jayashree

ବିକଶିତ ଭାରତ ଏବଂ ସମୁନ୍ନତ ନେପାଳ: ସହଭାଗିତାର ନୂତନ ପରିଭାଷା

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ, ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ନଭେମ୍ବର ୨୨ ଓ ୨୩, ୨୦୨୬ରେ ଭାରତ ଗସ୍ତ କରିଛନ୍ତି । ଉଭୟ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ସୌହାର୍ଦ୍ଦ୍ୟପୂର୍ଣ୍ଣ, ଗୁରୁତ୍ୱପୂର୍ଣ୍ଣ ଏବଂ ଭବିଷ୍ୟତମୁଖୀ ଆଲୋଚନା କରିବା ସହ ଦ୍ୱିପାକ୍ଷିକ ସମ୍ପର୍କର ବିସ୍ତୃତ ସମୀକ୍ଷା କରିଛନ୍ତି ।
ଉଭୟ ନେତା ସ୍ୱୀକାରକରିଛନ୍ତି ଯେ ଭାରତ ଓ ନେପାଳ ମଧ୍ୟରେ ଥିବା ପ୍ରାଚୀନ ସଭ୍ୟତାଗତ ସମ୍ପର୍କ ଏକ ବହୁମୁଖୀ ସହଭାଗିତାରେ ପରିଣତ ହୋଇଛି। ଏହି ଭାଗୀଦାରୀ ପାରସ୍ପରିକ ସମ୍ମାନ ଓ ଲାଭର ନୀତି ଉପରେ ଆଧାରିତ ହେବା ସହିତଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ଥିବା ଗଭୀର ସମ୍ପର୍କରୁ ଶକ୍ତି ଲାଭ କରିଥାଏ।
୨୦୨୬ ମସିହା ଅଗଷ୍ଟ ମାସରେ ରସୁୱା-ତ୍ରିଶୂଳୀ ଅବବାହିକା ଏବଂ ଅନ୍ୟାନ୍ୟ ସ୍ଥାନରେ ଆସିଥିବା ବନ୍ୟା ଓ ଭୂସ୍ଖଳନ ପରେ, ଭାରତ ଯେପରି ତୁରନ୍ତ ମାନବୀୟ ସହାୟତା ତଥା ଉଦ୍ଧାର କାର୍ଯ୍ୟରେ ସହଯୋଗ ଯୋଗାଇ ଦେଇଥିଲାସେଥିପାଇଁ ନେପାଳ କୃତଜ୍ଞତା ଜ୍ଞାପନ କରିଛି। ନେପାଳର ପୁନଃନିର୍ମାଣ ପ୍ରୟାସ ପାଇଁ ଆଗାମୀ ଦିନରେ ଯୋଗାଇ ଦିଆଯିବାକୁ ଥିବା ଅତିରିକ୍ତ ସହାୟତା ସମ୍ବନ୍ଧରେ ଆଲୋଚନା ଜାରି ରଖିବାକୁ ଉଭୟ ଦେଶର ନେତାମାନେ ସହମତ ହୋଇଛନ୍ତି।
ଉଭୟ ନେତା ଏକମତ ହୋଇଛନ୍ତି ଯେ, ଦ୍ୱିପାକ୍ଷିକ ଭାଗୀଦାରୀ ବର୍ତ୍ତମାନର ରାଜନୈତିକ, ଆର୍ଥିକ ଏବଂ ବୈଷୟିକ ବାସ୍ତବତାକୁ ପ୍ରତିଫଳିତ କରିବା ଉଚିତ୍। ଏହା ଏକ ଅତ୍ୟାଧୁନିକ ଏବଂ ଭବିଷ୍ୟତ-ମୁଖୀ ଆଇନଗତ ଢାଞ୍ଚା ଉପରେ ଆଧାରିତ ହେବା ଆବଶ୍ୟକ, ଯେଉଁଥିରେ ୧୯୫୦ ମସିହାର ‘ଶାନ୍ତି ଓ ବନ୍ଧୁତ୍ୱ ଚୁକ୍ତି’ ସମେତ ପ୍ରଚଳିତ ଦ୍ୱିପାକ୍ଷିକ ଚୁକ୍ତିଗୁଡ଼ିକୁ ପାରସ୍ପରିକ ସହମତି ଆଧାରରେ ସମୀକ୍ଷା କରାଯାଇପାରିବ। ଜଳ ସମ୍ପଦ, ଶକ୍ତି, ବାଣିଜ୍ୟ ଓ ବ୍ୟବସାୟ ତଥା ସୀମା ସମ୍ବନ୍ଧୀୟ ବିଷୟ ସମେତ ଅନ୍ୟ ସମସ୍ତ ବିଚାରାଧୀନ ପ୍ରସଙ୍ଗର ସମାଧାନ ପାରସ୍ପରିକ ଆଲୋଚନା ଓ ବାର୍ତ୍ତାଳାପ ମାଧ୍ୟମରେ କରାଯିବ।
ଉଭୟ ଦେଶର ଲୋକଙ୍କୁ ଲାଭଦାୟକ ସୁବିଧା ପ୍ରଦାନ କରିବା ସକାଶେ ଭାରତ-ନେପାଳ ସମ୍ପର୍କକୁ ଏକ ଆଧୁନିକ ଏବଂ ଫଳାଫଳ-ଆଧାରିତ ସହଭାଗୀତାରେ ରୂପାନ୍ତରିତ କରିବା ଲାଗି ଦୁଇ ନେତା ଏକ ‘ମିଳିତ ଦୃଷ୍ଟିକୋଣ’ ଗ୍ରହଣ କରିଛନ୍ତି । ଏହା ଭାରତ ଏବଂ ନେପାଳର ଜନସାଧାରଣ, ବିଶେଷକରି ଯୁବକମାନଙ୍କ ଆକାଂକ୍ଷା ଉପରେ ଧ୍ୟାନ ଦେଇଥାଏ ।ଏହି ଦୃଷ୍ଟିକୋଣ ନିମ୍ନଲିଖିତ ଦଶଟି ସ୍ତମ୍ଭ ଉପରେ ଧ୍ୟାନ ଦେଇ ଦ୍ୱିପାକ୍ଷିକ ଭାଗୀଦାରୀର ଭବିଷ୍ୟତ ପାଇଁ ଏକ ବିସ୍ତୃତ ରୂପରେଖ ପ୍ରଦାନ କରିବ:
୧. ବ୍ୟାପକ ଆର୍ଥିକ ଏବଂ ବିକାଶ ଭାଗୀଦାରୀ
