jayashree

ବ୍ରହ୍ମପୁର ରେଳଷ୍ଟେସନରୁ ୧୫୦ରୁ ଊର୍ଦ୍ଧ୍ୱ ନାଗରିକଙ୍କ ସ୍ୱତନ୍ତ୍ର ଟ୍ରେନ୍‌ରେ ଗୁଜରାଟର ଏକତା ନଗରକୁ ଯାତ୍ରା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ତଥା ଜାତୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରଠାରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ୧୫୦ରୁ ଊର୍ଦ୍ଧ୍ୱ ନାଗରିକ ଆଜି ଅପରାହ୍ନରେ ବ୍ରହ୍ମପୁର ରେଳଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ଯାତ୍ରା ଆରମ୍ଭ କରିଛନ୍ତି । ଏଥିରେ ଗଞ୍ଜାମ ଜିଲ୍ଲାରୁ ୫୨ ଜଣ ନାଗରିକ ସାମିଲ ହୋଇଛନ୍ତି । ଏକତା ନଗର ଅଭିମୁଖେ ଯାଉଥିବା ସ୍ୱତନ୍ତ୍ର ଟ୍ରେନ୍‌କୁ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ମଧ୍ୟାହ୍ନରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ, ଦେଶର ଏକତା ଓ ଅଖଣ୍ଡତା ରକ୍ଷା ଦିଗରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅବଦାନ ଚିରସ୍ମରଣୀୟ । ଜାତୀୟ ଏକତା ଦିବସର ଏହି କାର୍ଯ୍ୟକ୍ରମରେ ଯୋଗଦେଉଥିବା ନାଗରିକମାନେ ଏକତା ଓ ଅଖଣ୍ଡତାର ବାର୍ତ୍ତା ନେଇ ଫେରିବା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହାର ପ୍ରଚାରପ୍ରସାର କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଉଦ୍ୟମ ଓ ନେତୃତ୍ୱରେ ଭାରତ ଆଜି ନକ୍ସଲ ମୁକ୍ତ ହୋଇପାରିଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଜି (ଦକ୍ଷିଣାଞ୍ଚଳ) ଜୟନାରାୟଣ ପଙ୍କଜ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଏସ୍‌ପି ଅଭିନବ ସୋନକର, ଗଞ୍ଜାମ ଏସ୍‌ପି ହରିଶ ବିସି, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ଓ ସୁନୀଲ କେରକେଟ୍ଟା, ବ୍ରହ୍ମପୁର ମହାନଗର ନିଗମ ଆୟୁକ୍ତ ଆକବରମ ସସ୍ୟା ରେଡ୍ଡୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଦାମ କୁମାର ସ୍ୱାଇଁ ଏବଂ ବ୍ରହ୍ମପୁର ରେଳଷ୍ଟେସନ ପରିଚାଳକ ଦୁର୍ଗା ପ୍ରସାଦ ବ୍ରହ୍ମାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.