
ହଳଦୀ ପଞ୍ଚାୟତର ସରପଞ୍ଚ ଆସନ ଏସ୍ଟି ପୁରୁଷ ପଦବୀରେ ସଂରକ୍ଷଣ ଦାବିରେ ବଲାଙ୍ଗିର ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଆସନ ସଂରକ୍ଷଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି । ପୂର୍ବ ନିର୍ବାଚନ ଗୁଡ଼ିକର କ୍ରମିକ ସଂରକ୍ଷଣ ବ୍ୟବସ୍ଥାକୁ ଆଧାର କରି ଆସନ୍ତା ନିର୍ବାଚନରେ ଏହି ପଦବୀ ଅନୁସୂଚିତ ଜନଜାତି (ଏସ୍.ଟି.) ପୁରୁଷ ବର୍ଗ ପାଇଁ ସଂରକ୍ଷିତ ରଖିବାକୁ ଦାବି କରି ଆଜି ବଲାଙ୍ଗିର ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ନିକଟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଛି । ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ସତ୍ୟ ନାରାୟଣ ଭୋଇ, ମୁରିବାହାଲ ବ୍ଲକ୍ ସଭାପତି ଲକ୍ଷ୍ମୀକାନ୍ତ ଧରୁଆ ଓ କନ୍ଧ ସମାଜ ଓଡ଼ିଶା ସାଧାରଣ ସମ୍ପାଦକ ଖୁସିରାମ ଯାନୀଙ୍କ ନେତୃତ୍ୱରେ ମଧୁ ଯାନୀ, ଦୁଷି ମଣି ପ୍ରଧାନୀ, ତୁଳସୀରାମ ଭୋଇ, ସୂର୍ଯ୍ୟକାନ୍ତ ମାଝୀ, ଭୀଷ୍ମ ରଣା, କୁଶ ଛତ୍ରିଆ ଓ ପ୍ରଦୀପ ମହାକୁରଙ୍କ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବିଗତ ବର୍ଷ ଗୁଡ଼ିକରେ ଏହି ପଞ୍ଚାୟତରେ ୨୦୦୨ରେ ଏସ୍.ଟି. (ମହିଳା), ୨୦୦୭ରେ (ସାଧାରଣ ବର୍ଗ), ୨୦୧୨ରେ (ପଛୁଆ ବର୍ଗ), ୨୦୧୭ରେ (ସାଧାରଣ ବର୍ଗ) ଏବଂ ୨୦୨୨ରେ ଏହି ପଞ୍ଚାୟତ (ଏସ୍.ସି. ମହିଳା)ଙ୍କ ପାଇଁ ସରପଞ୍ଚ ଆସନ ସଂରକ୍ଷଣ ଥିବା ନେଇ ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଅତୀତର ଏହି କ୍ରମିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ହଳଦୀ ପଞ୍ଚାୟତର ସରପଞ୍ଚ ପଦବୀ ଆସନ୍ତା ନିର୍ବାଚନରେ ଏସ୍.ଟି. ପୁରୁଷ ବର୍ଗ ପାଇଁ ହେବା ଉଚିତ ବୋଲି ଆବେଦନକାରୀମାନେ ଦୃଢଭାବେ ଦର୍ଶାଇଛନ୍ତି । ପ୍ରଶାସନ ଏହି ଲିଖିତ ଦାବିପତ୍ରକୁ ଗୁରୁତ୍ୱର ସହ ବିଚାର କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ନିବେଦନ କରିଛନ୍ତି ।