ଭାରତର ଜାତୀୟ ଦୃଷ୍ଟିକୋଣ ‘ବିକଶିତ ଭାରତ ୨୦୪୭’ ଏବଂ ନେପାଳର ଜାତୀୟ ଆକାଂକ୍ଷା ‘ସମୁନ୍ନତ ନେପାଳ’ ମଧ୍ୟରେ ଅନେକ ସମାନତା ଓ ପାରସ୍ପରିକ ପରିପୂରକତା ରହିଛି ।ଏହାର ଉପଯୋଗ କରି ଉଭୟ ଦେଶ ମଧ୍ୟରେ ଥିବା ବ୍ୟାପକ ଆର୍ଥିକ ସମ୍ପର୍କକୁ ଆହୁରି ସୁଦୃଢ଼ କରାଯାଇପାରିବ। ଏଥିରେ ନିମ୍ନଲିଖିତ ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ ହୋଇପାରେ:
କ). ଉଭୟ ଦେଶ ମଧ୍ୟରେ ଏକ ଅଧିକ ବ୍ୟାପକ ଆର୍ଥିକ ଭାଗୀଦାରୀକୁ ସୁଗମ କରିବା ଲକ୍ଷ୍ୟରେ ବାଣିଜ୍ୟ ଓ ନିବେଶ ସମ୍ବନ୍ଧୀୟ ବ୍ୟବସ୍ଥା ଏବଂ ଚୁକ୍ତିନାମାଗୁଡ଼ିକର ସମୀକ୍ଷା କରିବା।
ଖ). ଉନ୍ନତ ପ୍ରବେଶାଧିକାର ସୁନିଶ୍ଚିତ କରିବା ଏବଂ ସଂଯୋଗୀକରଣକୁ ସୁଦୃଢ଼ କରିବା ପାଇଁ ନୂତନ ପରିବହନ ମାର୍ଗ ଏବଂ ବିମାନ ଚଳାଚଳ ପଥ ଖୋଲିବା।
ଗ). ଭାରତ-ନେପାଳ ସୀମା ନିକଟରେ ରପ୍ତାନି-ଭିତ୍ତିକ ଉତ୍ପାଦନ ପାଇଁ ‘ସୀମା-ପାର୍ ‘ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର’ କିମ୍ବା ପାର୍କ ସ୍ଥାପନ କରିବା ଦିଗରେ ସହଯୋଗ କରିବା, ଯାହା ଫଳରେ ଉତ୍ପାଦନ ଓ ଅନ୍ୟାନ୍ୟ ପ୍ରକ୍ରିୟାକରଣ ଶିଳ୍ପଗୁଡ଼ିକର ଯୋଗାଣ ଶୃଙ୍ଖଳା ସହିତ ସଂଯୋଗ ସ୍ଥାପିତ ହୋଇପାରିବ; ଏହା ସହିତ ଆଇଟି ପାର୍କ ବିକାଶ କ୍ଷେତ୍ରରେ ମଧ୍ୟ ସହଯୋଗ କରିବା।
ଘ). ନେପାଳର ପ୍ରାଥମିକତା ପ୍ରାପ୍ତ କ୍ଷେତ୍ରଗୁଡ଼ିକରେ ଭାରତୀୟ ନିବେଶକୁ ଉତ୍ସାହିତ କରାଯିବ। ଏଥିପାଇଁ ଏପରି ବ୍ୟବସ୍ଥା ଗ୍ରହଣ କରାଯିବ ଯାହା ନିବେଶକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବ ଏବଂ ବ୍ୟବସାୟ କରିବାକୁ ଅଧିକ ସହଜ ଓ ସୁବିଧାଜନକ କରିବ।
ଙ). ଭାରତ ନେପାଳକୁ ୧୫,୦୦୦ କୋଟି ଭାରତୀୟ ଟଙ୍କା (୨୪,୦୦୦ କୋଟି ନେପାଳୀ ଟଙ୍କା) ମୂଲ୍ୟର ବିକାଶମୂଳକ ସହାୟତା ପ୍ରଦାନ କରିବ। ଏଥିରେ ବିପର୍ଯ୍ୟୟ ପରବର୍ତ୍ତୀ ପୁନଃନିର୍ମାଣ ଏବଂ ନୂତନ ଭିତ୍ତିଭୂମି ପ୍ରକଳ୍ପ ପାଇଁ ୩,୫୦୦ କୋଟି ଭାରତୀୟ ଟଙ୍କା (୫,୬୦୦ କୋଟି ନେପାଳୀ ଟଙ୍କା) ଅନୁଦାନ ଏବଂ ଶକ୍ତି କ୍ଷେତ୍ରର ପ୍ରକଳ୍ପଗୁଡ଼ିକ ପାଇଁ ୧୧,୫୦୦ କୋଟି ଭାରତୀୟ ଟଙ୍କା (୧୮,୪୦୦ କୋଟି ନେପାଳୀ ଟଙ୍କା) ମୂଲ୍ୟର ‘ଲାଇନ୍ ଅଫ୍ କ୍ରେଡିଟ୍’ (ଋଣ ସୁବିଧା) ଅନ୍ତର୍ଭୁକ୍ତ ରହିଛି। ନିର୍ଦ୍ଦିଷ୍ଟ ପ୍ରକଳ୍ପଗୁଡ଼ିକ ଏବଂ ଏହି ବିକାଶମୂଳକ ସହାୟତା ପ୍ରଦାନ କରିବାର କାର୍ଯ୍ୟପଦ୍ଧତି ଉଭୟ ଦେଶର ପାରସ୍ପରିକ ବିଚାରବିମର୍ଶ ମାଧ୍ୟମରେ ଚୂଡ଼ାନ୍ତ କରାଯିବ।
୨.ଭୌତିକ ଏବଂ ଡିଜିଟାଲ୍ ଯୋଗାଯୋଗ:
ଆର୍ଥିକ ସହଯୋଗକୁ ଗଭୀର କରିବା ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଯୋଗାଯୋଗଏକ ମୁଖ୍ୟ ମାଧ୍ୟମ ଅଟେ।ଏହି କ୍ଷେତ୍ରରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ସ୍ୱୀକାର କରି, ଉଭୟ ନେତା ଅଯୋଧ୍ୟା (ଭାରତ) ଓ ଜନକପୁର (ନେପାଳ) ମଧ୍ୟରେ ସିଧାସଳଖ ଏକ୍ସପ୍ରେସ୍ ରେଳ ସେବା ଏବଂ ଧାରଚୁଲା (ଭାରତ) ଓ ଦାରଚୁଲା (ନେପାଳ) ମଧ୍ୟରେ ମହାକାଳୀ ନଦୀ ଉପରେ ଗାଡ଼ି ଚଳାଚଳ ଯୋଗ୍ୟ ସେତୁର ଲୋକାର୍ପଣ ସ୍ୱାଗତ ଜଣାଇଲେ।ସେମାନେ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ମଧ୍ୟ ସହମତ ହେଲେ:
