
ବରଗଡ଼, (ନିରୋଜ କୁମାର ପାଣୀ) : ବିଶ୍ୱର ସର୍ବବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ ବରଗଡ଼ର ଐତିହାସିକ ଧନୁଯାତ୍ରାର ୭୯ତମ ସଂସ୍କରଣ ପାଇଁ ନୂତନ ମହାରାଜା କଂସ ଭାବେ ଗୋଲାପ ଚନ୍ଦ୍ର ଦାସ ମନୋନୀତ ହୋଇଛନ୍ତି । ମହାମନ୍ତ୍ରୀ ଚରିତ୍ରରୁ ମହାରାଜା କଂସଙ୍କ ଗୁରୁଦାୟିତ୍ୱକୁ ଉନ୍ନୀତ ହୋଇଥିବା ଏହି ଅଭିଜ୍ଞ କଳାକାରଙ୍କ ଚୟନକୁ ନେଇ ଧନୁଯାତ୍ରା ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି । ଶୁକ୍ରବାର ବରଗଡ଼ଠାରେ ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କଂସ ଚୟନ ପ୍ରକ୍ରିୟାରେ ବିଚାରକ ମଣ୍ଡଳୀ ଶ୍ରୀ ଦାସଙ୍କୁ ଏହି ମର୍ଯ୍ୟାଦାଜନକ ଭୂମିକା ପାଇଁ ଚୂଡ଼ାନ୍ତ କରିଥିଲେ । ଚଳିତ ବର୍ଷ କଂସ ଭୂମିକା ପାଇଁ କଳାକାରମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖା ଦେଇଥିଲା । ଗତ ନଭେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଇଥିବା ବେଳେ ମୋଟ ୪୪ ଜଣ କଳାକାର ଆବେଦନ କରିଥିଲେ । ନଭେମ୍ବର ୨୭ ତାରିଖରେ ଅନୁଷ୍ଠିତ ଚୂଡ଼ାନ୍ତ ଅଡିସନ୍ରେ ୨୮ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ପ୍ରତିଯୋଗୀଙ୍କ ଶାରୀରିକ ଗଠନ, ଉଚ୍ଚତା, କଣ୍ଠସ୍ୱର, ସଂଳାପ ଉଚ୍ଚାରଣ, ଅଭିନୟ ଦକ୍ଷତା ଓ ପୌରାଣିକ ଜ୍ଞାନ ଆଦି ବିଭିନ୍ନ ମାପଦଣ୍ଡକୁ ଆଧାର କରି ବିଚାରକ ମଣ୍ଡଳୀ ମୂଲ୍ୟାୟନ କରିଥିଲେ । ଏହି ସମସ୍ତ ମାପଦଣ୍ଡରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଗୋଲାପ ଚନ୍ଦ୍ର ଦାସ ମହାରାଜା କଂସ ଭାବେ ମନୋନୀତ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ, ଗୋଲାପ ଚନ୍ଦ୍ର ଦାସ ବରଗଡ଼ ଧନୁଯାତ୍ରା ମଞ୍ଚ ପାଇଁ ଜଣେ ପରିଚିତ ଚେହେରା । ପୂର୍ବରୁ ସେ ରାଜଦରବାରରେ ମହାମନ୍ତ୍ରୀ ଭୂମିକାରେ ନିଜର ନିଖୁଣ ଅଭିନୟ, ଦମ୍ଦାର ସଂଳାପ ଓ ମଞ୍ଚ ଉପସ୍ଥାପନା ମାଧ୍ୟମରେ ଦର୍ଶକଙ୍କ ମନ ଜିଣିଥିଲେ । ଦୀର୍ଘଦିନର ମଞ୍ଚ ଅଭିଜ୍ଞତା ଓ ଅଭିନୟ ଦକ୍ଷତା ତାଙ୍କୁ ଏହି ଗୁରୁଦାୟିତ୍ୱ ପାଇଁ ଅଧିକ ଯୋଗ୍ୟ କରିଥିବା ମତ ପ୍ରକାଶ ପାଇଛି । ତାଙ୍କ ଚୟନ ପରେ ଚଳିତ ବର୍ଷର ଧନୁଯାତ୍ରାକୁ ନେଇ କଳାପ୍ରେମୀ ଓ ଦର୍ଶକଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି ହୋଇଛି ।