
ସମ୍ବଲପୁର : ଡେବ୍ରିଗଡ଼ ଅଭୟାରଣ୍ୟରେ ମହାବଳ ବାଘର ଦବ୍ଦବା । ଅଭୟାରଣ୍ୟରେ ପ୍ରବେଶ କରିଥିବା ଅଣ୍ଡିରା ମହାବଳ ବାଘ ଏବେ ନିଜର ପ୍ରାକୃତିକ ଶିକାର ଆଚରଣ ଆରମ୍ଭ କରିଛି । ସୋମବାର ବିଳମ୍ବିତ ସନ୍ଧ୍ୟାରେ ଅଭୟାରଣ୍ୟର କୋର୍ ଅଞ୍ଚଳରେ ଏକ ସମ୍ବର ହରିଣକୁ ଶିକାର କରିଛି ବାଘ । ଏନେଇ ବନ୍ୟପ୍ରାଣୀ ବିଭାଗର ଡିଏଫ୍ଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ବାଘଟି ଅଭୟାରଣ୍ୟର ପର୍ଯ୍ୟଟନ ଅଞ୍ଚଳରେ ବୁଲୁଥିବା ବେଳେ ଜଙ୍ଗଲ ସଫାରିରେ ଯାଇଥିବା ୪ଟି ଗାଡ଼ିର ପ୍ରାୟ ୪୦ ଜଣ ପର୍ଯ୍ୟଟକ ଏହାକୁ ଦେଖିବାର ସୁଯୋଗ ପାଇଥିଲେ । ନୂଆ ପରିବେଶରେ ନିଜ ପାଇଁ ଉପଯୁକ୍ତ ବାସସ୍ଥଳୀ ଅନୁସନ୍ଧାନ କରୁଥିବା ବାଘଟି ପର୍ଯ୍ୟଟକଙ୍କ ନଜରକୁ ଆସିଥିଲା । ପରେ ବିଳମ୍ବିତ ସନ୍ଧ୍ୟାରେ କୋର୍ ଅଞ୍ଚଳରେ ସମ୍ବର ଶିକାର କରିଥିଲା । ଅନ୍ୟପଟେ ମହାବଳ ବାଘର ସୁରକ୍ଷାକୁ ନେଇ ବନ ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ନେଇଛି । ଅଭୟାରଣ୍ୟର ନଦୀପଥ ସହ ପଶ୍ଚିମ ସୀମାନ୍ତ ଅଞ୍ଚଳରେ ପାଟ୍ରୋଲିଂକୁ ଜୋରଦାର କରାଯାଇଛି । ବାଘର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରୁଥିବା ଶିକାରୀ, ଫାଶ, ଜାଲ କିମ୍ବା ଅନ୍ୟ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି । ଏଥିପାଇଁ ପୁଲିସ, ସ୍ଥାନୀୟ ଲୋକ ଓ ସୂଚନାଦାତାଙ୍କ ସହଯୋଗ ଲୋଡ଼ିଛି ବନ ବିଭାଗ । ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ସଠିକ୍ ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ଏକ ହଜାର ଟଙ୍କା ପୁରସ୍କାର ଦିଆଯିବା ସହ ସେମାନଙ୍କ ପରିଚୟ ଗୋପନ ରଖାଯିବ । ଏହାସହ ବରଗଡ଼ ଓ ସମ୍ବଲପୁର ପୁଲିସ ମଧ୍ୟ ବାଘର ସୁରକ୍ଷା ପାଇଁ ଆବଶ୍ୟକ ସହଯୋଗ କରିବେ । ଡେବ୍ରିଗଡ଼ ଜଙ୍ଗଲରେ ମହାବଳର ସ୍ୱାଭାବିକ ବିଚରଣ ଓ ଶିକାର କରିବା ଘଟଣାକୁ ବନ୍ୟପ୍ରାଣୀ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ବାଘର ଗତିବିଧି ଉପରେ ବନ ବିଭାଗ ନିରନ୍ତର ନଜର ରଖିଛି ।