(i) ଭୈରହୱା (ନେପାଳ) ଓ ସୁନୌଲି (ଭାରତ) ଠାରେ ଚାଲୁ ରହିଥିବା ‘ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟ’ (ଆଇସିପି) ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା; ଏବଂ ବନବାସା (ଭାରତ) ଓ ଦୋଧାରା ଚାନ୍ଦାନୀ (ନେପାଳ) ଠାରେ ନୂତନ ଆଇସିପିନିର୍ମାଣ କାର୍ଯ୍ୟକୁ ମଧ୍ୟ ତ୍ୱରାନ୍ୱିତ କରିବା।
(ii) ଜୟନଗର-ବର୍ଦ୍ଦିବାସ ଏବଂ ଯୋଗବନୀ-ବିରାଟନଗର ରେଳ ଲାଇନର ଅବଶିଷ୍ଟ ଅଂଶଗୁଡ଼ିକର କାର୍ଯ୍ୟକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା।
(iii) ରକ୍ସୌଲ-କାଠମାଣ୍ଡୁ ରେଳ ସଂଯୋଗ ପାଇଁ ‘ଫାଇନାଲ୍ ଲୋକେସନ୍ ସର୍ଭେ’ ସମ୍ପୂର୍ଣ୍ଣ ହୋଇଥିବାରୁ ଏହାକୁ ସ୍ୱାଗତ କରିବା ସହ, ଉଭୟ ଦେଶ ନେପାଳରେ ‘ପୂର୍ବ-ପଶ୍ଚିମ ରେଳ ସଂଯୋଗ’ ବିକାଶ ପାଇଁ ସହଯୋଗ କରିବାକୁ ସହମତ ହୋଇଛନ୍ତି। ଏହା ଦ୍ୱାରା ଭାରତ ଓ ନେପାଳ ମଧ୍ୟରେ ଏକ ପାରସ୍ପରିକ କାର୍ଯ୍ୟକ୍ଷମ ରେଳ ନେଟୱାର୍କ ସୃଷ୍ଟି ହେବ। ଏଥିରେ ବିଶେଷ ଭାବେ ବର୍ଦ୍ଦିବାସ-ନିଜଗଡ଼ ଅଂଶ ଏବଂ ବିରଗଞ୍ଜ-ନିଜଗଡ଼ ସଂଯୋଗକୁ ଅଗ୍ରାଧିକାର ଦିଆଯିବ।
(iv) ନୂତନ ଗାଡ଼ି ଚଳାଚଳ ଯୋଗ୍ୟ ସେତୁ ଏବଂ ବାଣିଜ୍ୟିକ କେନ୍ଦ୍ର ମାଧ୍ୟମରେ ଭାରତ ଓ ନେପାଳ ମଧ୍ୟରେ ସଡ଼କ ସଂଯୋଗକୁ ଆହୁରି ସୁଦୃଢ଼ କରିବା।
(v) ସୀମା-ପାର୍ ପେଟ୍ରୋଲିୟମ ଯୋଗାଣ ଭିତ୍ତିଭୂମିକୁ ସମ୍ପ୍ରସାରିତ କରିବା; ଏଥିରେ ଶିଲିଗୁଡ଼ି (ଭାରତ) ଏବଂ ଝାପା (ନେପାଳ)କୁ ସଂଯୋଗ କରୁଥିବା ଏକ ନୂତନ ପାଇପଲାଇନ ନିର୍ମାଣ ଅନ୍ତର୍ଭୁକ୍ତ। ଏହା ସହିତ, ଭାରତ ଓ ନେପାଳ ମଧ୍ୟରେ ଏକ ଗ୍ୟାସ୍ ପାଇପଲାଇନ ନିର୍ମାଣର ସମ୍ଭାବନା ଉପରେ ମଧ୍ୟ ବିଚାର କରାଯିବ।
(vi) ଭାରତର ‘ୟୁପିଆଇ’ ସହିତ ନେପାଳର ଜାତୀୟ ପେମେଣ୍ଟ ବ୍ୟବସ୍ଥାର ସଂଯୋଗକୁ ଆଧାର କରି, ଉଭୟ ପକ୍ଷ ସୀମା-ପାର୍ ଖୁଚୁରା ଦେୟ ବ୍ୟବସ୍ଥାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ ସହମତ ହୋଇଛନ୍ତି।
(vii) ‘ପିଏମ୍ ଗତି ଶକ୍ତି’ ଭଳି ପ୍ଲାଟଫର୍ମ ମାଧ୍ୟମରେ ସମନ୍ୱିତ ଭିତ୍ତିଭୂମି ଯୋଜନା ଏବଂ ସଂଯୋଗୀକରଣ କ୍ଷେତ୍ରରେ ସହଯୋଗ କରିବା। ନେପାଳ ନିଜର ଭୌଗୋଳିକ ଏବଂ ବିକାଶମୂଳକ ଆବଶ୍ୟକତା ଅନୁଯାୟୀ ଏହି ବ୍ୟବସ୍ଥାକୁ ଗ୍ରହଣ କରିବା ବିଷୟରେ ବିଚାର କରିପାରେ।
(viii) ଭାରତ ଓ ନେପାଳ ମଧ୍ୟରେ ଥିବା ଅନ୍ତର୍ଜାତୀୟ ସୀମାକୁ ଖୋଲା, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ରଖିବା; ଏବଂ ସୀମା-ପାର୍ ଅପରାଧ ତଥା ବେଆଇନ କାର୍ଯ୍ୟକଳାପ ବିରୋଧରେ ସହଯୋଗକୁ ସୁଦୃଢ଼ କରିବା।
୩. ଶକ୍ତି, ଜଳ ସମ୍ପଦ ଏବଂ ଜଳବାୟୁ ସହନଶୀଳତା:
ଶକ୍ତି, ଜଳ ସମ୍ପଦ ଏବଂ ଜଳବାୟୁ ସହନଶୀଳତା କ୍ଷେତ୍ରରେ ଭାରତ ଓ ନେପାଳ ମଧ୍ୟରେ ସହଯୋଗକୁ ଆହୁରି ଗଭୀର କରିବାର ପ୍ରଚୁର ସମ୍ଭାବନାକୁ ଉପଲବ୍ଧି କରି, ଉଭୟ ପକ୍ଷ ସଂସ୍ଥାଗତ ସହଯୋଗକୁ ସୁଦୃଢ଼ କରିବା, ପାରସ୍ପରିକ ଲାଭଦାୟକ ଭାଗୀଦାରୀକୁ ପ୍ରୋତ୍ସାହିତ କରିବା ଏବଂ ନିରନ୍ତର, ସହନଶୀଳ ତଥା ସମାବେଶୀ ବିକାଶ ଦିଗରେ ମିଳିତ ପ୍ରୟାସକୁ ଆଗକୁ ବଢ଼ାଇବା ପାଇଁ ସହମତ ହୋଇଛନ୍ତି। ଏହି ଲକ୍ଷ୍ୟ ହାସଲ ପାଇଁ:
