
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଓ ପ୍ରଶାସନର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା । ମନ୍ତ୍ରୀ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ବ୍ରହ୍ମପୁର ଏସ୍ପି ଅଭିନବ ସୋନକର ଓ ସ୍ଥାନୀୟ ଅଧିକାରୀଙ୍କ ସହ ଗୋପାଳପୁର ବାତ୍ୟା ଆଶ୍ରୟସ୍ଥଳୀ ଓ ବେଳାଭୂମି ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ଅବସରରେ ଭାବିନାରାୟଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ଲୋକଙ୍କୁ ମନ୍ତ୍ରୀ ଭେଟି ସେମାନଙ୍କ ରହିବା ବ୍ୟବସ୍ଥା, ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ଲୋକଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇଦେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏଥିସହ ସରକାରୀ ଜମିରେ ବସବାସ କରୁଥିବା ଯୋଗ୍ୟ ପରିବାରଗୁଡ଼ିକୁ ସରକାରଙ୍କ ପକ୍ଷରୁ ଗୃହ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ । ଏହି ପରିଦର୍ଶନ ସମୟରେ ରଙ୍ଗେଇଲୁଣ୍ଡା ବିଡ଼ିଓ ବିଶ୍ୱଜିତ ରାୟ, ଗୋପାଳପୁର ଏନଏସିର ନିର୍ବାହୀ ଅଧିକାରୀ ମନୋଜ ନାହାକ, ସ୍ଥାନୀୟ ଜନପ୍ରତିନିଧି ଓ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।