jayashree

ପୁରୀ ଯାଇଥିଲେ ପରିବାର, ଘରେ ପଶି କଳାକନା ବୁଲାଇଲେ ଚୋର

ମୟୂରଭଞ୍ଜ : ଜଗନ୍ନାଥଙ୍କ ଦର୍ଶନ ପାଇଁ ପରିବାର ସହ ପୁରୀ ଯାଇଥିଲେ ଘର ମାଲିକ । ଘର ଖାଲି ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ଲୁଟ୍‌ କଲେ ଦୁର୍ବୃତ୍ତ ଘରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଇଛନ୍ତି । ଏଭଳି ଏକ ଚୋରି ଘଟଣା ଘଟିଛି ବୈଶିଙ୍ଗା ଥାନା ଅନ୍ତର୍ଗତ ବଙ୍ଗାଳଡାହି ଗ୍ରାମରେ । ସୂଚନା ଅନୁଯାୟୀ, ଗ୍ରାମର ମହେନ୍ଦ୍ର ନାଥ ମହାନ୍ତ ଜଣେ ଏଲ୍‌ଆଇସି ଏଜେଣ୍ଟା ଗତ ଶୁକ୍ରବାର ସେ ପତ୍ନୀ ଓ ଦୁଇ ପିଲାଙ୍କ ସହ ପୁରୀ ଯାଇଥିଲେ । ତେବେ ଏହି ସମୟରେ ତାଙ୍କ ଘରର ତାଲା ଭାଙ୍ଗି ଚୋରି ହୋଇଥିବା ନେଇ ପଡ଼ୋଶୀ ଫୋନ୍‌ ଯୋଗେ ସୂଚନା ଦେଇଥିଲେ । ଖବର ପାଇ ମହେନ୍ଦ୍ର ଶନିବାର ରାତିରେ ଘରକୁ ଫେରି ଦେଖିବା ବେଳକୁ ଘରର ପଛପଟ ଗ୍ରିଲ୍‌ ଓ କବାଟ ଭଙ୍ଗାଯାଇଥିଲା । ଦୁଇଟି ଶୋଇବା ଘରର ସାମଗ୍ରୀ ଏଣେତେଣେ ପଡ଼ିଥିବା ବେଳେ ଗଡ଼ରେଜ୍‌ ଭାଙ୍ଗି ଅଳଙ୍କାର ଲୁଟ୍‌ ହୋଇଥିବା ଜଣାପଡ଼ିଥିଲା । ଚୋରି ସାମଗ୍ରୀ ମଧ୍ୟରେ ଦୁଇଟି ସୁନା ଚେନ୍‌, ଦୁଇଟି ମଙ୍ଗଳସୂତ୍ର, ଚାରିଟି ସୁନା ମୁଦି, ଏକ ହଳ ସୁନା ପଲା ଓ ଦୁଇଟି ସୁନା ଲକେଟ୍‌ ରହିଛି । ଏଥିସହ ନଗଦ ୯ ହଜାର ୩୦୦ ଟଙ୍କା ମଧ୍ୟ ଚୋରି ହୋଇଛି । ଦୀର୍ଘଦିନର ସଞ୍ଚୟ ଲୁଟ୍‌ ହୋଇଯିବାରୁ ମହେନ୍ଦ୍ରଙ୍କ ପରିବାର ଚିନ୍ତାରେ ପଡ଼ିଛି । ଅଭିଯୋଗ ପାଇବା ପରେ ବୈଶିଙ୍ଗା ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ନେତୃତ୍ୱରେ ପୁଲିସ ତଦନ୍ତ ଆରମ୍ଭ କରିଛି । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତାରେ ଘଟଣାସ୍ଥଳରେ ଯାଞ୍ଚ କରାଯାଇଛି । ତେବେ ଚୋରିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ ଏଯାଏଁ କୌଣସି ସୁରାକ୍‌ ମିଳିନାହିଁ । ଉଲ୍ଲେଖଯୋଗ୍ୟ, ନିକଟରେ ବୈଶିଙ୍ଗା ପୁଲିସ ଦୁଇଟି ଚୋର ଗ୍ୟାଙ୍ଗକୁ ଧରିଥିଲେ ମଧ୍ୟ ଅଞ୍ଚଳରେ ଚୋରି ଘଟଣା ଜାରି ରହିଛି । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସୁରକ୍ଷାର ଭାବନା ବଢ଼ିଥିବା ବେଳେ ଚୋରଙ୍କୁ ଧରିବା ସହ ଚୋରି ରୋକିବା ପାଇଁ ପୁଲିସର ପରବର୍ତ୍ତୀ ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ।

Leave A Reply

Your email address will not be published.