ସର୍ଗିପାଲି ଗ୍ରାମରେ ମା’ ପାଟଖଣ୍ଡାଙ୍କ ଷୋଡ଼ପୂଜା ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦୀର୍ଘ ଷୋହଳ ଦିନ ଧରି ହେବାକୁ ଥିବା ମା’ ପାଟଖଣ୍ଡାଙ୍କ ଷୋଡ଼ପୂଜା ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୁରତା ରକ୍ଷା କରି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମା’ଙ୍କ ପୂଜା ହୋଇଥାଏ । ସୂଚନା ଏହି କି, ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ବ୍ଳକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସର୍ଗିପାଲି ଗ୍ରାମରେ ମା’ଙ୍କ ପୀଠରେ ପୂଜା ଆରମ୍ଭ କରାଯାଇଛି । ଉକ୍ତ ପୂଜାରେ ମୋହନ ସାହୁ ପୂଜାବିଧି କରିଥିବା ବେଳେ ରଘୁବୀର ସାହୁ ଓ ଗୁଣନିଧି ଭୋଇ ଦେହୁରୀ ଦାୟିତ୍ୱ ତୁଲାଇଥାନ୍ତି ଏବଂ ଉକ୍ତ ଦିନ ଭରତ ସାହୁ ଓ ମାଧବ ସାହୁ ପୂଜାରେ ସହଯୋଗ କରିଥିଲେ । ତେବେ ଉକ୍ତ ପୂଜା ପୁଅ ଜିଉତିଆ ଦିନ ଠାରୁ ଦଶହରା ପୂଜା ଦିନ ପର୍ୟ୍ୟନ୍ତ ଚାଲିଥିବା ବେଳେ ତା’ ପରଦିନ ମା’ ପାଟଖଣ୍ଡା ସର୍ଗିପାଲି ଦେ’ଝାର ଜଙ୍ଗଲ ଠାରୁ ବାହାରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଯିଏ ଯାହା ମନସ୍କାମନା କରି ଭକ୍ତମାନେ ମା’ ଙ୍କ ପୀଠକୁ ଆସିଥାନ୍ତି, ତାହା ପୁରଣ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ଅନ୍ୟ ବର୍ଷ ଷୋହଳ ଦିନ ପୂଜାକୁ ବହୁ ଆଡମ୍ବର ସହିତ ପାଳନ କରାଯାଇଥାଏ । କିନ୍ତୁ ସରକାରଙ୍କ ନିୟମକୁ ଦୃଷ୍ଟିରେ ରଖି ସାମାଜିକ ଦୁରତା ଅବଳମ୍ବନ କରି ଉକ୍ତ ପର୍ବ ପାଳିତ ହୋଇଯାଇଛି ।

Leave A Reply

Your email address will not be published.