I. ବିଦ୍ୟୁତ୍ କ୍ଷେତ୍ରରେ ସହଯୋଗ ପାଇଁ ଉଦ୍ଦିଷ୍ଟ ‘ଭାରତ-ନେପାଳ ଯୁଗ୍ମ ଦୃଷ୍ଟିକୋଣ ଦସ୍ତାବିଜ’ ବା ଜଏଣ୍ଟ ଭିଜନ୍ ଡକୁମେଣ୍ଟଅନୁଯାୟୀ, ନେପାଳର ଜଳବିଦ୍ୟୁତ୍ ଏବଂ ବିଦ୍ୟୁତ୍ ପରିବହନ ଭିତ୍ତିଭୂମିରେ ଅଧିକ ନିବେଶକୁ ଭାରତ ପ୍ରୋତ୍ସାହିତ କରିବ। ଅନ୍ୟପକ୍ଷରେ, ନେପାଳ ଏହି ନିବେଶ ପାଇଁ ଏକ ଅନୁକୂଳ ତଥା ପାରସ୍ପରିକ ଲାଭଦାୟକ ବ୍ୟବସ୍ଥା ସୃଷ୍ଟି କରିବା ସହ ଉଚିତ ସହଯୋଗ ଏବଂ ସୁବିଧା ଯୋଗାଇ ଦେବ। ଭାରତ ଓ ନେପାଳ ମଧ୍ୟରେ ବିଦ୍ୟୁତ୍ ବ୍ୟବସାୟକୁ ସମ୍ପ୍ରସାରିତ କରିବା ଲକ୍ଷ୍ୟରେ, ସମ୍ପୃକ୍ତ କର୍ତ୍ତୃପକ୍ଷ ପାରସ୍ପରିକ ଲାଭ ଏବଂ ବଜାର ଚାହିଦାକୁ ଆଧାର କରି ବିଦ୍ୟୁତ୍ ବାଣିଜ୍ୟକୁ ଆହୁରି ବୃଦ୍ଧି କରିବାର ସମ୍ଭାବନା ଉପରେ ବିଚାର କରିବେ।
II. ଉଭୟ ପକ୍ଷ ଜଳ ସମ୍ପଦର ପାରସ୍ପରିକ ଲାଭଦାୟକ ଉପଯୋଗ କରିବା ଏବଂ ବନ୍ୟାଜନିତ କ୍ଷୟକ୍ଷତିକୁ ହ୍ରାସ କରିବା ଉଦ୍ଦେଶ୍ୟରେ, ଚାଲୁ ରହିଥିବା ତଥା ପ୍ରସ୍ତାବିତ ଜଳବିଦ୍ୟୁତ୍ ଓ ବହୁମୁଖୀ ପ୍ରକଳ୍ପଗୁଡ଼ିକର (ଯେପରିକି ପଞ୍ଚେଶ୍ୱର, ସପ୍ତକୋଶୀ ଏବଂ ସୁନକୋଶୀ ବହୁମୁଖୀ ପ୍ରକଳ୍ପ) କାର୍ଯ୍ୟାନ୍ୱୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ।
III. ଉଭୟ ପକ୍ଷ ଜୀବନ, ଜୀବିକା ଏବଂ ଭିତ୍ତିଭୂମିର ସୁରକ୍ଷା ପାଇଁ ବିପର୍ଯ୍ୟୟ ଆଶଙ୍କା ହ୍ରାସ, ପ୍ରାକ୍ ଚେତାବନୀଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର କ୍ଷେତ୍ରରେ ଏକ ସକ୍ରିୟ ଭାଗୀଦାରୀ ଗଢ଼ିବାକୁ ସହମତ ହୋଇଛନ୍ତି।
IV. ସେମାନେ ଜଳ ପାଣିପାଗ ବିଜ୍ଞାନ ତଥ୍ୟର ବାସ୍ତବ-ସମୟ, ଦ୍ୱିପାକ୍ଷିକ ବିନିମୟ, ହିମବାହୀ ହ୍ରଦ ନିରୀକ୍ଷଣ ଏବଂ ପ୍ରାରମ୍ଭିକ ସତର୍କତାକୁ ସଂସ୍ଥାଗତ କରିବାକୁ ରାଜି ହୋଇଛନ୍ତି । ସେମାନେ ମିଳିତ ଏଚଏଡିଆରଅଭ୍ୟାସ, କ୍ଷମତା ନିର୍ମାଣ, ତାଲିମ ଏବଂ ମାନବିକ ସହାୟତା ରୂପରେ ଉଭୟ ଦେଶର ପ୍ରାସଙ୍ଗିକ ସଂସ୍ଥା ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି ।
V. ସେମାନେ ଅନ୍ତର୍ଜାତୀୟ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ମେଣ୍ଟ, ଆଇସିଆଇଏମଓଡିଏବଂ ଅନ୍ତର୍ଜାତୀୟ ବ୍ୟାଘ୍ର ମେଣ୍ଟ ସମେତ ବହୁପାକ୍ଷିକ ସଂଗଠନ ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ରାଜି ହୋଇଛନ୍ତି ।
VI. ନେପାଳରେ ସବୁଜ ହାଇଡ୍ରୋଜେନ୍ ଉପରେ ଏକ ପାଇଲଟ୍ ପ୍ରକଳ୍ପ ମାଧ୍ୟମରେ ସୌର ଉତ୍ସ ଠାରୁ ନେଇ ମାଟି ତଳେ ଥିବା ଉତ୍ସ ପର୍ଯ୍ୟନ୍ତ ଅତିରିକ୍ତ ଶକ୍ତି ଉତ୍ସ ବିକାଶରେ ସହଯୋଗ କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି ।
VII. ଭାରତ ନୀତି-ନିର୍ଦ୍ଧାରଣ, ନିୟମ, ମାନଦଣ୍ଡ, ବନୀକରଣ, ବିପଦ ମ୍ୟାପିଂ ଏବଂ ଜଳବାୟୁ ପ୍ରତିରୋଧୀ କୃଷି ଭଳି ପରିବେଶ ସମ୍ବନ୍ଧୀୟ କ୍ଷେତ୍ରରେ ନେପାଳର ଯୁବ ପେସାଦାର, ଅଧିକାରୀ ଏବଂ ବିଶେଷଜ୍ଞଙ୍କ ତାଲିମକୁ ସହଜ କରିବ।
