କରୋନାରୁ କରୁଣ ପରିସ୍ଥିତି : ସପ୍ତାହେ ମଧ୍ୟରେ ଉଭୟ ବାପ ପୁଅଙ୍କ ଜୀବନ ନେଲା କରୋନା, ସାହାଯ୍ୟର ହାତ ବଢାଇଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ସଂକଳ୍ପ ପରିବାର ତରଫରୁ ଆଜି କରୋନା ମୃତକଙ୍କ ଶବ ସତ୍କାର କରାଯାଇଛି । ମୃତକ ଜଣକ ହେଲେ ସହେଲା ବ୍ଲକ ଚିଛିଣ୍ଡା ଗ୍ରାମର ପ୍ରଦୀପ ନାଏକ(୪୨) । ସୂଚନା ଅନୁସାରେ ସେ ସହେଲା ପଶୁ ଡାକ୍ତରଖାନାରେ ଗୋମିତ୍ର ଭାବରେ କାର୍ୟ୍ୟରତ ଥିଲେ । ମୃତ ପ୍ରଦୀପ ଗତ ମାସ ୩୦ ତାରିଖରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନିଜ ଘରେ ହୋମ ଆଇସୋଲେସନ୍‌ରେ ରହି ଚିକିତ୍ସିତ ହେଉଥିଲେ । ଆଜି ଭୋରରୁ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ହୋମ କ୍ୱାରାଣ୍ଟାଇନରେ ଥିବା ଯୋଗୁ ସଂକଳ୍ପ ପରିବାରକୁ ଶବ ସତ୍କାର ପାଇଁ ଅନୁରୋଧ କରିଥିଲେ । ତେବେ ଆଜି ସଂକଳ୍ପ ପରିବାର ଦ୍ୱାରା ପିପଲମୁଣ୍ଡାରେ ଥିବା କୋଭିଡ ସ୍ୱର୍ଗଦ୍ୱାରରେ ତାଙ୍କର ଶବ ସତ୍କାର କରାଯାଇଥିଲା ।

ପ୍ରକାଶ ଥାଉ ଯେ, ଗତ ୨୯ ତାରିଖ ଗୁରୁବାର ଦିନ ତାଙ୍କର ବାପା ଚନ୍ଦ୍ରଶେଖର ନାଏକ ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇ ମୃତୁବରଣ କରିଥିଲେ । ତେଣୁ ଗୋଟିଏ ସପ୍ତାହ ମଧ୍ୟରେ ଉଭୟ ବାପ ପୁଅଙ୍କ ଜୀବନ ଚାଲିଯାଇଥିବାରୁ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ସଂକଳ୍ପ ପରିବାର ତରଫରୁ ବିକାଶ ଅଗ୍ରୱାଲଙ୍କ ନେତୃତ୍ୱରେ ନିଧାନ ଦନ୍ତା, ନିଲେଶ ପଧାନ, ବିକାଶ ଭୋଇ, ସୁମନ୍ତ ଭୋଇ ପ୍ରମୁଖ ଶବ ସତ୍କାରରେ ସହଯୋଗ କରିଥିବା ବେଳେ ମୃତକଙ୍କ ପୁଅ ପ୍ରେମାନନ୍ଦ ନାଏକ ପିପିଇ କିଟ ପିନ୍ଧି ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.