ପୁସ୍ତକ ମେଳାର ଷଷ୍ଠ ସାରସ୍ୱତ କାବ୍ୟ ସନ୍ଧ୍ୟା

  • ଓଡ଼ିଆ ଭାଷା ବିକାଶ ମଞ୍ଚର ଆଲୋଚନାଚକ୍ର ଓ କବିତା ପାଠୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆନୁକୂଲ୍ୟରେ ପୁସ୍ତକ ପ୍ରଦର୍ଶନୀର ଷଷ୍ଠ ସନ୍ଧ୍ୟାରେ ଓଡ଼ିଆ ଭାଷା ବିକାଶ ମଞ୍ଚର ବସନ୍ତ କବିତା ପାଠୋତ୍ସବ ସହିତ ଅବକ୍ଷୟବାଦୀ ସମାଜ ବନାମ୍ ଲେଖକୀୟ ସଙ୍କଳ୍ପ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଏବଂ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱରେ ବିଶିଷ୍ଟ ସାମାଜିକ କର୍ମୀ କେଦାରନାଥ ପ୍ରଧାନ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ଶ୍ରୀ ମହାପାତ୍ର ଅଶୋକଙ୍କ କଳିଙ୍ଗ ଯୁଦ୍ଧଠାରୁ ବର୍ତ୍ତମାନର ସମୟ ସୀମା ପର୍ଯ୍ୟନ୍ତ ଓଡ଼ିଆ ଭାଷା ସାହିତ୍ୟର ବିକାଶ ଧାରା ସହିତ ଓଡିଶା ଓ ଓଡ଼ିଆ ଭାଷା ବଞ୍ଚିବା ପାଇଁ ସଂଘର୍ଷର କାହାଣୀକୁ ସଂକ୍ଷିପ୍ତ ଭାବରେ ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ, ଓଡ଼ିଆ ଭାଷା ଜୀବନ ଜୀବିକାର ଭାଷା ନହେଲେ ଅଚିରେ ଦ୍ୱଂସ ପାଇଯିବ । ମୁଖ୍ୟବକ୍ତା ଶ୍ରୀ ପ୍ରଧାନ ବିବର୍ତ୍ତିତ ସମୟର ପରିଧିରେ ସ୍ୱାଧୀନୋତ୍ତର ଭାରତବର୍ଷର ଅବକ୍ଷୟିତ ସାମାଜିକ ପୃଷ୍ଠପୀଠିକାରେ ସାହିତ୍ୟ କିପରି ଗତିଶୀଳ ଏବଂ ଲେଖକମାନେ ସୁସ୍ଥ ସମାଜ ଗଠନ ଦିଗରେ କିପରି ଭୂମିକା ନିର୍ବାହ କରିଥିଲେ ତତ୍ ସଂପର୍କରେ ଆଲୋଚନା ରଖିଥିଲେ ।
ଶ୍ରୀ ପତି ସ୍ୱାଗତ ଅଭିଭାଷଣ ସହିତ ସାମଗ୍ରିକ ଆଲୋଚନାର ସମୀକ୍ଷା ପୂର୍ବକ ହତ୍ୟା, ଲୁଣ୍ଠନ, ଧର୍ଷଣ ଓ ବର୍ବରତା ସାହିତ୍ୟର ପୁଞ୍ଜି ନହୋଇ ମଣିଷକୁ ମଣିଷର ଭଲ ପାଇବା ନୂତନ ସର୍ଜନାର ବାଣୀମନ୍ତ୍ର ହେଉ ବୋଲି ମତବ୍ୟକ୍ତ କରିଥିଲେ ।

ଦ୍ୱିତୀୟ ପର୍ଯ୍ୟାୟରେ ଯୁବକବି ଅଶୋକ ରାଉତଙ୍କ ସଂଯୋଜନାରେ ବସନ୍ତ କାବ୍ୟସନ୍ଧ୍ୟାରେ ସର୍ବଶ୍ରୀ ବିଜୟିନୀ ଜେନା, ବିଷ୍ଣୁ ମହାନ୍ତି, ସ୍ମିତା ମିଶ୍ର, ସୁମନ ଦତ୍ତ, ବଳରାମ ରାଉଳ, ରଶ୍ମି ସାହୁ, ବିଜୟ ରାୟ, ବବିତା ମହାଳିକ, କାଶୀନାଥ ପାତ୍ର, ଉପେନ୍ଦ୍ର କୁମାର ବସ୍ତିଆ, ସ୍ନେହଲତା ପଟ୍ଟନାୟକ, ଶ୍ୱେତ କୁମାର ବେହେରା, ସଞ୍ଜୀବ କୁମାର ଭୋଇ, ପ୍ରତାପ କୁମାର ପଣ୍ଡା, ଶୁପ୍ତି କର, ସନାତନ ପ୍ରଧାନ, ବିଭୁ ନାୟକ, ଧୋବେଇ ବେହେରା, କରୁଣାକର ପାଟ୍ଟଶାଣୀ, ମୀନକେତନ ପଶାୟତ, ଅକ୍ଷୟ ପଣ୍ଡା, ରଜତ କୁମାର ସାହୁ ପ୍ରମୁଖ କବିତା ପାଠ କରିଥିଲେ । ପରିଶେଷରେ ଶ୍ରୀ ମହାପାତ୍ର ସଭାଗୃହର ଭରପୁର ସାରସ୍ୱତ ସାଧକ ମୂଳରୁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହରେ ସହଯୋଗିତା ପୂର୍ବକ ଉପସ୍ଥିତ ରହି ଥିବାରୁ ସମସ୍ତଙ୍କୁ ଉଚ୍ଛ୍ୱସିତ ପ୍ରଶଂସା ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!