VIII. ଭାରତ ଜଳାଶୟଗୁଡ଼ିକୁ ପୁନରୁଦ୍ଧାର ଏବଂ ଭୂତଳ ଜଳ ପ୍ରଦୂଷଣ ମୁକାବିଲା କରିବାରେ ମଧ୍ୟ ବିଶେଷଜ୍ଞ ଜ୍ଞାନ ବାଣ୍ଟିବ।
୪). ସୁଶାସନ:

ନେପାଳର ସୁଶାସନ ସହିତ ଜଡିତ ପ୍ରାଥମିକତା ଏବଂ ଭାରତ ଦ୍ୱାରା ଗ୍ରହଣ କରାଯାଇଥିବା ଆଭିମୁଖ୍ୟ ମଧ୍ୟରେ ଯଥେଷ୍ଟ ସମ୍ପର୍କ ରହିଛି, ବିଶେଷକରି ଡିଜିଟାଲ ପ୍ରଯୁକ୍ତିବିଦ୍ୟା ଗ୍ରହଣ ଏବଂ ନାଗରିକ-ସରକାର ଇଣ୍ଟରଫେସକୁ ଅଧିକ ସ୍ୱଚ୍ଛ, ସୁବିଧାଜନକ ଏବଂ ପ୍ରଭାବଶାଳୀ କରିବା ସହିତ ଜଡିତ ବିଷୟଗୁଡ଼ିକରେ। ଏହି ଦିଗରେ:
I. ‘ଡିଜିଟାଲ ନେପାଳ ଫ୍ରେମୱାର୍କ’ର କାର୍ଯ୍ୟକାରିତାକୁ ସକ୍ଷମ କରିବା ପାଇଁ, ଡିଜିଟାଲ ସାର୍ବଭୌମତ୍ୱ ଏବଂ ତଥ୍ୟ ସୁରକ୍ଷାର ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ନୀତି ଅନୁଯାୟୀ, ଡିଜିଟାଲ ପରିଚୟ, ଦେୟ ଏବଂ ଇ-ଶାସନରେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିରେ ବୈଷୟିକ ବିଶେଷଜ୍ଞତା ଏବଂ ସର୍ବୋତ୍ତମ ଅଭ୍ୟାସ ଆଦାନପ୍ରଦାନ କରାଯିବ।
II. ଭାରତରେ ନେପାଳୀ ସରକାରୀ କର୍ମଚାରୀଙ୍କ ତାଲିମ ଜାତୀୟ ସୁଶାସନ କେନ୍ଦ୍ର ମାଧ୍ୟମରେ ବ୍ୟବସ୍ଥା କରାଯିବ।
III. ଉଭୟ ପକ୍ଷ ଜାତୀୟ ଏବଂ ପ୍ରାଦେଶିକ ସ୍ତରରେ ବିଧାନସଭା ମଧ୍ୟରେ ଅଭିଜ୍ଞତା ଏବଂ ସର୍ବୋତ୍ତମ ଅଭ୍ୟାସ ଆଦାନପ୍ରଦାନ କରିବେ।
IV. ସେମାନେ ଭାରତର ପ୍ରାସଙ୍ଗିକ ଏଜେନ୍ସିଗୁଡ଼ିକରେ ଗସ୍ତ ଏବଂ ତାଲିମ କାର୍ଯ୍ୟକ୍ରମ ଆଦାନପ୍ରଦାନ ମାଧ୍ୟମରେ ସ୍ଥାନୀୟ ଶାସନରେ ସହଯୋଗକୁ ସୁଦୃଢ଼ କରିବେ।
୫). ପ୍ରଯୁକ୍ତିବିଦ୍ୟା, ମହାକାଶ ଏବଂ ଉଦ୍ଭାବନ:
ପ୍ରଯୁକ୍ତିବିଦ୍ୟାର ଅଧିକ ଗ୍ରହଣ ଓ ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ, ଏକ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର (ଟେକ୍ନୋଲୋଜି ହବ୍) ରୂପେ ବିକଶିତ ହେବା ନେଇ ନେପାଳର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଏବଂ ଏହି କ୍ଷେତ୍ରଗୁଡ଼ିକରେ ଭାରତର ଦକ୍ଷତାକୁ ବିଚାରକୁ ନେଇ, ଭାରତ-ନେପାଳ ଭାଗୀଦାରୀ ମାଧ୍ୟମରେ ନିମ୍ନଲିଖିତ ପଦକ୍ଷେପଗୁଡ଼ିକ ଗ୍ରହଣ କରାଯିବ:

I. ‘ଇଣ୍ଡିଆନ୍-ନେପାଳ ଷ୍ଟାର୍ଟଅପ୍ ପାର୍ଟନରସିପ୍ ନେଟୱାର୍କ’ -ଇନ-ସ୍ପାନର ସମ୍ପ୍ରସାରଣ; ଯେଉଁଥିରେ ଭାରତରେ ନେପାଳୀ ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରଶିକ୍ଷଣ ଓ ମାର୍ଗଦର୍ଶନ (ମେଣ୍ଟରସିପ୍) ପ୍ରଦାନ କରିବା, କାଠମାଣ୍ଡୁରେ ଏକ ‘ଷ୍ଟାର୍ଟଅପ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ’ ଏବଂ ପୋଖରାରେ ଏକ ‘ଡିଜିଟାଲ୍ ନୋମାଡ୍ସ ଆଣ୍ଡ ଇନୋଭେସନ୍ ହବ୍’ ସ୍ଥାପନ କରିବା ଅନ୍ତର୍ଭୁକ୍ତ।
II. ଘରୋଇ ନିବେଶକୁ ସୁଗମ କରିବା ସହିତ ନେପାଳରେ ‘ଡିଜିଟାଲ୍ ପାର୍କ’ ଏବଂ ‘ଡାଟା ସେଣ୍ଟର’ର ବିକାଶ।
III. କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବା; ଯେଉଁଥିରେ ‘ଭାଷିନୀ’ (ଭାଷିନୀ) ସହିତ ସହଯୋଗ ମାଧ୍ୟମରେ ନେପାଳୀ ଭାଷା ପାଇଁ ଏକ ‘ଲାର୍ଜ ଲାଙ୍ଗୁଏଜ୍ ମଡେଲ୍’ ବିକାଶ କରିବା ଅନ୍ୟତମ।
IV. ମହାକାଶ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା; ଯେଉଁଥିରେ ଉପଗ୍ରହ ବିକାଶ, ପୃଥିବୀ ପର୍ଯ୍ୟବେକ୍ଷଣ, ବିପର୍ଯ୍ୟୟ ପରିଚାଳନା ପାଇଁ ରିମୋଟ୍ ସେନ୍ସିଂ ଏବଂ କ୍ଷମତା ନିର୍ମାଣ ନିମନ୍ତେ ‘ନେପାଳ ଏକାଡେମୀ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି’ ତଥା ଅନ୍ୟାନ୍ୟ ନେପାଳୀ ସଂସ୍ଥାଗୁଡ଼ିକ ସହିତ ଇସ୍ରୋ ଏବଂ ଇନ-ସ୍ପେସର ର ସହଯୋଗ ଅନ୍ତର୍ଭୁକ୍ତ।
V. ଫାଇଭ୍ ଜି, ସିକ୍ସ ଜିଏବଂ ଅନ୍ୟାନ୍ୟ ପରବର୍ତ୍ତୀ ପିଢ଼ିର ନେଟୱାର୍କ ଭଳି ଉଦୀୟମାନ ଦୂରସଞ୍ଚାର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା।
୭). କ୍ରୀଡା:
କ୍ରୀଡାର ଅଭିବୃଦ୍ଧି ଏବଂ ଆବଶ୍ୟକ ଭିତ୍ତିଭୂମିର ବିକାଶ ଉପରେ ନେପାଳର ଗୁରୁତ୍ୱକୁ ସୁଦୃଢ଼ କରିବା ପାଇଁ, ଭାରତ ଓ ନେପାଳ ନିମ୍ନଲିଖିତ ମୁଖ୍ୟ ପଦକ୍ଷେପଗୁଡ଼ିକରେ ଏକାଠି କାମ କରିବେ:
I. ଜାତୀୟ ଓ ପ୍ରାଦେଶିକ ସ୍ତରରେ କ୍ରିକେଟ ଭିତ୍ତିଭୂମିର ବିକାଶକୁ ସମର୍ଥନ କରିବା ସହିତ ନେପାଳରେ ଏକ ଜାତୀୟ କ୍ରିକେଟ୍ ପ୍ରଶିକ୍ଷଣ ଏକାଡେମୀ ପ୍ରତିଷ୍ଠାକୁ ଭାରତ ସମର୍ଥନ କରିବ।
II. ନେପାଳର ପ୍ରାଦେଶିକ କ୍ରିକେଟ୍ ଦଳର ଖେଳାଳିମାନଙ୍କୁ ଜାତୀୟ ତାଲିମ ଏକାଡେମୀରେ ଭାରତରେ ତାଲିମ ନେବାର ସୁଯୋଗ ପ୍ରଦାନ କରାଯିବ।
III. ନେପାଳରେ ଆଧୁନିକ ବହୁ-କ୍ରୀଡା କେନ୍ଦ୍ରର ବିକାଶ ସମେତ ଅନ୍ୟାନ୍ୟ କ୍ରୀଡା ଯେପରିକି ବ୍ୟାଡମିଣ୍ଟନ, ଟେନିସ୍, ସୁଟିଂ ଏବଂ ଆଥଲେଟିକ୍ସରେ ସମାନ ସୁଯୋଗ ମଧ୍ୟ ଅନୁସନ୍ଧାନ କରାଯିବ।
IV. ମିଳିତ ଅଭିଯାନ କରିବା ସମେତ ପାର୍ବତ୍ୟ କ୍ରୀଡାରେ ସହଯୋଗ ଅନୁସନ୍ଧାନ କରାଯିବ।
V. କ୍ରିକେଟ୍, ଫୁଟବଲ୍ ଏବଂ ଅନ୍ୟାନ୍ୟ ଖେଳରେ ଭାରତ ଓ ନେପାଳର ଖେଳାଳିମାନଙ୍କୁ ପରସ୍ପରର କ୍ରୀଡା ଲିଗରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ଅନୁସନ୍ଧାନ କରିବା ନିମନ୍ତେ ଉଭୟ ଦେଶର ସମ୍ପୃକ୍ତ କ୍ରୀଡା ସଂସ୍ଥା/କର୍ତ୍ତୃପକ୍ଷଙ୍କୁ ଉତ୍ସାହିତ କରିବା।
୮). ସଂସ୍କୃତି ଏବଂ ପର୍ଯ୍ୟଟନ:
I. ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ଦ୍ୱିପାକ୍ଷିକ ସମ୍ପର୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ମଧ୍ୟରୁ ଅନ୍ୟତମ । ଏହି ସ୍ପନ୍ଦନଶୀଳ ପାରସ୍ପରିକ କ୍ରିୟାକୁ ଆହୁରି ସମୃଦ୍ଧ କରିବା ପାଇଁ:
II. ଭାରତ ଏବଂ ନେପାଳ ଧାର୍ମିକ ପର୍ଯ୍ୟଟନ ସର୍କିଟ୍ ଏବଂ ନୂତନ ଗନ୍ତବ୍ୟସ୍ଥଳ ବିକାଶ ପାଇଁ ସହଭାଗୀ ହେବେ। ଏଥିରେ ଜନକପୁର-ଅଯୋଧ୍ୟା, ଲୁମ୍ବିନୀ-ବୋଧଗୟା-ସାରନାଥ-କୁଶୀନଗର ଏବଂ କାଠମାଣ୍ଡୁ (ପଶୁପତିନାଥ)-ବାରାଣସୀକୁ ସଂଯୋଗ କରି ଏବଂ ସିଷ୍ଟର୍-ସିଟି ଚୁକ୍ତିନାମା ମାଧ୍ୟମରେ ରାମାୟଣ, ବୌଦ୍ଧ ଏବଂ ଶିବ-ଶକ୍ତି ସର୍କିଟ୍ ବିକାଶ ଅନ୍ତର୍ଭୁକ୍ତ ହେବ।
