
ରାୟଗଡ଼ା : ୧୬ ବର୍ଷ ତଳର ବହୁଚର୍ଚ୍ଚିତ ଭାଗୀରଥି ମାଣ୍ଡାଙ୍ଗି ହତ୍ୟା ମାମଲାରେ ନୂଆ ମୋଡ଼ । ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କୁ ଜେଲ୍ ଯିବାକୁ ପଡ଼ିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ଼ା ଏସ୍ଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କ ଜାମିନ ଆବେଦନ ଖାରଜ ହୋଇଛି । ଫଳରେ ତାଙ୍କୁ ରାୟଗଡ଼ା ଉପକାରାଗାରକୁ ପଠାଯାଇଛି । ଏହି ମାମଲାରେ ଅଭିଯୁକ୍ତ ଇପିଲି ସନ୍ନ୍ୟାସୀ ରାଜୁ, କେ. କ୍ରିଷ୍ଣା ରାଓ ଓ ପି. ଦିଲୀପ କୁମାର ମଧ୍ୟ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ସେମାନଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହେବାରୁ ତିନିଜଣଙ୍କୁ ଜେଲ୍ ପଠାଯାଇଛି । ତେବେ ଅନ୍ୟତମ ଅଭିଯୁକ୍ତ ଆଦିନାରାୟଣ ରାଓ କୋର୍ଟରେ ହାଜର ହୋଇନଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ୨୦୧୦ ମସିହାରେ ରାୟଗଡ଼ାର ଆଦିବାସୀ ନେତା ଭାଗୀରଥି ମାଣ୍ଡାଙ୍ଗିଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା। ୨୦୧୧ରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହୋଇଥିଲା। ପରେ ଯଥେଷ୍ଟ ପ୍ରମାଣ ନଥିବା ଦର୍ଶାଇ କ୍ରାଇମବ୍ରାଞ୍ଚ ଭାସ୍କର ରାଓଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲା। ତେବେ ଏହି ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ମୃତ ଭାଗୀରଥିଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି ରାୟଗଡ଼ା ଏସ୍ଡିଜେଏମ୍ କୋର୍ଟରେ ମାମଲା ଦାୟର କରିଥିଲେ। କୋର୍ଟରେ ଶୁଣାଣି ପରେ ଅଭିଯୁକ୍ତଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଥିଲା। ପରବର୍ତ୍ତୀ ସମୟରେ ହାଇକୋର୍ଟଙ୍କ ରାୟକୁ ଜଗନ୍ନାଥ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଅଭିଯୁକ୍ତମାନଙ୍କୁ ତଳ କୋର୍ଟରେ ଆତ୍ମସମର୍ପଣ କରିବାକୁ ଆଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ଚାରିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଭାସ୍କର ରାଓଙ୍କ ସମେତ ତିନିଜଣ ଆତ୍ମସମର୍ପଣ କରି ଜାମିନ ନପାଇ ଜେଲ୍ ଯାଇଛନ୍ତି। ଦୀର୍ଘ ୧୬ ବର୍ଷ ପରେ ଏହି ହତ୍ୟା ମାମଲା ପୁଣିଥରେ ଚର୍ଚ୍ଚାକୁ ଆସିଛି।