ହାଜିରାଠାରେ ରୋ-ପାକ୍ସ ଟର୍ମିନାଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

● ହାଜିରା ଓ ଗୁଜରାଟର ଘୋଘା ମଧ୍ୟରେ ରୋ-ପାକ୍ସ ଫେରି ସେବାର କଲେ ଶୁଭାରମ୍ଭ
● ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଭାବେ କଲେ ନାମିତ
● ବିଗତ ଦୁଇ ଦଶନ୍ଧି ମଧ୍ୟରେ ଗୁଜରାଟ ତା’ର ସାମୁଦ୍ରିକ ବାଣିଜ୍ୟ ସାମର୍ଥ୍ୟ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିଛି: ପ୍ରଧାନମନ୍ତ୍ରୀ
● ଘୋଘା-ଦହେଜ ମଧ୍ୟରେ ଖୁବ୍ ଶୀଘ୍ର ଫେରି ସେବା ଆରମ୍ଭ କରିବାକୁ ସରକାର ପ୍ରୟାସ କରୁଛନ୍ତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ହାଜିରାଠାରେ ରୋ-ପାକ୍ସ ଟର୍ମିନାଲର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୁଜରାଟର ହାଜିରା ଏବଂ ଘୋଘା ମଧ୍ୟରେ ରୋ-ପାକ୍ସ ଫେରି ସେବାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ସାମିଲ ହେବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ସୁବିଧାର ହିତାଧିକାରୀମାନଙ୍କ ସହ ମଧ୍ୟ ଭାବ ବିନିମୟ କରିଥିଲେ । ଆଜି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଭାବେ ପୁନଃ ନାମକରଣ କରାଯାଇଛି ।
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଆଜି ଗୁଜରାଟବାସୀଙ୍କୁ ସେମାନଙ୍କ ଦୀପାବଳୀ ଉପହାର ମିଳିଛି । ଏଭଳି ଉତ୍ତମ ଜଳପଥ ସଂଯୋଗରୁ ସମସ୍ତେ ଉପକୃତ ହୋଇପାରିବେ । ସେ କହିଲେ ଯେ ଉତ୍ତମ ଯୋଗାଯୋଗର ସୁଯୋଗ ରହିଲେ ବ୍ୟବସାୟ ବାଣିଜ୍ୟ କାରବାର ମଧ୍ୟ ବୃଦ୍ଧି ପାଇବ । ହାଜିରା ଏବଂ ଘୋଘା ମଧ୍ୟରେ ରୋ-ପାକ୍ସ ଫେରି ସେବା ଆରମ୍ଭ ହେବା ଦ୍ୱାରା ସୌରାଷ୍ଟ୍ର ଓ ଦକ୍ଷିଣ ଗୁଜରାଟବାସୀଙ୍କ ବହୁ ଦିନର ସ୍ୱପ୍ନ ସାକାର ହୋଇପାରିଛି । କାରଣ ପୂର୍ବରୁ ଯେଉଁ ପଥକୁ ସେମାନେ ୧୦-୧୨ ଘଣ୍ଟାରେ ଯାତାୟାତ କରୁଥିଲେ ଏବେ ସେମାନେ ତାହା ମାତ୍ର ୩-୪ ଘଣ୍ଟାରେ ଯାତ୍ରା କରିପାରିବେ । ଏହା କେବଳ ସେମାନଙ୍କ ପାଇଁ ସମୟ ବଞ୍ଚାଇବ ନାହିଁ ଅପରନ୍ତୁ ସେମାନଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲାଭପ୍ରଦ ହେବ । ସେ କହିଲେ ଯେ ଏହି ନୂତନ ସେବାରୁ ପ୍ରତି ବର୍ଷ ପ୍ରାୟ ୮୦ ହଜାର ପାସେଞ୍ଜର ଟ୍ରେନ୍ ଏବଂ ୩୦ ହଜାର ଟ୍ରକ୍ ଫାଇଦା ଉଠାଇ ପାରିବେ ।
ଶ୍ରୀ ମୋଦୀ କହିଲେ ଯେ ସୌରାଷ୍ଟ୍ର ଏବଂ ସୁରଟ ମଧ୍ୟରେ ଉତ୍ତମ ଯୋଗାଯୋଗର ସୁବିଧା ସ୍ଥାପନ ହେବା ଦ୍ୱାରା ଏହି କ୍ଷେତ୍ରର ଲୋକମାନଙ୍କ ଜୀବନରେ ତାହା ବ୍ୟାପକ ଭାବେ ପରିବର୍ତ୍ତନ ଆଣିବାକୁ ଯାଉଛି । ଏହାଦ୍ୱାରା ଫଳ, ପନିପରିବା ଓ କ୍ଷୀର ଭଳି ତଟକା ପନିପରିବା ଓ ସାମଗ୍ରୀ ଅତି ସହଜରେ ଓ କମ୍ ସମୟ ମଧ୍ୟରେ ଲୋକମାନଙ୍କ ନିକଟରେ ପହଞ୍ଚିପାରିବ ଏବଂ ଲୋକ ତଥା ବ୍ୟବସାୟୀମାନେ ଉପକୃତ ହେବେ । ଏହାଦ୍ୱାରା ପ୍ରଦୂଷଣ ମାତ୍ରା ମଧ୍ୟ ହ୍ରାସ ପାଇବ । ଏଭଳି ସୁବିଧା ଓ ବ୍ୟବସ୍ଥାରେ ସାମିଲ ହୋଇଥିବା ଇଂଜିନିଅର, ଶ୍ରମିକ ଏବଂ ଅନ୍ୟ ଯେଉଁମାନେ ସଂପୃକ୍ତ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ । ଅନେକ ଚାଲେଞ୍ଜ ଭିତରେ ସୁଦ୍ଧା ସେମାନେ ସାହସିକତା ପ୍ରଦର୍ଶନ କରି ଏଭଳି କାର୍ୟ୍ୟକୁ ସାକାର କରିପାରିଥିବାରୁ ସେ ସେମାନଙ୍କ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଆଶା ପ୍ରକଟ କରି କହିଲେ ଯେ ଭାବନଗର ଓ ସୁରଟ ମଧ୍ୟରେ ଏଭଳି ଜଳପଥ ସଂଯୋଗୀକରଣ ସ୍ଥାପିତ ହେବା ଦ୍ୱାରା ଲୋକମାନେ ତା’ର ଭରପୂର ଫାଇଦା ଉଠାଇବା ଆବଶ୍ୟକ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏହି ଅବସରରେ ଗୁଜରାଟ ଯେଉଁଭଳି ଭାବେ ଏହାର ସାମୁଦ୍ରିକ ସାମର୍ଥ୍ୟର ବିକାଶ ବିଗତ ଦୁଇ ଦଶନ୍ଧି ମଧ୍ୟରେ କରିବାକୁ ସକ୍ଷମ ହୋଇଛି ତାହାର ଭୂୟସୀ ପ୍ରଶଂସା କରିଥିଲେ । ସରକାର ବନ୍ଦର ଭିତ୍ତିକ ବିକାଶକୁ ପ୍ରାଧାନ୍ୟ ଦେଉଛନ୍ତି ବୋଲି ସୂଚାଇ ସେ କହିଲେ ଯେ ଏହା ପ୍ରତ୍ୟେକ ଗୁଜାରଟବାସୀଙ୍କ ପାଇଁ ଗର୍ବ ଓ ଗୌରବର କଥା । