ହାତୀ ଗଲି ଯଉଛେ, ଧରା ପଡୁଛେ ଚାଁଟି

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡର ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଟିଟିଲାଗଡ ପ୍ରଶାସନ ତରଫରୁ ଉପଜିଲ୍ଲପାଳ ସୋମେଶ ଉପାଧ୍ୟାୟ ଦଶ ଦିନ ତଳେ ଅର୍ଥାତ୍ ୨୬ ଅକ୍ଟୋବରରେ ଏକ ନିୟମ ଜାରି କରିଥିଲେ ଯେ, ଟିଟିଲାଗଡ ସହର ମଧ୍ୟ ଦେଇ କୌଣସି ଭାରିଯାନ ସକାଳ ୬ଟା ରୁ ରାତି ୧୦ଟା ମଧ୍ୟରେ ଚଳାଚଳ କରିପାରିବ ନାହିଁ ଏବଂ ଏହା ସହ ଦିନ ୮ଟା ରୁ ରାତି ୯ଟା ମଧ୍ୟରେ ଲୋଡ଼ିଙ୍ଗ ଓ ଅନ୍ ଲୋଡିଙ୍ଗ ସହର ମଧ୍ୟରେ ହୋଇ ପାରିବନାହିଁ । ଟିଟିଲାଗଡ ପ୍ରଶାସନ ତରଫରୁ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଟିଟିଲାଗଡବାସୀ ପ୍ରଶଂସା କରୁଛନ୍ତି ।

କିନ୍ତୁ ଅପର ପକ୍ଷରେ ପ୍ରଶାସନର ଏହି ପଦକ୍ଷେପ ଉପରେ ସାଧାରଣ ଜନତା ପ୍ରଶ୍ନ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ପ୍ରଶାସନ କେବଳ ନିୟମ ଜାରି କରି ଦେଇ ଚୁପ ହୋଇ ବସିଗଲା । କିନ୍ତୁ ଏହା ପାଳନ ହେଉଛି ନ ନାହିଁ ତାହାର ଯାଞ୍ଚ କରାଯାଉନାହିଁ । ଦିନ ବେଳା ଅନେକ ଭାରିଯାନ ଯିବା ଆସିବା ହେଉଛି । ଏଥିପ୍ରତି ପ୍ରଶାସନର ନିଘା ନାହିଁ ।

“କେବଳ ନିୟମ ଜାରି କରି ଦେଲେ ଦାୟିତ୍ଵ ସରି ଯାଏ କି ?” ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ମଦଭାଟିପଡା ରାସ୍ତାରେ ଅନେକ ବଡ଼ ବଡ଼ ଟ୍ରକ୍ ମାଲ ପରିବହନ କରୁଥିବା ପଡ଼ାବାସୀ ଅଭିଯୋଗ କରିଛନ୍ତି । ଏହା ସହ ଟିଟିଲାଗଡ ସହର ମଧ୍ୟରେ ହାଟପଦାପଡାରେ ଥିବା ରେଳବାଇ ଫାଟକ ପାଖରେ ଅନେକ ବଡ଼ ବଡ଼ ଟ୍ରକ୍ ଲୁହା ଛଡ଼ ବୋଝେଇ ଯାଉଥିବା ଦେଖିବାକୁ ମିଳୁଛି ।

ବିଭିନ୍ନ ସିମେଣ୍ଟ ବୋଝେଇ ଟ୍ରକ ଓ ଖାଉଟି ସାମଗ୍ରୀ ବୋଝେଇ ବଡ଼ ବଡ଼ ଟ୍ରକ୍ ସହର ମଧ୍ୟରେ ଯିବା ଆସିବା କରୁଥିବା ଟିଟଲାଗଡବାସୀ ଅଭିଯୋଗ କରୁଛନ୍ତି । ସହର ମଧ୍ୟରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଟ୍ରକ୍ ରଖି ବ୍ୟବସାୟୀମାନେ ଲୋଡିଙ୍ଗ ଓ ଅନ୍ ଲୋଡିଙ୍ଗ କରୁଥିବା ଦେଖିବାକୁ ମିଳୁଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ବଡ଼ ବଡ଼ ଟ୍ରକ୍ ପ୍ରଶାସନ ହାତରୁ ଖସି ଯାଉଛନ୍ତି କିନ୍ତୁ ଧରା ପଡ଼ୁଛନ୍ତି ଛୋଟ ଛୋଟ ପିକ୍‌ଅପ୍ ଭେନ୍‌ ଭଳି ଗାଡ଼ି ବୋଲି ମଧ୍ୟ ଲୋକେ ଆଲୋଚନା କରୁଛନ୍ତି ।

ଏଠାରେ ପ୍ରଶାସନର ଭୁଲ ଅଛି ନା ପ୍ରଶାସକର ଭୁଲ ଅଛି, ପ୍ରଶ୍ନ କରୁଛନ୍ତି ସାଧାରଣ ଜନତା । ବୁଦ୍ଧିଜୀବୀ ମାନେ କହନ୍ତି – “କ’ଣ ପ୍ରଶାସନ କେବଳ ବଡ଼ ବଡିଆଙ୍କ ପାଇଁ ନା ସାଧାରଣ ଜନତାଙ୍କ ପାଇଁ ମଧ୍ୟ ? ପ୍ରଶାସନ ସାଧାରଣ ଜନତାଙ୍କୁ ହଇରାଣ କରିବା ପାଇଁ ନିୟମ କାଢି ବଡ଼ବଡ଼ିଆଙ୍କ ଆଗରେ ହାର ମାନି ଚୁପ୍ ହୋଇ ଯାଉଛନ୍ତି କି ? ” ସବୁ ପ୍ରଶ୍ନର ଉତ୍ତର ମିଳିବା କଷ୍ଟକର ବୋଲି ମନେହୁଏ ବୋଲି ବୁଦ୍ଧିଜୀବୀ ମହଲରେ ।

Leave A Reply

Your email address will not be published.