ମଦ ପିଇବାକୁ ଡାକି ନେଇ ଜୀବନରେ ମାରିଦେଲା : ଅଭିଯୁକ୍ତ ଥାନାରେ ଅଟକ

କଂଟାବାଂଜି, (ଗୁରୁଦୟାଲ ହଂସ) : ମଦ ପିଇବାକୁ ଡାକି ନେଇ ଜୀବନରେ ମାରି ଦେଇଥିବା ଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ କଂଟାବାଂଜି ଥାନା ହିଆଁଲ ଗ୍ରାମର କ୍ଷେତ୍ରୀ ସଗରିଆ(୫୫), ପିତା- ଦୁକାଲୁ ସଗରିଆଙ୍କୁ ସେହି ଗାଁର ବନଗୁଲା ଗଏଁତା(ବନ) ସୋମବାର ଦିନ ଗାଁରୁ ଡାକି ନେଇ କଂଟାବାଂଜି ସହରକୁ ଯାଇଥିଲା । ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ପୂର୍ବରୁ ଶତ୍ରୁତା ଥିଲା । ଦୁହେଁ ସଂଧ୍ୟାରେ ନିଜ ଗାଁକୁ ଫେରିବା ମଧ୍ୟରେ ଗୋଳମାଳ ହୋଇ ବନଗୁଲା ଗଏଁତା ମରଣାନ୍ତକ ଆକ୍ରମଣ କରିଥିଲା । ତେବେ ଏହି ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଥିବା କ୍ଷେତ୍ରୀକୁ କଂଟାବାଂଜିରୁ ଡାକ୍ତରଖାନାରୁ ବଲାଙ୍ଗିର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଜିଲ୍ଲା ଡାକ୍ତରଖାନାରେ ମଂଗଲବାର ଦିନ କ୍ଷେତ୍ରୀ ସଗରିଆଙ୍କ ମୃତ୍ୟୁ ଘଟିଛି । ମୃତକର ପରିବାର ଏ ସଂପର୍କରେ ଥାନାରେ ଏକ ଅଭିଯୋଗ ଦେଇଛନ୍ତି । କ୍ଷେତ୍ରୀର ମୃତ୍ୟୁ ଘଟଣା ପରେ କଂଟାବାଂଜି ପୋଲିସ ବନଗୁଲାକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.