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଅନ୍ୟାନ୍ୟ ଯେଉଁ ଜଳପଥ ବିକାଶ କାର୍ୟ୍ୟକ୍ରମ ଉପରେ ଏବେ କାର୍ୟ୍ୟ କରୁଛନ୍ତି ତାହାର ସୂଚନା ପ୍ରଦାନ କରି କହିଥିଲେ ଯେ ସେଥି ମଧ୍ୟରେ ଜାହାଜ ନିର୍ମାଣ ନୀତି ପାଇଁ ଚିଠା ପ୍ରସ୍ତୁତ କରିବା, ଜାହାଜ ନିର୍ମାଣ ପାର୍କ ଓ ସ୍ପେସିଆଲାଇଜଡ଼ ଟର୍ମିନାଲ ନିର୍ମାଣ, ଭେସେଲ ଟ୍ରାଫିକ୍ ପରିଚାଳନା ବ୍ୟବସ୍ଥାର ବିକାଶ ଏବଂ କେତେକ ଯୁଗାନ୍ତକାରୀ ଜଳପଥ ସଂଯୋଗୀକରଣ ପ୍ରକଳ୍ପ ସାମିଲ । ସେ କହିଲେ ଯେ ଏହିସବୁ ପ୍ରୟାସ ବନ୍ଦର ବିକାଶ କ୍ଷେତ୍ରକୁ ଏକ ନୂତନ ଦିଶା ପ୍ରଦାନ କରିବ । ସମଗ୍ର ତଟୀୟ ଇକୋସିଷ୍ଟମକୁ ଆଧୁନିକୀକରଣ କରିବା ପାଇଁ ପ୍ରୟାସ କରାଯିବା ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏଥି ସହିତ ବାସ୍ତବ ଭିତ୍ତିଭୂମିର ବିକାଶ ପାଇଁ ମଧ୍ୟ ସରକାର ସବୁପ୍ରକାର ପ୍ରୟାସ ଜାରି ରଖିଛନ୍ତି ।
ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଗୁଜରାଟ ସମୃଦ୍ଧିର ଦ୍ୱାର ପାଲଟିଛି ଏବଂ ଏଥିପାଇଁ ସରକାର ତଟୀୟ ଇଲାକାରେ ସବୁ ପ୍ରକାର ବିକାଶ ନିମନ୍ତେ ଯେତିକି ଗୁରୁତ୍ୱ ଆରୋପ କରିଆସୁଛନ୍ତି ଏହା ହେଉଛି ତା’ର ସୁଫଳ । ଗତ ଦୁଇ ଦଶନ୍ଧି ମଧ୍ୟରେ ଗୁଜରାଟରେ ପାରମ୍ପରିକ ବନ୍ଦର ବ୍ୟବସ୍ଥାରୁ ଏକ ନୂତନ ତଥା ଅଭିନବ ସମନ୍ୱିତ ବନ୍ଦର ବିକାଶ ମୁଣ୍ଡ ଟେକିଛି ଓ ତାହା ସମସ୍ତଙ୍କ ପାଇଁ ଅନୁକରଣୀୟ ଉଦାହରଣ ପାଲଟିଛି । ଗୁଜରାଟରେ ଥିବା ବନ୍ଦରଗୁଡ଼ିକର ଏହିସବୁ ପ୍ରୟାସର ସୁଫଳ ସାରା ଦେଶରେ ଏହାକୁ ଏକ ପ୍ରମୁଖ ସାମୁଦ୍ରିକ କେନ୍ଦ୍ରଭାବେ ସୁପ୍ରତିଷ୍ଠିତ କରିପାରିଛି । ଗତ ବର୍ଷ, ଦେଶର ମୋଟ ସାମୁଦ୍ରିକ ବାଣିଜ୍ୟର ୪୦ ପ୍ରତିଶତରୁ ଅଧିକ କେବଳ ଗୁଜରାଟ ଦେଇ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ ନିଜର ମତ ପୋଷଣ କରି କହିଲେ ଯେ ଆଜି, ସାମୁଦ୍ରିକ ବ୍ୟବସାୟ ସଂପର୍କୀତ ଭିତ୍ତିଭୂମି ଓ କ୍ଷମତା ନିର୍ମାଣ କ୍ଷେତ୍ରରେ ଗୁଜରାଟ ତାର ପୂର୍ଣ୍ଣ କ୍ଷମତା ବିନିଯୋଗ କରିପାରିଛି । ରାଜ୍ୟର ଅନେକ ଫାସିଲିଟି ଖୁବ୍ ଶୀଘ୍ର କାର୍ୟ୍ୟକାରୀ ହେବାକୁ ଯାଉଛି ଏବଂ ସେଥି ମଧ୍ୟରେ ଗୁଜରାଟା ମେରୀଟାଇମ୍ କ୍ଲଷ୍ଟର, ଗୁଜରାଟ ମେରୀଟାଇମ୍ ୟୁନିଭରସିଟି ଏବଂ ଭାବନଗରଠାରେ ନିର୍ମାଣାଧୀନ ଦେଶର ପ୍ରଥମ ସିଏନଜି ଟର୍ମିନାଲ ସ୍ଥାପନ । ଗୁଜରାଟ ମେରୀଟାଇମ୍ କ୍ଲଷ୍ଟର ବନ୍ଦର ଗିଫ୍ଟ ସିଟିଠାରେ ପ୍ରତିଷ୍ଠା କରାଯାଉଛି ଏବଂ ତାହା ଏପରି ଏକ ସମନ୍ୱିତ ବ୍ୟବସ୍ଥା ଭାବେ କାର୍ୟ୍ୟକରିବ ତାହା ବନ୍ଦରମାନଙ୍କୁ ସମୁଦ୍ର ଆଧାରିତ ସମସ୍ତ ପ୍ରକାର ଲଜିଷ୍ଟିକ୍ସ ଯୋଗାଇ ଦେବ । ସେ କହିଲେ ଯେ ସେହିସବୁ କ୍ଲଷ୍ଟର ସରକାର, ଶିଳ୍ପସଂସ୍ଥା ଏବଂ ଶୈକ୍ଷିକ ଅନୁଷ୍ଠାନମାନଙ୍କ ମଧ୍ୟରେ ଉତ୍ତମ ସହଯୋଗ ସ୍ଥାପନ ଓ ତାହାକୁ ସୁଦୃଢ଼ କରିବାରେ ସହାୟକ ହେବ । ଏହା ବ୍ୟତୀତ ସମଗ୍ର ବନ୍ଦର କ୍ଷେତ୍ର ପାଇଁ ଏହା ମୂଲ୍ୟ ବୃଦ୍ଧି କରିପାରିବ ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ନିକଟ ଅତୀତରେ ଭାରତର ପ୍ରଥମ କେମିକାଲ ଟର୍ମିନାଲ ଦାହେଜ ଠାରେ ପ୍ରତିଷ୍ଠା କରାଯାଇଥିଲା । ସେହିଭଳି ଭାରତର ପ୍ରଥମ ଏଲଏନଜି ଟର୍ମିନାଲ ଗୁଜରାଟରେ ପ୍ରତିଷ୍ଠା କରାଯାଇଛି ଏବଂ ଏବେ ଭାରତର ପ୍ରଥମ ସିଏନଜି ଟର୍ମିନାଲ ଭାବନଗର ବନ୍ଦର ଠାରେ ପ୍ରତିଷ୍ଠା ହେବାକୁ ଯାଉଛି । ଏହା ବ୍ୟତୀତ, ଭାବନଗର ବନ୍ଦର ଠାରେ ରୋ ରୋ ଟର୍ମିନାଲ ସ୍ଥାପନ, ତରଳ କାର୍ଗୋ ଟର୍ମିନାଲ ନିର୍ମାଣ ଏବଂ ନୂତନ କଣ୍ଟେନର ଟର୍ମିନାଲ ପାଇଁ ମଧ୍ୟ କାର୍ୟ୍ୟ ପ୍ରସ୍ତୁତି କରାଯାଉଛି । ଏହିସବୁ ନୂତନ ଟର୍ମିନାଲମାନ କାର୍ୟ୍ୟକ୍ଷମ ହେଲେ, ଭାବନଗର ବନ୍ଦରର ଦକ୍ଷତା ଅନେକ ଗୁଣ ବୃଦ୍ଧି ପାଇବ ।

Leave A Reply

Your email address will not be published.