା ବେଳେ ଦେଓଗାଁ ସପ୍ତାହିକ ବଜାର ନିକଟରେ ନିର୍ମିତ ହୋଇଥିବା ଓଭର୍‌ହେଡ଼୍‌ ଟ୍ୟାଙ୍କ୍‌ କେବେ ଜଳ ଯୋଗାଣ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଦେଓଗାଁର ଭଞ୍ଜପଡ଼ା, ରଣାପଡ଼ା, ସାହୁପଡ଼ା, କନ୍ଧପାଲି, କଲୋନୀପଡ଼ା ଆଜି ପର୍ୟ୍ୟନ୍ତ ଶତ ପ୍ରତିଶତ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ଦେଓଗାଁ ବିଭିନ୍ନ ପଡ଼ାରେ ପାନୀୟ ଜଳ ଯୋଗାଣ ପାଇଁ ନୂତନ ଭାବେ ଲଗାଯାଇଛି ଟାଇଲ୍ସର ଟେଣ୍ଡ ପୋଷ୍ଟ । ହେଲେ ଭାଙ୍ଗି ଯାଇଛି ପାଣି ଟ୍ୟାବ୍‌, ଯାହାକି ନିମ୍ନମାନର କାମ ହୋଇଥିବା ବାରି ହେଉଛି ।

ଗ୍ରାମବାସୀ ଯାହା କହୁଛନ୍ତି

ବଲମତ ରଣା
ଆମର୍‌ ପଡ଼ା ଥି ପିଇବାର୍‌ ପାଏନ୍‌ ଲାଗି ବହୁତ ଅସୁବିଧା ହଉଛେ । ନଏଦ ପାଖେ ଅଛେ ଆମର୍‌ ପଡ଼ା, ହେଲେ ପାଏନ୍‌ ଟିକେ ପାଏବାର ଲାଗି ଆମକୁ ସାତ୍‌ ସପନ୍‌ ପାଲଟିଛେ । ଦେଓଗାଁ ନୁ ପାଇପ୍‌ ବିଛେଇଛନ୍‌ ମଦନପାଲି ତକ୍ ‌। ହେତେ ଦିନୁ ଦିନେ ବି ପାଏନ୍‌ ନିପଡ଼୍‌ବାର ତାଲି । କେନ୍ତା କରି ପାଏନ୍‌ ଟିକେ ପାଏମୁ ଯେ, ତାକେ ନେଇ ଚିନ୍ତାରେ ରହିଛୁଁ ପଡ଼ାବାସୀ ।

ସାବିତ୍ରୀ ରଣା
ମୁଇଁ ଇ ଗାଁକେ ଖଟି ଆଏଲା ଦିନୁଁ ଇନ୍ତା ଲୁହା ପାଏନ୍‌ କେ ପିଉଛୁଁ । ଛୁଆ ମାନକର୍‌ ଦାଁତ୍‌ ହଲଦିଆ ହେଉ ଯାଉଛେ ଆରୁ ଯୁଆନ ଥାଇ ଥାଇ ବୁଢ଼ା ଦିଶୁଛନ୍ । ଇନ୍ତା କି, ଟିକେ ବୁଢ଼ା ହେଇଗଲେ ଲୋକେ ଚାଲିବୁଲି ନି ପାରବାର, ଘରେ ପଡ଼ି ରହୁଛନ୍ ‌। ଜଲଦି ପାଏନ୍‌ ଟିକେ ଦେବାର୍‌ ବ୍ୟବସ୍ଥା କରୁନ୍‌ । ନିହେଲେ ବ୍ଲକ ଅଫିସ୍‌ ନେ ଆନ୍ଦୋଲନ୍‌ କରମୁ ।

ତୁବେଶ୍ୱର ରଣା
ଗଲା ୩ ବଛର୍‌ ତଲେ ଆମର୍‌ ପଡ଼ାକେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆସିଥିଲେ ଆରୁ କଥା ଦେଇଥିଲେ, ତମର୍‌ ପଡ଼ାର ଲୋକେ ଆଏବାର୍‌ ଇଲେକ୍ସନ୍‌ ଭିତରେ ସିଓର୍‌ ପାଏନ୍‌ ପାଏବ ବଲି । ହେଲେ ସେ ଆଜ୍ଞା ବି ଆମକୁ ଠଁକିଦେଲେ । ତାକର ଚେଷ୍ଟା ଥି ଷ୍ଟେନ୍‌ ପୋଷ୍ଟ ଲାଗଲା ଦିନୁ ଆ‌ଏଜ୍‌ ତକ୍‌ ନଦୀର ପାଏନ୍‌ ନି ପାଏବାର୍‌ ଆମେ । ବସ୍ତିର ଲୋକେ ନଦୀର ସଫା ପାଏନ ପିଉଛନ୍‌ ଆରୁ ଆମେ ମଦନପାଲି ବାଲେ ଲୁହା ପାଏନ୍‌ ପିଇ କରି ବାଚୁଛୁଁ ।

Leave A Reply

Your email address will not be published.