jayashree

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ତଥା ସହରୀ ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ତୃତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ୫୨ଟି ଗ୍ରାମ ତଥା ଲୋଇସିଂହା ବ୍ଲକର ବାଦୀବାହାଲ, କନ୍ଦାଜୁରି ଓ ମାଗୁରବେଡା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ଉପସ୍ଥିତ ରହି ଆଭାସୀ ଜରିଆରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ବାଦିବାହଲ ଠାରେ ମୁଖ୍ୟ ଅତିଥି ଭାବେ ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଦୂ ଯୋଗ ଦେଇଥିବା ବେଳେ କନ୍ଦାଜୁରି ଠାରେ ତହସିଲଦାର ଟିକୁନୁ ପୁଟା ଓ ମାଗୁରବେଡା ଗ୍ରାମରେ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନାରାୟଣ ଭୁଏ ଯୋଗ ଦେଇଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୧୧୮ ଓ ଦ୍ଵିତୀୟ ପର୍ଯ୍ୟାୟରେ ୨୦୪ ଗୋଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଶୁଭାରମ୍ଭ ହୋଇଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟରେ ୬୩୦ଟି ବିଦ୍ୟାଳୟର ଶିଳାନ୍ୟାସ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏଥିପାଇଁ ପ୍ରତି ବିଦ୍ୟାଳୟ ପିଛା ସାଢେ଼ ୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟ ପାଇଁ ମୋଟ ୪ ହଜାର କୋଟି ଟଙ୍କା ବ୍ୟୟ ଅଟକଳ ରହିଥିବା ଜଣାଯାଇଛି । ଲୋଇସିଂହା ବ୍ଲକର ଉପରୋକ୍ତ ତିନୋଟି ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏବିଇଓ ରୁଦ୍ରଦେବ ଷଡ଼ଙ୍ଗୀ, ବସନ୍ତ ଭୋଇ, ପ୍ରଧାନ ଶିକ୍ଷକ ବେଲାର ସାହୁ, ସୋମଦତ୍ତ ଦଣ୍ଡସେନା, ଜୀବର୍ଦ୍ଧନ ପାଇକ, ସିଆରସିସି ସୁରେଶ ଭୋଇ, ସମାଜସେବୀ ସୁନିଲ ଦାସ, ଗୌରାଙ୍ଗ ନାଏକ, ସମିତି ସଭ୍ୟ ଅଜିତ ବେହେରା, ସରପଞ୍ଚ ସଞ୍ଜୟ ଗଡତ୍ୟା, ଯାମିନି ମହାନନ୍ଦ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.