
ରାଉରକେଲା, (ସସ୍ମିତା ପ୍ରଧାନ) : ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀ ପୂଜାର ସୁପରିଚାଳନା ନିମନ୍ତେ ଗଠିତ କେନ୍ଦ୍ରୀୟ ପୂଜା କମିଟି, (ସିପିସି) ରାଉରକେଲାର ବର୍ଷ ୨୦୨୬-୨୭ର ନିର୍ବାଚନ ଆଜି ପିଏଆଇଟିଡିଏ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ୨୦୨୬ -୨୭ ବର୍ଷ ପାଇଁ ବିରେନ୍ଦ୍ର ନାରାୟଣ ସ୍ୱାଇଁ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଛନ୍ତି । ସେ ୧୯୦ ଭୋଟ ପାଇ ବିଜୟ ହୋଇଛନ୍ତି । ତାଙ୍କର ପ୍ରତିଦ୍ୱନ୍ଦୀ ବିରାଜ ମୋହନ ବିଶ୍ୱାଳ ୮୩ ଭୋଟ ପାଇଥିବା ବେଳେ ୧୨ଟି ଭୋଟ ନାକଚ ହୋଇଛି । ଏହିପରି ବିଶ୍ଵନାଥ ଦେ (ସିପିସି) କୋଷାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ଆଜି ସକାଳ ୯ ଘଟିକାରୁ ୩ ଘଟିକା ପର୍ଯ୍ୟନ୍ତ ଆଇଟିଡିଏ ସମ୍ମିଳନୀ କକ୍ଷରେ ମତଦାନ ହୋଇଥିଲା । ସେଥିରେ ବିଭିନ୍ନ ପୂଜା କମିଟିର ମୋଟ ୨୯୮ଜଣ ସଦସ୍ୟ ଭୋଟ ଦେଇଥିଲେ । ଏହାପରେ ଉପଜିଲ୍ଲାପାଳ ପାନପୋଷ ଚନ୍ଦ୍ରକାନ୍ତ ମଲ୍ଲିକ, ରାଉରକେଲା ମହାନଗର ନିଗମର ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଡେପୁଟୀ କଲେକ୍ଟର ପ୍ରାରବ୍ଧା ବଡ଼ପଣ୍ଡା ,ସିପିସି) ରିଟର୍ଣିଂ ଅଧିକାରୀ ତଥା ରାଉରକେଲା ତହସିଲଦାର ସାଲମି ମାଝୀଙ୍କ ଉପସ୍ଥିତିରେ ଅପରାହ୍ନ ୪ ଘଟିକାରୁ ଭୋଟ ଗଣତି କରାଯାଇଥିଲା । କେନ୍ଦ୍ରୀୟ ପୂଜା କମିଟି ରାଉରକେଲାକୁ ୩ଟି ଜୋନ ରେ ଯଥା ସିଭିଲ ଟାଉନଶିପ ଜୋନ, ଷ୍ଟିଲ ଟାଉନସିପ ଜୋନ ଓ ଫର୍ଟିଲାଇଜର ଟାଉନସିପ ଜୋନରେ ଭାଗ କରାଯାଇଛି । ଏହି ତିନିଟି ଜୋନ ପାଇଁ ମଧ୍ୟ ଉପସଭାପତି, ଯୁଗ୍ମ ସମ୍ପାଦକ ଓ ୨ ଜଣ କାର୍ଯ୍ୟକାରୀ ସଦସ୍ୟ ଆଜି ନିର୍ବାଚତ ହୋଇଛନ୍ତି । ଷ୍ଟିଲ ଟାଉନସିପ ଜୋନ ପାଇଁ ଶ୍ରୀକାନ୍ତ କୁମାର ରାୟ ଉପ ସଭାପତି, ପଙ୍କଜ କୁମାର ସାମଲ ଯୁଗ୍ମ ସଂପାଦକ ସହିତ ନିହାର ରଞ୍ଜନ ସାମନ୍ତରାୟ ଓ ରାହୁଲ ରାୟ ଦ୍ୱୟ କାର୍ଯ୍ୟକାରୀ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ସେହିପରି ସିଭିଲ ଟାଉନଶିପ ଜୋନ ପାଇଁ ଧର୍ମେନ୍ଦ୍ର କୁମାର ଦୁବେ ଉପ ସଭାପତି, ପ୍ରକାଶ ଧଳ ଯୁଗ୍ମ ସଂପାଦକ, ପ୍ରତୀକ୍ଷିତ ସାଗର ଓ ପୁରୁଷୋତ୍ତମ ପାତ୍ର କାର୍ଯ୍ୟକାରୀ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ଏହା ବ୍ୟତୀତ ଫର୍ଟିଲାଇଜର ଟାଉନସିପ ଜୋନର ଅପ୍ରତିଦ୍ୱଦୀ ଭାବରେ ଦିଲ୍ଲୀପ କୁମାର ଜେନା ଉପ ସଭାପତି ହୋଇଛନ୍ତି । ପ୍ରଦୀପ ଦାଶ ଯୁଗ୍ମ ସମ୍ପାଦକ ଏବଂ ପଙ୍କଜ କୁମାର ପାଢ଼ୀ ଓ କାଳୀ ଚରଣ ବିଶ୍ୱାଳ କାର୍ଯ୍ୟକାରୀ ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି ।