ଅସହାୟଙ୍କୁ ସାହା ହୁଅ : ଦୁଃଖିନୀ ସତ୍ୟବତୀର ଦୁଃଖ କହିଲେ ନସରେ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅଧୀନସ୍ଥ କଟାବାହାଲ ଗ୍ରାମପଂଚୟତର ଯୁବାଖୋଲ ଏକ ପଲ୍ଲୀ ଗ୍ରାମ । ଜଣେ ଅସହାୟ ମହିଳା ସତ୍ୟବତୀ ସାହୁ , ସ୍ୱାମୀ ମୁରଲୀଧର ସାହୁ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ବହୁଦିନରୁ ଆର ପାରିକୁ ଚାଲିଗଲେଣି । ବିଧବା ମା’ ସତ୍ୟବତୀ ଏକ ମାତ୍ର ବଢ଼ିଲା ଝିଅକୁ ଧରି ରହୁଛି ଯୁବାଖୋଲ ଗ୍ରାମରେ । ମୁରଲୀ ପଦ୍ମପୁର ସ୍ଥିତ ଏକ ହୋଟେଲରେ ପରିବାର ଭରଣ ପୋଷଣ ପାଇଁ କାମ କରି ଦୁଃଖକଷ୍ଟ ଚଳି ଆସୁଥିଲେ । ତାଙ୍କ ଦେହାନ୍ତ ପରେ ସ୍ତ୍ରୀ ସତ୍ୟବତୀଙ୍କ ମୁଣ୍ଡରେ ଚଡକ ପଡିଗଲା । କରିବେ କଣ ?ଶେଷରେ ମୁଲ ଲାଗି ଝିଅକୁ ପାଠ ପଢ଼ାଇଲେ । ମୁହଁକୁ ଗଣ୍ଡେ ଆହାର ଦେଲେ ସତ, କିନ୍ତୁ ଝିଅ ଶୁଣି ପାରେନି କିମ୍ବା ଭଲଭାବରେ ଖାଇ ପାରେନି । ଏଇଥି ପାଇଁ ସତ୍ୟବତୀ ସମ୍ପୁର୍ଣ୍ଣ ବର୍ତମାନ ଭାଙ୍ଗି ପଡିଛନ୍ତି ।

ମା’ ଭତ୍ତା ଟଙ୍କା ପାଉଛନ୍ତି, ହେଲେ ମୁଣ୍ଡ ଗୁଂଜିବାକୁ ପକ୍କାଘର ଖଣ୍ଡିଏ ନାହିଁ । ଏଣୁ ସରକାରୀ ସ୍କିମ ହିସାବରେ ପ୍ରଧାନମନ୍ତ୍ରୀ ଆବାସ ଗୃହଟିଏ ମିଳିଲେ ସେ ଉପକୃତ ହୋଇପାରନ୍ତେ । ଝିଅର ଚିକିତ୍ସା ସୁବିଧା ସୁଯୋଗ ସମେତ ପାଠପଢ଼ାର ଦାୟିତ୍ୱ ପାଇଁ ସରକାର ସହାୟ ହେଲେ ତାଙ୍କ ଜୀବନରେ ଆଚ୍ଛାଦିତ କଳା ବାଦଲ ହଟିଯିବ ବୋଲି ଏଠାକାର ସଚେତନ ନାଗରିକମାନଙ୍କଠାରୁ ପ୍ରକାଶ । ଏଣୁ ଏଭଳି ପରିବାରଙ୍କୁ ଚିହ୍ନଟ କରି ବିଡିଓ ମହାଶୟ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବୀ ହୁଏ ।

Leave A Reply

Your email address will not be published.