III. ସେମାନେ ନେପାଳ ଏବଂ ଭାରତରେ ଏକ ବାର୍ଷିକ ଯୁବ ସାଂସ୍କୃତିକ ମହୋତ୍ସବ ଆୟୋଜନ କରିବାକୁ ଏବଂ ଚଳଚ୍ଚିତ୍ର ନିର୍ମାଣ, ନାଟ୍ୟ ଏବଂ ସୂକ୍ଷ୍ମ କଳାରେ କଳାକାରମାନଙ୍କ ପାଇଁ ତାଲିମ ଏବଂ ଆଦାନପ୍ରଦାନକୁ ବିସ୍ତାର କରିବାକୁ ରାଜି ହୋଇଛନ୍ତି।
IV. ଲୁମ୍ବିନୀ ବୌଦ୍ଧ ବିଶ୍ୱବିଦ୍ୟାଳୟରେ ଏକ ନାଳନ୍ଦା କେନ୍ଦ୍ର ପ୍ରତିଷ୍ଠା ମାଧ୍ୟମରେ ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବଂ ଏହି ବିଶ୍ୱବିଦ୍ୟାଳୟ ମଧ୍ୟରେ ସହଯୋଗକୁ ସୁଦୃଢ଼ କରାଯିବ।
V. ସେମାନେ ପର୍ଯ୍ୟଟନ ଏବଂ ଆତିଥ୍ୟ କ୍ଷେତ୍ରରେ ଯୁବ ଉଦ୍ୟୋଗୀଙ୍କ ମଧ୍ୟରେ ସହଯୋଗକୁ ସହଜ କରିବା ଏବଂ ଦ୍ୱିପାକ୍ଷିକ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ସାମାଜିକ ଗଣମାଧ୍ୟମ ପ୍ରଭାବଶାଳୀ ଏବଂ ବିଷୟବସ୍ତୁ ସୃଷ୍ଟିକାରୀଙ୍କ ପରିଚିତି ଗସ୍ତକୁ ଉତ୍ସାହିତ କରିବାକୁ ରାଜି ହୋଇଛନ୍ତି।
୯). ସ୍ୱାସ୍ଥ୍ୟ:
ନେପାଳ ସରକାରଙ୍କ ଦ୍ୱାରା ସାରା ଦେଶରେ ମୌଳିକ ସ୍ୱାସ୍ଥ୍ୟସେବାର ଏକ ସମନ୍ୱିତ ମଡେଲ ଉପରେ ଗୁରୁତ୍ୱ ଦେବାର ସ୍ୱାସ୍ଥ୍ୟ ପ୍ରତି ଭାରତର ଆଭିମୁଖ୍ୟ ସହିତ ଯଥେଷ୍ଟ ସମନ୍ୱୟ ରହିଛି। ବିଦ୍ୟମାନ ପରିପୂରକତାକୁ ଦୃଷ୍ଟିରେ ରଖି ଏବଂ ଏହି କ୍ଷେତ୍ରରେ ଦୃଢ଼ ସହଯୋଗକୁ ପୋଷଣ କରିବା ପାଇଁ, ଉଭୟ ପକ୍ଷ:
I. ନେପାଳ ସରକାରଙ୍କ ଆବଶ୍ୟକତା ଅନୁଯାୟୀ ସ୍ୱାସ୍ଥ୍ୟ ପୋଷ୍ଟ, ପ୍ରସବ କେନ୍ଦ୍ର ଏବଂ ହସ୍ପିଟାଲ ନିର୍ମାଣ ପାଇଁ ଉଚ୍ଚ-ପ୍ରଭାବ ସମ୍ପ୍ରଦାୟ ବିକାଶ ପ୍ରକଳ୍ପ (ଏଚଆଇସିଡିପି)ମୋଡାଲିଟି ଅଧୀନରେ ପ୍ରକଳ୍ପ ହାତକୁ ନେଇ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ଼ କରିବେ।
II. ନେପାଳର ଜାତୀୟ ଚିକିତ୍ସା ପରୀକ୍ଷାଗାରକୁ ଉନ୍ନତ କରିବା ପାଇଁ ସହଯୋଗ କରିବେ।
III. ସୁଲଭ ଗୁଣାତ୍ମକ ଔଷଧର ଉପଲବ୍ଧତାକୁ ଉନ୍ନତ କରିବା ପାଇଁ ଭାରତ-ନେପାଳ ଜନ ଔଷଧି କେନ୍ଦ୍ର ପ୍ରତିଷ୍ଠା କରିବେ।
IV. ନେପାଳର ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ଦକ୍ଷତା ବିକାଶ ପାଇଁ ଭାରତୀୟ ବୈଷୟିକ ଏବଂ ଆର୍ଥିକ ସହଯୋଗ କାର୍ଯ୍ୟକ୍ରମ (ଆଇଟିଇସି) ଅଧୀନରେ ସ୍ୱାସ୍ଥ୍ୟ-ସମ୍ବନ୍ଧୀୟ କ୍ଷେତ୍ରରେ କଷ୍ଟୋମାଇଜ୍ଡ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରିବେ।
V. ଉଭୟ ଦେଶର ପ୍ରମୁଖ ଚିକିତ୍ସା ପ୍ରତିଷ୍ଠାନ ମଧ୍ୟରେ ସମ୍ପର୍କ ବୃଦ୍ଧି ଏବଂ ଛାତ୍ରଛାତ୍ରୀଓ ଅଧ୍ୟାପକ ଆଦାନପ୍ରଦାନକୁ ଉତ୍ସାହିତ କରାଯିବ ।
VI. ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ଏବଂ ନେପାଳ ସ୍ୱାସ୍ଥ୍ୟ ଗବେଷଣା ପରିଷଦ (ଏନଏଚଆରସି), ଏବଂ ଭାରତର ଔଷଧ ନିୟାମକ କର୍ତ୍ତୃପକ୍ଷ (ସିଡସିଏସସିଓ) ଏବଂ ନେପାଳ (ଔଷଧ ପ୍ରଶାସନ ବିଭାଗ) ମଧ୍ୟରେ ଗବେଷଣା ସହଯୋଗକୁ ସୁଦୃଢ଼ କରାଯିବ ।
୧୦. କୃଷି:
I. ଏହି କ୍ଷେତ୍ରରେ ଭାରତ ଓ ନେପାଳ ମଧ୍ୟରେ ଅନୁଭୂତିର ଆଦାନପ୍ରଦାନ, ପ୍ରଶିକ୍ଷଣ ଏବଂ ବିଭିନ୍ନ ଢାଞ୍ଚାଗତ ଦସ୍ତାବିଜ ସମ୍ପାଦନ ସହିତ ବ୍ୟାପକ ସହଯୋଗ ରହିଛି। ଏହି କ୍ଷେତ୍ରରେ ଭବିଷ୍ୟତମୁଖୀ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ, ଉଭୟ ପକ୍ଷ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିବେ:
II. ନେପାଳୀ କୃଷି ଉତ୍ପାଦଗୁଡ଼ିକର ମୂଲ୍ୟବୃଦ୍ଧି କରିବା ଉଦ୍ଦେଶ୍ୟରେ, ଭାରତର ଅନୁଦାନ ସହାୟତାରେ ଚିତୱାନ ଠାରେ ଏକ କୃଷି-ଶିଳ୍ପ ପାର୍କ ସ୍ଥାପନ କରିବେ।
III. ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ଆଇସିଏଆର) ଏବଂ ନେପାଳ କୃଷି ଅନୁସନ୍ଧାନ ପରିଷଦ (ଏନଏଆରସି) ମଧ୍ୟରେ ୨୦୨୬-୨୦୩୦ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟ ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବେ।
IV. ନେପାଳର ଅଧିକାରୀ, କୃଷକ ଏବଂ କୃଷି କ୍ଷେତ୍ର ସହ ଜଡ଼ିତ ଅନ୍ୟାନ୍ୟ ପେସାଦାରମାନଙ୍କ ଦକ୍ଷତା ବିକାଶ ପାଇଁ କୃଷି ଓ ପଶୁପାଳନ ସମ୍ବନ୍ଧୀୟ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିବେ।
V. ନେପାଳରେ ଏକ ଆଇସିଏଆରସେଣ୍ଟର ଅଫ୍ ଏକ୍ସଲେନ୍ସ’ ସ୍ଥାପନ କରିବେ, ପ୍ରମୁଖ କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକୁ ପରସ୍ପର ସହ ସଂଯୁକ୍ତ କରିବେ ଏବଂ ନେପାଳର ଅଧିକାରୀ, କୃଷକ ତଥା ଉଦ୍ୟୋଗୀମାନଙ୍କ ପାଇଁ କୃଷି ଓ ପଶୁପାଳନ କ୍ଷେତ୍ରରେ ସ୍ୱତନ୍ତ୍ର ପ୍ରଶିକ୍ଷଣର ଆୟୋଜନ କରିବେ।
କାର୍ଯ୍ୟକାରିତା ପଦ୍ଧତି
ଉଭୟ ପ୍ରଧାନମନ୍ତ୍ରୀ ନେପାଳର ବୈଦେଶିକ ସଚିବ ଏବଂ ଭାରତର ରାଷ୍ଟ୍ରଦୂତଙ୍କ ନେତୃତ୍ୱରେ ଗଠିତ ‘ଉଚ୍ଚ-ସ୍ତରୀୟ ନିରୀକ୍ଷଣ ଗୋଷ୍ଠୀ’କୁ ସକ୍ରିୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିରୀକ୍ଷଣ ଗୋଷ୍ଠୀ ଅନ୍ତତଃ ପ୍ରତି ଛଅ ମାସରେ ଥରେ ବୈଠକ କରିବେ ଏବଂ ନିର୍ଦ୍ଧାରିତ ପ୍ରକଳ୍ପ, ଧାରଣା ଓ ପଦକ୍ଷେପଗୁଡ଼ିକର ତ୍ୱରିତ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ସହ ଆବଶ୍ୟକୀୟ ଅନୁମତି/ଅନୁମୋଦନ ପାଇବାରେ ସହାୟତା କରିବେ।
ଉଭୟ ନେତା ଏକମତ ହୋଇଛନ୍ତି ଯେ, ଏହି ଉଚ୍ଚ-ସ୍ତରୀୟ ନିରୀକ୍ଷଣ ଗୋଷ୍ଠୀ ନିଜର ରିପୋର୍ଟ ‘ଭାରତ-ନେପାଳ ଯୁଗ୍ମ ଆୟୋଗ’ ନିକଟରେ ଦାଖଲ କରିବେ; ଯେଉଁ ଆୟୋଗର ସହ-ଅଧ୍ୟକ୍ଷତା ଉଭୟ ଦେଶର ବୈଦେଶିକ ମନ୍ତ୍ରୀମାନେ କରିଥାନ୍ତି। ନେତାମାନେ ନିଷ୍ପତ୍ତି ନେଇଛନ୍ତି ଯେ, ଭାରତ-ନେପାଳ ଯୁଗ୍ମ ଆୟୋଗର ପରବର୍ତ୍ତୀ ବୈଠକ ୨୦୨୭ ମସିହାରେ ଅନୁଷ୍ଠିତ ହେବ।
ପ୍ରଧାନମନ୍ତ୍ରୀମାନେ ଆଶା ବ୍ୟକ୍ତ କରିଛନ୍ତି ଯେ, ଏହି ‘ଯୁଗ୍ମ ଦୃଷ୍ଟିକୋଣ ଦସ୍ତାବିଜ’ ଦୁଇ ବନ୍ଧୁତ୍ୱପୂର୍ଣ୍ଣ ଦେଶ ମଧ୍ୟରେ ଏକ ଆକାଂକ୍ଷାପୂର୍ଣ୍ଣ, ଆଧୁନିକ ଓ ପାରସ୍ପରିକ ଲାଭଦାୟକ ଭାଗୀଦାରୀ ପାଇଁ ଏକ ରୂପରେଖ ପ୍ରଦାନ କରୁଛି। ସେମାନେ ଭାରତ ଓ ନେପାଳର ଅଧିକାରୀମାନଙ୍କୁ ଏହି ସାଧାରଣ ଲକ୍ଷ୍ୟ ବା ଦୃଷ୍ଟିକୋଣକୁ ବାସ୍ତବ ରୂପ ଦେବା ଦିଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.