ଆଭ୍ୟନ୍ତରୀଣ ଦେଢଶୂଳୀ ପଂଚାୟତରେ ନାରୀ ଶିକ୍ଷା : ପ୍ରଥମ ସ୍ନାତକୋତ୍ତର ଛାତ୍ରୀ ସୁଶାନ୍ତି ମାଝୀ

ମ.ରାମପୁର, (ହେମନ୍ତ ସାହୁ) : ଦିନେ ନାରୀ ଶିକ୍ଷାର ଚିତ୍ରକୁ ଥୋଇବାକୁ ଯାଇ ଫକୀରମୋହନ ସେନାପତି ରେବତୀ ଗଳ୍ପ ରଚନା କଲେ । ଯେଉଁଠି ତାର ଜେଜେମାଁ, ରେବତୀକୁ ପଠପଢିବାକୁ ବାରଣ କରୁଥାଏ । କିନ୍ତୁ ପରେ ପରେ ଏହି ଚିତ୍ରରେ ପରିବର୍ତ୍ତନ ଦେଖାଗଲା । ସେହି ଜେଜେମାଁ ମାନେ ହିଁ ନିଜ ନାତୁଣୀଙ୍କୁ ପାଠ ପଢିବାକୁ ପରାମର୍ଶ ଦେଲେ । ତେବେ ଆଭ୍ୟନ୍ତରୀଣ ଇଲାକାରେ ପାଠକଥା କହିଲେ, ପିଲାମାନେ ବି ଦୂରେ ରୁହନ୍ତି ପାଠପଢାରୁ । ବଣମୁଲକରେ ଏମିତି ହିଁ ଦିନ କାଟି ଦିଅନ୍ତି ସିନା ପାଠ କଥା କେହି ଚିନ୍ତା କରନ୍ତି ନାହିଁ । ତେବେ ଶିକ୍ଷାର ପ୍ରସାର ହେଇଚି,ପ୍ରଭାବ ବି ବଢିଛି । ଏବେ ଏବେ ଏହି ସବୁ ଆଭ୍ୟନ୍ତରୀଣ ଇଲାକାରୁ ବାହାରକୁ ଯାଇ ପିଲାମାନେ ଉଚ୍ଚ ଅଧ୍ୟୟନ କରୁଛନ୍ତି । ସେମିତି ଏକ ଉଦାହରଣ ଆମ ସାମ୍ନାକୁ ଆସିଛି । ଦିନେ ଦୁର୍ଗମ ଅଂଚଳ ଭାବରେ ପରିଚିତି ଲାଭ କରିଥିବା କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ପଂଚାୟତ ଦେଢଶୂଳୀ । ଯାହା ମାଣିକେରା ଠାରୁ ପ୍ରାୟ ୧୨କିଲୋମିଟର ଦୂରରେ ଅବସ୍ଥିତ । ମାଓପ୍ରବଣ ତଥା ବଣପାହାଡ଼ରେ ଘେରା ଇଲାକା । ଏବେ ଏବେ ପ୍ରଧାନମନ୍ତ୍ରୀ ସଡ଼କ ବିରିପୋଡ଼ି ଯାଏଁ ଲମ୍ବିଛି । ତେବେ ଏହି ବିରିପୋଡ଼ି ଗାଁରେ ରହୁଥିବା ଲମ୍ବୋଦର ମାଝୀ ଏବଂ ତାଙ୍କ ପତ୍ନୀ ସୁଡ଼ାଲି ମାଝୀଙ୍କ ପାଂଚପୁଅ ଝିଅ । ନିଜ କାମ ଧନ୍ଦା କରି ପରିବାରକୁ ଚଳେଇ ନିଅନ୍ତି ଲମ୍ବୋଦର । କିନ୍ତୁ ସୁଶାନ୍ତିର ପାଠପଢିବାର ଆଗ୍ରହ ପିଲାଟି ଦିନରୁ । ତେଣୁ ତାଙ୍କୁ ପ୍ରଥମେ ମୋହନଗିରୀ, ପରେ ଉର୍ଲଦାଦା ଏବଂ ଉର୍ଲଦାନୀଠାରୁ ଭୁବନେଶ୍ୱର କିସ ଯାଏଁ ପାଠ ପଢିବାକୁ ଗଲେ । କିସରେ ସେ ଏବେ ଓଡ଼ିଆ ବିଭାଗ ସ୍ନାତକୋତ୍ତର ଛାତ୍ରୀ । ତାଙ୍କ ପଂଚାୟତର ପ୍ରଥମ ସ୍ନାତକୋତ୍ତର ଛାତ୍ରୀ ସୁଶାନ୍ତୀ ମାଝୀ, ନିଜ ପ୍ରତିକ୍ରିୟାରେ କୁହନ୍ତି, ମୁଁ ପଂଚାୟତର ପ୍ରଥମ ପିଜି ଛାତ୍ରୀ ହେଇଥିବାରୁ ନିଜକୁ ଗର୍ବ ଅନୁଭବ କରେ ଏବଂ ମୋ ପ୍ରଭାବରେ ଆମ ପରିବାରେ ଥିବା ଅନ୍ୟ ଭାଇଭଉଣୀମାନେ ବି ପଢାପଢିରେ ଆଗେଇ ଚାଲିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ବିଶ୍ୱମହାମାରୀ କରୋନାର ପ୍ରଭାବ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ସହିତ ନିଜ ଗାଁ ତଥା ଆଖପାଖରେ ମୋବାଇଲ ନେଟୱାର୍କ ପାଉନଥିବାରୁ ଅନଲାଇନ କ୍ଲାସ କରିବାକୁ ସୁଶାନ୍ତି ନିଜ ଅଂଚଳର ଆଉ କିଛି ଝିଅଙ୍କ ସହିତ ମ.ରାମପୁରଠାରେ ଘରଭଡ଼ା ନେଇ ରହୁଛନ୍ତି । କେବଳ ସେତିକି ନୁହେଁ ସୁଶାନ୍ତିଙ୍କ ପାଠପଢା ତାଙ୍କ ପଂଚାୟତର ଅନ୍ୟ ଝିଅମାନଙ୍କ ପାଇଁ ବି ଉଦାହରଣ ପାଲଟିଛି । କାରଣ ଏହି ସବୁ ଇଲାକାରେ ଅଳ୍ପ ବୟସରୁ ବାହା କରେଇଦେବା, ଶିକ୍ଷାପ୍ରତି ଗୁରୁତ୍ୱ ନବୋ ସବୁଦିନିଆ କଥା । ତାରି ଭିତରେ ସୁଶାନ୍ତିଙ୍କ ଏହି ସଫଳତା ତାଙ୍କ ସହିତ ପଂଚାୟତର ଅନ୍ୟ ଝିଅମାନଙ୍କୁ ପ୍ରେରଣା ଯୋଗାଉଥିବା କହିଛନ୍ତି ଏହି ପଂଚାୟତର ପ୍ରଥମ ଶିକ୍ଷକ ସୁବାସଚନ୍ଦ୍ର ମାଝୀ ।

Leave A Reply

Your email address will not be published.

2 × 1 =