jayashree

ଜିଲ୍ଲା ସ୍ତରୀୟ “ମଡେଲ ପାର୍ଲାମେଣ୍ଟ-୨୦୨୬” କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସମଗ୍ର ଶିକ୍ଷା ତରଫରୁ ସ୍ଥାନୀୟ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ “ମଡେଲ ପାର୍ଲାମେଣ୍ଟ-୨୦୨୬” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଏଡ଼ିଇଓ ପ୍ରବୀର ପଣ୍ଡା, ସୁଶ୍ରୀ ରୀନା କୁମାରୀ ବେହେରା, ସେବାଶ୍ରୀ ଭୋଇ, ପୁଇଁତଲା ବିଇଓ ରତ୍ନମୟୀ ପୁରୋହିତ, ବେଲପଡା ବିଇଓ ଅଭିନବ ମିଶ୍ର, ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଜିଲ୍ଲାର ସମସ୍ତ ପିଏମଶ୍ରୀ ବିଦ୍ୟାଳୟରୁ ୧୦୮ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସଦୀୟ କାର୍ଯ୍ୟପ୍ରଣାଳୀ, ନେତୃତ୍ୱ ଗୁଣ, ନୀତିନିୟମ ସଂକ୍ରାନ୍ତ ସଚେତନତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ବିକାଶ କରିବା ଏହି ମଡେଲ ପାର୍ଲାମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ଛାତ୍ରଛାତ୍ରୀମାନେ ନିଜେ ସଂସଦର ସଦସ୍ୟ ଭାବେ କାର୍ଯ୍ୟକରୀ ଦେଶର ବିଭିନ୍ନ ସାମ୍ପ୍ରତିକ ପ୍ରସଙ୍ଗ ଉପରେ ଗୃହର ଶୃଙ୍ଖଳା ରକ୍ଷା କରି ଯୁକ୍ତି ଓ ତଥ୍ୟ ଉପସ୍ଥାପନ କରିଥିଲେ । ବିଚାରକ ଭାବେ ପାଟଣାଗଡ ଜବାହାରଲାଲ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସୁନୀଲ କୁମାର ପଣ୍ଡା ଓ ଦେଓଗାଁ ପଂଚାୟତ ସମିତି ଡିଗ୍ରୀ କଲେଜ ରାଜନୀତି ବିଜ୍ଞାନ ଅଧ୍ୟାପକ ଡ. ସୁରେଶ ପ୍ରସାଦ ଷଡ଼ଙ୍ଗୀ ଯୋଗ ଦେଇଥିଲେ । ତୁରକେଲା ବ୍ଲକ କଣ୍ଟାବାଞ୍ଜି ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆଞ୍ଜେଲ ରାଉଳ ଓ ପୁଇଁତଲା ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ମହିମୁଣ୍ଡା ଉଚ୍ଚ ବିଦ୍ୟାଳୟର ଛାତ୍ର ବାଦଲ ନାଗ ରାଜ୍ୟସ୍ତରକୁ ଯିବାପାଇଁ ବିଚାରକ ମାନଙ୍କ ଦ୍ୱାରା ଚୟନ ହୋଇଥିଲେ ।

Leave A Reply

Your email address will not be published.