
- ୫ ଲକ୍ଷ ଟଙ୍କାର ଉନ୍ନତିକରଣ ପରେ ଅଳ୍ପଦିନରେ ବେହାଲ, ନିର୍ମାଣ ମାନକୁ ନେଇ ପ୍ରଶ୍ନ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ସରକାରୀ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଉଛି, ହେଲେ ନିର୍ମାଣର ସ୍ଥାୟୀତ୍ୱ ନେଇ ପୁଣି ଉଠିଛି ପ୍ରଶ୍ନ । ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟରେ ଉନ୍ନତିକରଣ ହୋଇଥିବା କଲଭର୍ଟ ରାସ୍ତାରେ ଅଳ୍ପଦିନ ମଧ୍ୟରେ ବୃହତ୍ ଗର୍ତ୍ତ ସୃଷ୍ଟି ହୋଇଛି । ଫଳରେ ଯାତାୟାତ ବିପଦସଙ୍କୁଳ ହୋଇପଡ଼ିଥିବା ବେଳେ ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ଦେଖାଦେଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ସଲାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଜାର୍ଗୀଭଟା-ପାଜିକୁଟୀ ରାସ୍ତାରେ ଥିବା କଲଭର୍ଟରେ ଏଭଳି ଦୁରବସ୍ଥା ଦେଖିବାକୁ ମିଳିଛି । କିଛି ମାସ ପୂର୍ବରୁ ଏହି କଲଭର୍ଟର ଉନ୍ନତିକରଣ କରାଯାଇଥିଲା । ମାତ୍ର ନିର୍ମାଣ ପରେ ଅଳ୍ପ ସମୟ ମଧ୍ୟରେ ରାସ୍ତା ମଝିରେ ବଡ଼ ଗର୍ତ୍ତ ସୃଷ୍ଟି ହେବା ଯୋଗୁଁ କାମର ମାନ ଓ ତଦାରଖ ବ୍ୟବସ୍ଥା ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀଙ୍କ ସମେତ ଅଞ୍ଚଳବାସୀ ଯାତାୟାତ କରୁଛନ୍ତି । ରାସ୍ତା ମଝିରେ ଗର୍ତ୍ତ ଥିବାରୁ ବିଶେଷକରି ଦୁଇଚକିଆ ଯାନ ଚାଳକମାନେ ଅଧିକ ସମସ୍ୟାରେ ପଡ଼ୁଛନ୍ତି । ଗର୍ତ୍ତଟି ଦିନକୁ ଦିନ ବଡ଼ ହେଉଥିବାରୁ ଯାନବାହନ ଚଳାଚଳ ସମୟରେ ଦୁର୍ଘଟଣାର ଭୟ ମଧ୍ୟ ବଢ଼ିଛି । ରାତି ସମୟରେ ଆଲୋକ ଅଭାବରୁ ଗର୍ତ୍ତଟି ସହଜରେ ଦୃଷ୍ଟିଗୋଚର ହେଉନଥିବାରୁ ବିପଦ ଆହୁରି ଗୁରୁତର ହୋଇପଡ଼ିଛି । ଅଞ୍ଚଳବାସୀଙ୍କ କହିବା ନୁଯାୟୀ, ନିର୍ମାଣ ସମୟରୁ ହିଁ କାମର ମାନକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା । ଏନେଇ ସମ୍ପୃକ୍ତ ସ୍ଥାନୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ କାମ ଠିକ୍ ଭାବେ ହୋଇଥିବା କହି ଅଭିଯୋଗକୁ ଏଡ଼ାଇ ଦିଆଯାଇଥିଲା ବୋଲି ସେମାନେ କହିଛନ୍ତି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ପରେ ଯଦି କିଛି ମାସ ମଧ୍ୟରେ ରାସ୍ତାର ଏଭଳି ଅବସ୍ଥା ହୁଏ, ତେବେ ନିର୍ମାଣର ମାନ ଓ ତଦାରଖକୁ ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେଣୁ ତୁରନ୍ତ ଗର୍ତ୍ତଟିର ମରାମତି କରିବା ସହ ଉକ୍ତ କାର୍ଯ୍ୟର ମାନ ଯାଞ୍ଚ କରି ଦାୟୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ସଲାଗୁଡ଼ା ପଞ୍ଚାୟତବାସୀ ଦାବି କରିଛନ୍ତି ।