ନାରୀ ନିର୍ଯ୍ୟାତନାକାରୀ ନେତାଙ୍କ ହାତରେ ବଲାଙ୍ଗିର ସୁରକ୍ଷିତ ନୁହେଁ : ସମରେନ୍ଦ୍ର

  • କଂଗ୍ରେସ ସବୁବର୍ଗଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନ କରିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାରୀ ନିର୍ଯ୍ୟାତନାକାରୀ ନେତାଙ୍କ ହାତରେ ବଲାଙ୍ଗିର ସୁରକ୍ଷିତ ନୁହେଁ ବୋଲି କହିଛନ୍ତି ସମରେନ୍ଦ୍ର । ମହିଳା ସୁରକ୍ଷାର ନାରା ଦେଉଥିବା ରାଜ୍ୟ ସରକାର ଓ ଏହାର ନେତାମାନଙ୍କ କଥା ଓ କାମରେ ସବୁ ବେଳେ ଫରକ ଦେଖାଯାଏ । କୁନ୍ଦୁଲି, ପରି ଘଟଣା ହେଉ କି ମମିତା ମେହେର ହତ୍ୟା ଘଟଣା, ସବୁଥିରେ ଅଭିଯୁକ୍ତ ହେଉଛନ୍ତି ସରକାରୀ ଦଳର ନେତାମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ବନ୍ଧୁ ବଲାଙ୍ଗିର ରାଜପରିବାରର ଅନଙ୍ଗ ଉଦୟ ଓ ତାଙ୍କ ପରିବାର ବିରୁଦ୍ଧରେ ନାରୀ ନିର୍ଯ୍ୟତନା ଭଳି ସାଙ୍ଘାତିକ ଅଭିଯୋଗ ପରିବାରର ସାନ ବୋହୂ ଅଦ୍ରିଜା ମଞ୍ଜରୀ ସିଂହଦେଓ ଆଣିଛନ୍ତି । ନାରୀ ନିର୍ଯ୍ୟତନା କ୍ଷେତ୍ରରେ ଶୂନ୍ୟ ସହନଶୀଳତାର କଥା କହୁଥିବା ମୁଖ୍ୟମନ୍ତ୍ରୀ ଏ କ୍ଷେତ୍ରରେ କେବଳ ଚୁପ ରହିନାହାନ୍ତି, ଓଲଟା ମୁଖ୍ୟମନ୍ତ୍ରୀ ସଂଗୀନ ଅଭିଯୋଗ ଥିବା ସତ୍ୱେ ନିର୍ବାଚନରେ ଦଳୀୟ ଟିକେଟ ଦେଇଛନ୍ତି । ଏଥିରୁ ବଲାଙ୍ଗିର ଜନସାଧାରଣ ବୁଝି ପକାନ୍ତୁ ଯେ ବଧୂ ନିର୍ୟାତନା ଭଳି ସଂଗୀନ ଅଭିଯୋଗ ଥିବା ଅଭିଯୁକ୍ତ ଯିଏ କି ଏହି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି, ତାଙ୍କ ପ୍ରତିନିଧିତ୍ୱରେ ଆମ ବଲାଙ୍ଗିରର ମା’ ଭଉଣୀ କେତେ ସୁରକ୍ଷିତ । ତେଣୁ ଏହି ନିର୍ବାଚନରେ ବଲାଙ୍ଗିରବାସୀ ପୁଣି ଥରେ କଂଗ୍ରେସ ଦଳର ହାତ ଚି଼ହ୍ନରେ ବିପୁଳ ପରିମାଣରେ ଭୋଟ ଦିଅନ୍ତୁ । କାରଣ କଂଗ୍ରେସ ସରକାର ହିଁ ସମାଜର ସବୁ ବର୍ଗର ଲୋକଙ୍କୁ ସୁରକ୍ଷା ଓ ନ୍ୟାୟ ପ୍ରଦାନର ଗେରେଣ୍ଟି ଦେଉଛି ବୋଲି ଆଜି ବଲାଙ୍ଗିର ବ୍ଲକ ସ୍ଥିତ ସଦେଇପାଲି ଓ ଚନ୍ଦନଭାଟି ଠାରେ ଅନୁଷ୍ଠିତ ଜନ ଆଶୀର୍ବାଦ ସଭାରେ ବଲାଙ୍ଗିର ବିଧାନସଭା ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ଭାଷଣରେ କହିଛନ୍ତି । ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ନିର୍ବାଚନୀ ସଭାରେ ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ବଲାଙ୍ଗିରର ତଥାକଥିତ ରାଜ ପରିବାର, ଯିଏ କି ଆମର ପ୍ରତିଦ୍ୱନ୍ଦୀ ଭାବେ ଛିଡା ହୋଇଛନ୍ତି ସେମାନେ ନିର୍ବାଚନ ସମୟ ଛଡା ବାକି ସମୟ ବଲାଙ୍ଗିର ବାହାରେ ଡେରାଡୁନରେ ବସବାସ କରନ୍ତି । ସେମାନେ ଆମ ସରଳ ବଲାଙ୍ଗିରବାସୀ ଭୋଗୁଥିବା ସମସ୍ୟା ବୁଝିବେ କେମିତି । ନିର୍ବାଚନୀ ବୈତରଣୀ ପାର ହେବାପାଇଁ ଏମାନେ କେବଳ ମଦ, ମାଂସ ଓ ପାଞ୍ଚଶହ ଉପରେ ଭରସା କରନ୍ତି । ତେଣୁ ଲୋକେ ଗତ ଦୁଇଟି ନିର୍ବାଚନରେ ଏମାନଙ୍କୁ ବରାଖସ୍ତ କରିସାରିଲେଣି । ଏଇ ନିର୍ବାଚନରେ ପୁଣି ହାରିବେ, ନିର୍ବାଚନରେ ପୁଣି କଂଗ୍ରେସ ଜିତି ହେଟ୍ରିକ କରିବ ବୋଲି ସମରେଦ୍ର ମିଶ୍ର କହିଥିଲେ । ଜନ ଆଶୀର୍ବାଦ ସଭାରେ ଉପସ୍ଥିତ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ ନିର୍ବାଚନରେ କଂଗ୍ରେସ ଦଳ ଦେଇଥିବା ଗ୍ୟାରେଣ୍ଟି ଉପରେ ସୂଚନା ଦେଇଥିଲେ । ଆଜିର ଏହି ନିର୍ବାଚନ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଶ୍ରୀକର ମିଶ୍ର, ବିରଞ୍ଚି ସାଏ, ଫକୀର ମୋହନ ଥାଟି, ମନ ସାଏ, କପିଳେଶ୍ଵରର ପାଣିଗ୍ରାହୀ, ସଂଯୁକ୍ତା ପାଣିଗ୍ରାହୀ, ସୁଶାନ୍ତ ପାଣିଗ୍ରାହୀ ପ୍ରମୁଖ ମଂଚାସୀନ ଥିଲେ ।

Leave A Reply

Your email address will not be published.

20 − 17 =