ଦୀର୍ଘ ବର୍ଷରୁ ଚର୍ମ ରୋଗରେ ଆକ୍ରାନ୍ତ ରିଚେକ୍ ଛୁରା : ଖୁବ୍ ଦୁଃଖଭରା ଜୀବନ

ଟିଟିଲାଗଡ, (ଗୌରବ ଦର୍ଜୀ) : ବୟସ ବଢିବା ସାଙ୍ଗକୁ ବଢୁଛି ରୋଗ । ହେଲେ ମନରେ ରହି ଯାଇଛି ଅନେକ ସ୍ବପ୍ନ । ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୟନୀୟ ଜୀବନ ଅତିବାହିତ କରୁଛନ୍ତି ରିଚେକ ଛୁରା ।

ଏ ହେଉଛନ୍ତି ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁଶକେଲା ପଞ୍ଚାୟତର ରୁଣ୍ଡିମହୁଲ ଗାଁର ରିଚେକ ଛୁରା । ବୟସ ମାତ୍ର ୨୦ ବର୍ଷ । ମନରେ ଅନେକ ସ୍ବପ୍ନ ରଖିଥିଲେ ରିଚେକ । ହେଲେ ସବୁ ସ୍ବପ୍ନ ଧୂଳିସାତ ହୋଇଛି ଓ ଅଜଣା ଚର୍ମ ରୋଗର ଶିକାର ହୋଇଛନ୍ତି ରିଚେକ୍ । ପାଦରୁ ମୁଣ୍ଡ ଯାଏଁ ଶରୀରର ଚମଡା ସବୁ ଫାଟି ଯିବା ସହ କେତେକ ସମୟରେ ସେଥିରୁ ରକ୍ତ ବାହାରିଥାଏ ଓ ଅନେକ ଯନ୍ତ୍ରଣା ମଧ୍ୟ ହୋଇଥାଏ । ଦିନରେ ଘରୁ ବାହାରକୁ ନା ବାହାରି ପାରନ୍ତି ନା ରାତିରେ ଠିକରେ ଶୋଇ ପାରନ୍ତି । ସବୁ ବେଳେ ଜଳାପୋଡ଼ା ହେଉଥିବା ବେଳେ ଅନେକ କଷ୍ଟ ଅନୁଭବ କରନ୍ତି । ଏମିତିକି ନା ସାଙ୍ଗ ମାନଙ୍କ ସହ ଖେଳି ପାରନ୍ତି ନା ପାଠ ପଢିବାକୁ ଯାଇ ପାରନ୍ତି ।

ଗୋଟିଏ ପଟେ ଦାରିଦ୍ର୍ୟତା ସାଙ୍ଗକୁ ଅନ୍ୟ ପଟେ ଅଜଣା ଚର୍ମ ରୋଗରେ ଆକ୍ରାନ୍ତ । ଜନ୍ମ ପରେ ରିଚେକ୍ ର ଶରୀରରେ ପରିବର୍ତ୍ତନ ଦେଖା ଦେଇଥିଲା । ଧୀରେ ଧୀରେ ରିଚେକ୍ ବଢିବା ସହ ରୋଗ ମଧ୍ୟ ବଢିଥିଲା । ପରିବାର ଲୋକେ ଟିଟିଲାଗଡ ଡାକ୍ତରଖାନାକୁ ଚିକିତ୍ସା କରିବା ପାଇଁ ନେବାରୁ ଡାକ୍ତର ତାଙ୍କୁ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଥିଲେ । ତେବେ ଅର୍ଥାଭାବରୁ ପରିବାର ଲୋକେ ଗାଁକୁ ଫେରି ଆସି ନିଜ ଭାଗ୍ୟକୁ ଆଦରି ରହିଛନ୍ତି । ତେବେ ରିଚେକ୍ ର ଚିକିତ୍ସା ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଟିଟିଲାଗଡ ଗରିବ ସେନା ପକ୍ଷରୁ ଗରିବ ସେନା ଅଧ୍ୟକ୍ଷ ବିରେନ୍ଦ୍ର ବାଗ ନିବେଦନ କରିଛନ୍ତି ।

Leave A Reply

Your email address will not be published.