jayashree

୭୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ : ଡଙ୍ଗା ଭଷାପର୍ବ ଓ ପାରମ୍ପରିକ ବୋଦା ଲଢ଼େଇରେ ଉତ୍ସବମୁଖର ଡେଲାଙ୍ଗ

​ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ମହାକାର୍ତ୍ତିକ ପୂର୍ଣ୍ଣମୀ ଅବସରରେ ମଙ୍ଗଳବାର ପ୍ରତ୍ୟୁଷରୁ ସମଗ୍ର ଡେଲାଙ୍ଗ ଅଞ୍ଚଳ ଆଧ୍ୟାତ୍ମିକ ପରିବେଶ ଓ ଲୋକସଂସ୍କୃତିର ଉତ୍ସବରେ ମୁଖରିତ ହୋଇଉଠିଛି । ହବିଷ୍ୟାଳୀ ଓ ଶ୍ରଦ୍ଧାଳୁମାନେ କାର୍ତ୍ତିକ ବୁଡ଼ ପକାଇବା ପରେ ଉତ୍କଳର ଗୌରବମୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ‘ବୋଇତ ବନ୍ଦାଣ’ ଉତ୍ସବ ପାଳନ କରିଥିଲେ । କଦଳୀ ପଟୁକା, କାଗଜ, ରଙ୍ଗୀନ ଜରି ଓ ସୋଲରେ ନିର୍ମିତ ଡଙ୍ଗାରେ ଦୀପ, ଧୂପ, ପାନ, ଗୁଆ, ମୁଗ, ବିରି ଓ ରାଶି ରଖି ନଦୀ, ପୋଖରୀ ଓ ଜଳାଶୟରେ ଭସାଇବା ସହ “ଆ କା ମା ବୋଇ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର” ଧ୍ୱନିରେ ପରିବେଶ ପ୍ରକମ୍ପିତ ହୋଇଥିଲା । କାର୍ତ୍ତିକ ପୂର୍ଣ୍ଣମୀ ଡେଲାଙ୍ଗ ଅଞ୍ଚଳର ବିଭିନ୍ନ ଶୈବପୀଠ ଓ ଦେବାଦେବୀ ମନ୍ଦିରରେ ଭକ୍ତମାନଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ଘୋରଡ଼ିଆର ସୋମନାଥ ମନ୍ଦିର, କୁଆପଦାର ବଣିବକ୍ରେଶ୍ୱର, ଯୋରକଣୀର ଜାଗେଶ୍ୱର, କଲ୍ୟାଣପୁରର ଭାଗ୍ୟଶ୍ୱର, ପାହାଡ଼ଶୀର୍ଷ ବିଶ୍ୱନାଥ, ଅଳଉତାର ନୀଳକଣ୍ଠେଶ୍ୱର, ବେରବୋଇର ବ୍ରହ୍ମେଶ୍ୱର, ଖେଲୋଉର ଖେଲେଶ୍ୱର, ହରିରାଜପୁରର ପଶ୍ଚିମାଶମ୍ଭୁ ସୋମନାଥ ମନ୍ଦିର, କୁନ୍ତେଶ୍ୱର, ତିଗିରିଆର ନୀଳକଣ୍ଠେଶ୍ୱର ଏବଂ ବେଗୁନିଆପଡ଼ାର ଅମୃତେଶ୍ୱର ମନ୍ଦିରରେ ପ୍ରବଳ ଜନସମାଗମ ହୋଇଥିଲା । ଅନ୍ୟପକ୍ଷରେ, କୁଆପଦା ବଣିବକ୍ରେଶ୍ୱର ପୀଠ ନିକଟସ୍ଥ ପ୍ରାଙ୍ଗଣରେ ପାରମ୍ପରିକ ବୋଦା ଲଢ଼େଇ, ପାଇକ ଆଖଡ଼ା, ପଟ୍ଟାଖେଳ, ନଦିଆ ସଙ୍କୀର୍ତ୍ତନ ଓ ବାଜା-ବାଣର ଆସର ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ଚଳିତ ବର୍ଷ ଡେଲାଙ୍ଗ, କଣାସ, ସାକ୍ଷୀଗୋପାଳ, ପିପିଲି, ଜଟଣୀ, ଖୋର୍ଦ୍ଧା ଓ ପୁରୀ ଆଦି ଅଞ୍ଚଳରୁ ୭୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଏହି ମହୋତ୍ସବରେ ସାମିଲ ହୋଇଥିଲେ । ମେଳଣ ପଡ଼ିଆରେ ବିଭିନ୍ନ ଦୋକାନ ବଜାର ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକ ସଜ୍ଜା ଓ ଆକର୍ଷଣୀୟ ବାଣ ପ୍ରଦର୍ଶନ ହୋଇଥିଲା । ବଣିବକ୍ରେଶ୍ୱର ମନ୍ଦିର ନିକଟସ୍ଥ ବକ୍ରେଶ୍ୱର ମୁଣ୍ଡିଆ ଉପରେ ଶ୍ରଦ୍ଧାଳୁମାନେ ମାନସିକ ଅନୁଯାୟୀ ଗୋଡ଼ିପଥରରେ ଛୋଟ ଛୋଟ ମନ୍ଦିର ଗଢ଼ୁଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ମେଲୋଡି ଓ ନାଟକ ପରିବେଷଣକୁ ଉପଭୋଗ କରିବା ପାଇଁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିଲା । ମେଳଣ ପଡ଼ିଆ ଓ ବଣିବକ୍ରେଶ୍ୱର ମନ୍ଦିର ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ସ୍ଥାନୀୟ ଗ୍ରାମବାସୀ ଓ ସ୍ୱେଚ୍ଛାସେବୀମାନେ ସଫେଇ ଅଭିଯାନ ପରିଚାଳନା କରିଥିଲେ । ଭିଡ଼ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଡେଲାଙ୍ଗ ଥାନା ପକ୍ଷରୁ ବ୍ୟାପକ ସଶସ୍ତ୍ର ପୋଲିସ ମୁତୟନ କରାଯାଇଥିଲା ।

Leave A Reply

Your email address will not be published.