କୁମ୍ଭକର୍ଣ୍ଣ ନିଦରେ ବିଜେପୁର ବ୍ଲକ ପ୍ରଶାସନ : ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ଅନେକ ହିତାଧିକାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ବୃଦ୍ଧବୃଦ୍ଧାଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରୁଛନ୍ତି ତଥା ବରିଷ୍ଠ ନାଗରିକଙ୍କ ପାଇଁ ମଧ୍ୟ ସହାୟତା ରାଶି ବୃଦ୍ଧି କରିଛନ୍ତି । କିନ୍ତୁ କେତେକ ବ୍ଲକସ୍ତରୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ସରକାରଙ୍କ ମହତ୍ୱକାଂକ୍ଷୀ ଯୋଜନାଗୁଡିକ ଫେଲ ମାରିଛି ।

ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ୫୦୦ ଟଙ୍କା ଏବଂ ୮୦ ବର୍ଷରୁ ଅଧିକ ବରିଷ୍ଠ ନଗରିକଙ୍କ ପାଇଁ ୭୦୦ ଟଙ୍କା ଭତ୍ତା ପ୍ରଦାନର ବ୍ୟବସ୍ଥା ରହିଛି । କିନ୍ତୁ ବିଜେପୁର ବ୍ଲକରେ ତାହା ପ୍ରହସନ ପାଲଟିଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ।

ଗ୍ରାମର ବିଧବା ମହିଳା କଲାବତୀ ବାଗଙ୍କ ବର୍ତ୍ତମାନ ବୟସ ୮୬ । କିନ୍ତୁ ଏଯାଏଁ ମଧୁବାବୁ ଭତ୍ତାରେ ମାସିକ ୫୦୦ ଟଙ୍କା ପାଉଛନ୍ତି । ଦୀର୍ଘ ୬ ବର୍ଷ ହେଲା ସେ ବାରମ୍ବାର ଅଭିଯୋଗ କରିଆସିଥିଲେ ସୁଦ୍ଧା ବିଜେପୁର ବ୍ଲକ ପ୍ରଶାସନ ତାଙ୍କ କଥାକୁ ଗୁରୁତ୍ୱ ଦେଉନାହାନ୍ତି । ନିର୍ବାଚନ ପୂର୍ବରୁ ଗତ ପିଠା କାର୍ୟ୍ୟକ୍ରମରେ ମଧ୍ୟ ସହାୟତା ପାଇଁ ଆବେଦନ କରିଥିଲେ ସୁଦ୍ଧା ଏଯାଏଁ କୌଣସି ପଦକ୍ଷେପ ଗ୍ରହଣ କରି ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଏନେଇ ଜୋଖିପାଲି ଯୁବ ସଙ୍ଗଠନ ୟୁଥ ଆଗେନଷ୍ଟ କରପସନ କଲବତୀଙ୍କୁ ମାସିକ ୭୦୦ ଟଙ୍କା ଲେଖାଏଁ ଭତ୍ତା ଯୋଗେଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ଟ୍ୱିଟର ମାଧ୍ୟମରେ ଅଭିଯୋଗ କରିଛନ୍ତି । ଅନୁରୂପ ଭାବେ ଗ୍ରାମର ସତ୍ୟଭାମା ସାହୁଙ୍କ ବୟସ ମଧ୍ୟ ୮୬ ହେଇଯାଇଛି ସିନା ବର୍ତ୍ତମାନ ମଧ୍ୟ ମାସିକ ୫୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଉଛି ।

ଏଠାରେ ପ୍ରଶ୍ନ ଉଠୁଛି ଯେ ଲୋକଙ୍କ ସେବା ପାଇଁ ନିଯୁକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହୋଦୟ ଏମାନଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରିବାରୁ ବଞ୍ଚିତ କରି କଣ ଯଶ ଅର୍ଜନ କରିବାକୁ ଚାହୁଁଛନ୍ତି ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵିତୀୟ ନିର୍ବାଚନ ମଣ୍ଡଳୀ କୁହାଯାଉଥିବା ବିଜେପୁର ବ୍ଲକରେ କ’ଣ ଏହା ପ୍ରକୃତରେ ୫ଟି ଓ ମୋ ସରକାର ?

Leave A Reply

Your email address will not be published.