pakka

ବୈଚିତ୍ରମୟ ଐତିହାସିକ ଗଞ୍ଜାମ ସହରର ଦୋଳପର୍ବ ପରମ୍ପରା ଅତ୍ୟନ୍ତ ନିଆରା

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହରର ଐତିହାସିକ ଦୋଳପର୍ବ ଓଡ଼ିଶା ପ୍ରସିଦ୍ଧ ତଥା ରାଜ୍ୟର ଶ୍ରେଷ୍ଠ ବୋଲି ଜନମାନସରେ ମାନ୍ୟତା ଲାଭ କରିଛି । ଯାତ୍ରା କମିଟି ଦ୍ଵାରା ପରିଚାଳିତ ହୋଇଆସିଥିବା ଐତିହାସିକ ଗଞ୍ଜାମ ସହରର ଦୋଳପର୍ବ ଦୋଳ ମେଲଣ ଯାତ୍ରା ପାରମ୍ପରିକ ରୀତିନୀତିରେ ଚଳିତ ଦୋଳ ପୂର୍ଣ୍ଣମୀ ଦିନ ସନ୍ଧ୍ୟାରେ ସମାହିତ ହୋଇଯାଇଛି । ପବିତ୍ର ଋଷିକୁଲ୍ୟା ନଦୀ ଉପକୁଳବର୍ତ୍ତୀ ପାର୍ଶ୍ଵରେ ଅବସ୍ଥିତ ଗଞ୍ଜାମ ନଗରୀର ଦୋଳ ପରମ୍ପରା ଖୁବ୍‌ ନିଆରା । ପାଞ୍ଚ ଦିନର ଏହି ଦୋଳ ସମାରୋହ, ଏହାର ପରମ୍ପରା ଅନନ୍ୟ । ବାସ୍ତବିକ୍ ପ୍ରାଚୀନ କାଳରୁ ବୃନ୍ଦାବନରୁ ଏହି ପାଞ୍ଚଦିନ ପାଇଁ ଦୋଳ ଗୋବିନ୍ଦଙ୍କ ଦୋଳ – ଯାତ୍ରା ଅନୁମତି ଅଣାଯାଇଥିବା ପ୍ରସଙ୍ଗ ଏକ ଐତିହାସିକ ଭକ୍ତିବାଦ ପରମ୍ପରାକୁ ସାଧାରଣରେ ଆଲୋଡ଼ିତ କରେ । ଏହି ଅବସରରେ ୧୭ ଗୋଟି ରାଧାକୃଷ୍ଣ ମନ୍ଦିରରୁ ଦୋଳ ବିମାନ ଆସିଥାଏ । ତନ୍ମଧ୍ୟରୁ ଗୋଟିଏ ଶୈବପୀଠରୁ ବୃଷଭ ବହାନରେ ଶିବ ପାର୍ବତୀ ବିଜେ କରିଥାନ୍ତି । ଏହା ହରି ଓ ହରଙ୍କ ଭେଟ ଭକ୍ତିଭାବର ପରମ୍ପରା ବୋଲି ଉଲ୍ଲେଖ ରହିଛି । ପ୍ରାଚୀନ ଗଞ୍ଜାମ ସହରରେ କେଉଁ ଅନାଦି କାଳରୁ ବୈଷ୍ଣବ ସମ୍ମତ ଲୌକିକ ପରମ୍ପରା ରହିଛି । ଏହାର ଆଜି ବି ଗଞ୍ଜାମ ସହରରେ ପ୍ରାଚୀନ ମନ୍ଦିର, ମଠ ଗୁଡିକରୁ ଅନେକ ଐତିହାସିକ ପ୍ରମାଣ ମିଳେ । ଗଞ୍ଜାମ ନଗରୀରେ ରହିଛି ୩୬ରୁ ଅଧିକ ରାଧାକୃଷ୍ଣ ମଠ, ମନ୍ଦିର । ସବୁ ସାହି, ଗଳି – କନ୍ଦିରେ ଦେଖିବାକୁ ମିଳେ ଅସଂଖ୍ୟ ବୃନ୍ଦାବତୀ ଅବା ତୁଳସୀ ଚଉଁରା । ଗୁଡ଼ାଏ ଶୈବ ପୀଠ, ଜଗନ୍ନାଥ ମନ୍ଦିର । ସତେ ଯେପରି ଏହା ଏକ ଦ୍ୱିତୀୟ ବୃନ୍ଦାବନ ଧାମ । ଏଠାକୁ ଖ୍ରୀଷ୍ଟାବ୍ଦ ୧୫୧୩ରେ ଚୈତନ୍ୟ ମହାପ୍ରଭୁଙ୍କ ଆଗମନ ହୋଇଥିଲା । ମହାପ୍ରଭୁ ରାଧାଗୋବିନ୍ଦ ମନ୍ଦିରରେ ପାଞ୍ଚଦିନ ଅବସ୍ଥାନ କରିଥିବା ଚୈତନ୍ୟ ମଠର ମଠାଧୀଶ ମହନ୍ତ ମହାରାଜ କହନ୍ତି । ଚୈତନ୍ୟ ମହାପ୍ରଭୁଙ୍କ ଆଗମନ ହୋଇଥିବାରୁ ପରବର୍ତ୍ତୀ ସମୟରେ ତାହା ଚୈତନ୍ୟ ମଠ ନାମରେ ଖ୍ୟାତି ଲାଭ କରିଛି ।

Leave A Reply

Your email address will not be published.

two × five =