csstore

ଜାତୀୟ କବାଡି ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆକାଂକ୍ଷା ଭୋଇ କବାଡି ଖେଳରେ ଜାତୀୟ ସ୍ତରରେ ପ୍ରତିନିଧିତ୍ଵ କରି ଆଜି ପଦ୍ମପୁର ପହଞ୍ଚିବା ପରେ ବ୍ଲକ ଶିକ୍ଷାଧିକାରୀ ଲୋକନାଥ ଭୋଇ ଭେଉଁରିଆ ଛକଠାରେ ଫୁଲତୋଡା ଦେଇ ସ୍ଵାଗତ କରିବା ପରେ ତାଙ୍କୁ ସ୍କୁଲ ପର୍ଯ୍ୟନ୍ତ ବ୍ୟାଣ୍ଡବାଜା ଓ ପ୍ୟାରେଡ୍ ସହ ଛାତ୍ରୀମାନେ ଓ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପାଛୋଟି ଆଣିଥିଲେ । ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଗୋପାଲଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବ୍ଲକ ଶିକ୍ଷାଧିକାରୀ ଲୋକନାଥ ଭୋଇ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବାସହ ଆଗାମୀ ଦିନରେ ଆନ୍ତର୍ଜାତୀୟସ୍ତରରେ ଖେଳିବା ପାଇଁ ଉତ୍ସାହିତ କରିଥିଲେ । ଏହାର ଶ୍ରେୟ ସମସ୍ତ ଶିକ୍ଷକ ବିଶେଷ କରି ଖେଳ ଶିକ୍ଷୟତ୍ରୀ ନୀଳିମା ରାଣୀ ମହାନ୍ତିଙ୍କ ଦିଗଦର୍ଶନକୁ ପ୍ରଶଂସା କରିଥଲେ । ପ୍ରଧାନ ଶିକ୍ଷକ ଶ୍ରୀ ପାଣିଗ୍ରାହୀ ସ୍କୁଲ ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆକାଂକ୍ଷା ଓଡିଶା ଦଳରୁ ପ୍ରତିନିଧିତ୍ଵ କରି ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ଜାମ୍ମୁକାଶ୍ମୀର ସହ କବାଡି ଖେଳିଛନ୍ତି । ଓଡିଶା ଦଳ ଆନ୍ଧ୍ର ଓ ତାମିଲନାଡୁଠାରୁ ପରାଜିତ ହେଲେ ମଧ୍ୟ ଜାମ୍ମୁକାଶ୍ମୀରକୁ ପରାଜିତ କରିଥିଲେ ।

jayashree
Leave A Reply

Your email address will not be published.