ପତ୍ନୀଙ୍କୁ ମାରି ବାଡି ପଟେ ପୋତିଦେଲେ ସ୍ଵାମୀ

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କେନ୍ଦ୍ରୀକଳା ପଞ୍ଚାୟତ ବଇଦପାଲି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ପତ୍ନୀଙ୍କୁ କୋଦାଳ ବେଣ୍ଟରେ ପିଟି ପିଟି ହତ୍ୟା କରିବା ପରେ ମୃତଦେହକୁ ଘରର ବାଡ଼ି ପଟେ ପୋତିଦେଲେ ସ୍ଵାମୀ । ରବିବାର ରାତି ୮ଟାରେ ଏଭଳି ବିଭତ୍ସ କାଣ୍ଡ ଘଟାଇଛନ୍ତି ସ୍ଵାମୀ । ସୂଚନା ଅନୁସାରେ ଘଟଣା ଦିନ ତ୍ରିଲୋଚନ କିଷାନ ତାଙ୍କ ସ୍ତ୍ରୀ ସରସ୍ଵତୀ କିଷାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ପତ୍ନୀଙ୍କ ଚରିତ୍ରକୁ ନେଇ ସନ୍ଦେହ କରିଥିଲେ ସ୍ଵାମୀ ତ୍ରିଲୋଚନ । ଫଳରେ ଝଗଡ଼ା ସମୟରେ ସ୍ଵାମୀ ସ୍ତ୍ରୀ ଉପରେ ରାଗି ଯାଇ କୋଦାଳ ବେଣ୍ଟରେ ପିଟି ପିଟି ହତ୍ୟା କରିଥିଲେ । ହତ୍ୟା ପରେ ପତ୍ନୀଙ୍କ ମୃତଦେହକୁ ଘର ବାଡ଼ିରେ ପୋତି ଦେଇଥିଲେ । ପରେ ବଣାଇ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତନାଘନା ତଦଂତ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ମାଟି ତଳୁ ମୃତଦେହ ଉଦ୍ଧାର କରିଛି ପୋଲିସ । ଏହି ଘଟଣା ସାରା ଅଂଚଳରେ ଚହଳ ସୃଷ୍ଟି କରିଛି ।

Leave A Reply

Your email address will not be published.